ଇତିହାସରେ ଯୋଡି ହେଲା ଆଉ ଏକ ନୂଆ ଅଧାୟ: ଭବ୍ୟ ରାମ ମନ୍ଦିରର ଭୂମିପୂଜନ କଲେ ପ୍ରଧାନମନ୍ତ୍ରୀ; ଶିଳାନ୍ୟାସ ପରେ କହିଲେ, ରାଷ୍ଟ୍ରିୟ ଭାବନାର ପ୍ରତୀକ ହେବ ରାମ ମନ୍ଦିର, ପୂରଣ ହେଲା ବର୍ଷ ବର୍ଷର ସ୍ୱପ୍ନ

378

କନକ ବ୍ୟୁରୋ: ଇତିହାସରେ ଯୋଡି ହେଲା ଆଉ ଏକ ନୂତନ ଅଧ୍ୟାୟ । ଦୀର୍ଘ ୫ଶହ ବର୍ଷର ଅପେକ୍ଷାର ହେଲା ଅନ୍ତ ହୋଇଛି । ରାମ ଜନ୍ମଭୂମି ଅଯୋଧ୍ୟାରେ କୋଟି କୋଟି ଲୋକଙ୍କ ହୃଦୟର ଦେବତା ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ହୋଇଛି ଶିଳାନ୍ୟାସ । ଭଗବାନ ରାମଙ୍କ ଜନ୍ମଭୂମି ଅଯୋଧ୍ୟାରେ ଭବ୍ୟ, ଦିବ୍ୟ ରାମମନ୍ଦିରର ନିର୍ମାଣର ଭୂମିପୁଜା ଓ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରୀତିନୀତି ଓ ମନ୍ତ୍ରୋଚାରଣ ସହ ଏହି ଭୂମି ପୂଜା ଶେଷ ହେବା ପରେ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ । ପୂର୍ବ ନିର୍ଦ୍ଧାରିତ ସମୟ ୧୨ଘଂଟା ୪୪ମିନିଟ ୮ସେକେଣ୍ଡରେ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ନିର୍ଦ୍ଧାରିତ ସମୟ ୧୨ଘଂଟା ୪୪ମିନିଟ ୮ସେକେଣ୍ଡ ପୂର୍ବରୁ ରୀତିନୀତି ଅନୁସାରେ ସମସ୍ତ ପୂଜାର୍ଚ୍ଚନା କରାଯାଇଥିଲା ।

୯ଟି ଶିଳାର ସ୍ଥାପନ କରାଯିବା ସହ ପ୍ରଭୁ ଶ୍ରୀରାମଙ୍କ କୂଳଦେବୀ କାଳୀ ମାତାଙ୍କର ବି ପୂଜାର୍ଚ୍ଚନା କରାଯାଇଛି । ଏହି ଅବସରରେ ୧୯୮୯ରେ ବିଶ୍ୱର ବିଭିନ୍ନ କୋଣ ଅନୁକୋଣରୁ ଭକ୍ତ ମାନେ ପଠାଇଥିବା ୯ଟି ଇଟା ବା ପଥର ଖଣ୍ଡ ଯେଉଁଥିରେ ଶ୍ରୀରାମ ଲେଖାଅଛି ତାହା ସ୍ଥାପନ କରାଯାଇଛି । ଏଥିସହ ଆରମ୍ଭ ହୋଇଛି ଭବ୍ୟ ମନ୍ଦିରର ନିର୍ମାଣ କାର୍ଯ୍ୟ । ଏହି ପରି ପ୍ରାୟ ୨ଲକ୍ଷ ୭୫ହଜାର ଇଟା ରହିଛି ଏଥିମଧ୍ୟରୁ ଶହେଟି ଇଟା ଯେଉଁଥିରେ ଶ୍ରୀରାମ ଖୋଦିତ ହୋଇଛି, ତାକୁ ନିଆଯାଇଛି । ରାମ ମନ୍ଦିରର ଭୂମି ପୁଜା ପାଇଁ ୨ହଜାରରୁ ଅଧିକ ତୀର୍ଥସ୍ଥାନର ମାଟି ଓ ଶହେରୁ ଅଧିକ ନଦୀର ପାଣି ଅଣାଯାଇଥିଲା । ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଆରଏସଏସ ମୁଖ୍ୟ ମୋହନ ଭାଗବତ, ଉତରପ୍ରଦେଶ ରାଜ୍ୟପାଳ ଆନନ୍ଦୀ ବେନ ପଟେଲ, ଶ୍ରୀରାମ ଜନ୍ମ ଭୂୂମି ଟ୍ରଷ୍ଟ ଅଧ୍ୟକ୍ଷ ନୃତ୍ୟ ଗୋପାଳ ଦାସ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ । ୧୭୫ଅତିଥିଙ୍କ ସହ ୧୩୫ଜଣ ଧାର୍ମିକ ଗୁରୁଙ୍କୁ ଏହି ଉତ୍ସବରେ ଯୋଗଦେବା ପାଇଁ ନିମନ୍ତ୍ରଣ କରାଯାଇଥିଲା ।

ତେବେ ପବିତ୍ର ରାମ ଜନ୍ମ ଭୂମିରେ ରାମ ମନ୍ଦିର ଶିଳାନ୍ୟାସ କରି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ନିଭ ଅଭିଭାଷଣରେ କହିଛନ୍ତି ଯେ, ପରସ୍ପର ମଧ୍ୟରେ ସ୍ନେହ ଏବଂ ଭାଇଚାରା ସନ୍ଦେଶ ନେଇ ଆମକୁ ଏହି ପବିତ୍ର ରାମ ମନ୍ଦିରର ପ୍ରତିଟି ଶିଳାକୁ ଯୋଡିବାକୁ ହେବ । କାରଣ ଯେବେ ଯେବେ ପ୍ରଭୁ ଶ୍ରୀ ରାମ ଚନ୍ଦ୍ରଙ୍କୁ ସୁମରଣା କରନ୍ତି ଆମର ବିକାଶ ହୋଇଛି ଆଉ ଯେତେବେଳେ ଏଥିରୁ ବୁଚ୍ୟୁତ ହୋଇଛନ୍ତି ସେତେବେଳେ ଆମର ବିନାଶ ହୋଇଛି । ସମସ୍ତଙ୍କ ଭାବନାକୁ ନଜରରେ ରଖିବାର ଅଛି, ସମସ୍ତଙ୍କୁ ନେଇ ଏବଂ ସଭିଙ୍କ ବିକାଶ କରିବାର ଅଛି । କରୋନା ମହାମାରୀ ଯୋଗୁଁ ଦେଶରେ ଯେଭଳି ପରିସ୍ଥିତି ସୃଷ୍ଟି ହୋଇଛି, ରାମଙ୍କ ଦ୍ୱାରା ଦିଆଯାଇଥିବା ମର୍ଯ୍ୟାଦାର ରାସ୍ତା ନିହାତି ଜରୁରୀ ।

ଅଯୋଧ୍ୟାରେ ରାମ ମନ୍ଦିରର ଶିଳାନ୍ୟାସ କରିବା ଅବସରରେ ଅଯୋଧ୍ୟା ନରେଶ ରାମଲାଲାଙ୍କ ଦର୍ଶନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସାଷ୍ଟାଙ୍ଗ ପ୍ରଣିପାତ କରି ଶ୍ରୀରାମଙ୍କ ଦର୍ଶନ କରିଥିଲେ ମୋଦି । ଏଥିସହ ପ୍ରଭୁଙ୍କ ନିକଟରେ ଆଳତି କରିବା ସହ ପୂଜାର୍ଚ୍ଚନା କରିଥିଲେ । ପ୍ରଭୁଙ୍କ ଦର୍ଶନ ପରେ ଦାନବାକ୍ସରେ ଦକ୍ଷିଣା ପକାଇଥିଲେ ପ୍ରଧାନମନ୍ତ୍ରୀ । ଏହି ମୁହୂର୍ତକୁ ସ୍ମରଣୀୟ କରିବା ପାଇଁ ମନ୍ଦିର ପରିସରରେ ଏକ ବୃକ୍ଷ ମଧ୍ୟ ରୋପଣ କରିଥିଲେ ମୋଦି । ଏହା ପୂର୍ବରୁ ଅଯୋଧ୍ୟାରେ ପହଁଚିବା ପରେ ହନୁମାନ ଗଡିକୁ ଯାଇ ପୂଜାର୍ଚ୍ଚନା କରିଥିଲେ । ହନୁମାନ ଗଡିର ଆରାଧ୍ୟ ଦେବତାଙ୍କ ନିକଟରେ ଆଳତି କରି ପ୍ରଣାମ କରିଥିଲେ । ତାପରେ ଉତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କ ରାମଲାଲାଙ୍କ ମନ୍ଦିରକୁ ଯାଇଥିଲେ ।

କରୋନା କଟକଣା ଭିତରେ ଭୂମି ପୂଜନ ପାଇଁ ମୁହଁରେ ମାସ୍କ ପିନ୍ଧି ସକାଳୁ ସକାଳୁ ଦିଲ୍ଲୀରୁ ଅଯୋଧ୍ୟା ଅଭିମୁଖେ ବାହାରିଥିଲେ ପ୍ରଧାନମନ୍ତ୍ରୀ । ବାୟୁସେନର ସ୍ୱତନ୍ତ୍ର ବିମାନରେ ଦିଲ୍ଲୀରୁ ଲକ୍ଷେ୍ମø ଆସିଥିଲେ ମୋଦି । ପରେ ଏକ ହେଲିକପ୍ଟର ଯୋଗେ ଅଯୋଧ୍ୟାରେ ପହଁଚିଥିଲେ । ହିଲେପ୍ୟାଡ୍ରୁ ସ୍ୱତନ୍ତ୍ର ଗାଡି ଯୋଗେ ମର୍ଯ୍ୟାଦା ପୁରୁଷ ରାମଚନ୍ଦ୍୍ରଙ୍କ ଜନ୍ମ ଭୂମିରେ ପହଂଚିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ବର୍ଷ ବର୍ଷ ଧରି ଟେଂଟ ତଳେ ରହିଥିବା ରାମଲାଲାଙ୍କ ପାଇଁ ଖୁବ୍ ଶୀଘ୍ର ତିଆରି ହେବ ରାମ ମନ୍ଦିର । ଆଉ ଏହି ରାମ ମନ୍ଦିର ଆଧୁନିକ ଭାରତର ପ୍ରତୀକ ହେବ । ସାରା ବିଶ୍ୱରେ ଭାରତ ରାଷ୍ଟ୍ରିୟ ଭାବନାର ପ୍ରତୀକ ହୋଇ ଠିଆ ହେବ ଅଯୋଧ୍ୟାରେ ନିର୍ମାଣ ହେଉଥିବା ଏହି ରାମ ମନ୍ଦିର ।