ଇତିହାସରେ ଯୋଡି ହେଲା ଆଉ ଏକ ନୂଆ ଅଧ୍ୟାୟ: ଭବ୍ୟ ରାମ ମନ୍ଦିରର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ; ବୈଦିକ ରୀତିନୀତିରେ ଚାଲିଛି ଭୂମି ପୂଜା, ସଜେଇ ହୋଇଛି ଅଯୋଧ୍ୟା ନଗରୀ

Advertisment
ଇତିହାସରେ ଯୋଡି ହେଲା ଆଉ ଏକ ନୂଆ ଅଧ୍ୟାୟ: ଭବ୍ୟ ରାମ ମନ୍ଦିରର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ; ବୈଦିକ ରୀତିନୀତିରେ ଚାଲିଛି  ଭୂମି ପୂଜା, ସଜେଇ ହୋଇଛି ଅଯୋଧ୍ୟା ନଗରୀ

କନକ ବ୍ୟୁରୋ: ବେଦ ମନ୍ତ୍ର ଗାନ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ଆଜି ଦିନ ୧୨:୫୫:୦୮ରେ ପଡ଼ିଥିବା ମାହେନ୍ଦ୍ର ବେଳାରେ ୪୦ କିଲୋଗ୍ରାମ ଓଜନର ରୂପା ଇଟାରେ ମନ୍ଦିର ନିର୍ମାଣ ଲାଗି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ସମୟରେ ଭୁମି ପୂଜନ କରୁଥିବା ମୁଖ୍ୟ ପୁରୋହିତ କହିଛନ୍ତି ଯେ ଭୂମି ପୂଜନ ପାଇଁ ଏଠାରେ ମୋଟ ୯ଟି ଇଟା ରଖାଯାଇଥିଲା, ଏହି ଇଟା ଗୁଡିକ ୧୯୮୯ରେ ଭଗବାନ ରାମଙ୍କ ଭକ୍ତମାନେ ସମଗ୍ର ଦେଶ ତଥା ବିଶ୍ବରୁ ପଠାଇଥିଲେ। ରାମ ଭକ୍ତମାନେ ପୃଥିବୀର ବିଭିନ୍ନ ସ୍ଥାନରୁ ମୋଟ ୨ଲକ୍ଷ ୭୫ହଜାର ଇଟା ପଠାଇଛନ୍ତି। ସେଥିମଧ୍ୟରୁ ୧୦୦ଟି ଇଟାରେ ଜୟ ଶ୍ରୀ ରାମ ଲେଖାଯାଇଛି।

ଭୂମି ପୂଜନ ଉତ୍ସବରେ ପ୍ରସ୍ତାବିତ ଗର୍ଭଗୃହ ସ୍ଥାନରେ ଅନ୍ୟମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସହ ବସିଥିଲେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଜ୍ୟପାଳ ଆନନ୍ଦିବେନ୍ ପଟେଲ୍ ଓ ଆରଏସ୍‌ଏସ୍ ମୁଖ୍ୟ ମୋହନ ଭାଗବତ।

ବୁଧବାର ମଧ୍ୟାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାମ ଜନ୍ମଭୂମି ମନ୍ଦିର ନିର୍ମାଣ ସ୍ଥଳୀରେ ପହଞ୍ଚିବା ପରେ ରାମ ଲାଲାଙ୍କୁ ଦର୍ଶନପୂର୍ବକ ଆଳତି କରି ଫୁଲମାଳ ପିନ୍ଧାଇଥିଲେ। ମନ୍ଦିର ନିର୍ମାଣ ପରିଧି ମଧ୍ୟରେ ଆୟୋଜିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ‘ଗଙ୍ଗଶିଉଳି’ ଚାରାଟିଏ ରୋପଣ କରିଥିଲେ। ଏହାଛଡ଼ା ଶିଳାନ୍ୟାସ ଉତ୍ସବ ଅବସରରେ ପ୍ରଧାନମନ୍ତ୍ରୀ ‘ଶ୍ରୀରାମ ଜନ୍ମଭୂମି ମନ୍ଦିର’ ଉପରେ ସ୍ମାରକୀ ଡାକ ଟିକଟ ଉନ୍ମୋଚନ କରିବେ। ଏହାପରେ ପ୍ରଧାନମନ୍ତ୍ରୀ ସ୍ବାମୀ ନୃତ୍ୟଗୋପାଳ ଦାସ ଏବଂ ରାମ ଜନ୍ମଭୂମି ଟ୍ରଷ୍ଟ୍‌ର ଅନ୍ୟ ସଦସ୍ୟମାନଙ୍କୁ ଭେଟିବେ। ଅପରାହ୍ଣ ୨: ୦୫ରେ ପ୍ରଧାନମନ୍ତ୍ରୀ ହେଲିପ୍ୟାଡ୍ ଅଭିମୁଖେ ପ୍ରତ୍ୟାବର୍ତ୍ତନ କରି ୨: ୨୦ରେ ଲକ୍ଷ୍ନୌରେ ପହଞ୍ଚିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe