ଶୁଭ ମୁହୁର୍ତରେ ଅଯୋଧ୍ୟାରେ ରାମଲାଲାଙ୍କର ହେଲା ପ୍ରାଣ ପ୍ରତିଷ୍ଠା । ଦିବ୍ୟ ଦର୍ଶନ କଲା ସାରା ବିଶ୍ୱ, ପ୍ରାଣ ପ୍ରତିଷ୍ଠା ଉତ୍ସବରେ କ୍ଷମା ମାଗିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

155

କନକ ବ୍ୟୁରୋ : ଭବ୍ୟ, ଦିବ୍ୟ ସ୍ୱରୂପ । ମନମୋହକ ପ୍ରଭୁ ଶ୍ରୀରାମଙ୍କ ବାଳରୂପ । ଯେଉଁ ରୂପ ଦେଖିବାକୁ ବର୍ଷ ବର୍ଷ ଧରି କୋଟି କୋଟି ରାମ ଭକ୍ତ ଅପେକ୍ଷା କରିଥିଲେ, ଏବେ ଅନ୍ତ ଘଟିଛି । ଅଯୋଧ୍ୟା ନଗରୀର ଭବ୍ୟ ମନ୍ଦିରର ଗର୍ଭ ଗୃହରେ ମର୍ଯ୍ୟାଦାପୁରୁଷୋତ୍ତମ ପ୍ରଭୁ ଶ୍ରୀରାମ ବିରାଜମାନ ହୋଇଛନ୍ତି । ପଣ୍ଡିତ ଓ ସାଧୁ ସନ୍ଥଙ୍କ ମନ୍ତ୍ରଉଚ୍ଚାରଣ ଓ ପୂଜାପାଠ ଭିତରେ, ସଂପନ୍ନ ହୋଇଛି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ।

ରାମ ଲାଲାଙ୍କ ପ୍ରାଣପ୍ରତିଷ୍ଠା ପାଇଁ କୋଟି କୋଟି ଦେଶବାସୀଙ୍କ ଉକ୍ରଣ୍ଠା ବଢ଼ି ଚାଲିଥିବାବେଳେ, ଶୁଭ ମୁହୁର୍ତରେ ପ୍ରଭୁ ଶ୍ରୀରାମଙ୍କ ପାଇଁ ପୂଜା ସାମଗ୍ରୀ ଧରି ମନ୍ଦିରକୁ ପ୍ରବେଶ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତାପରେ ମଂଗଳ ବେଳାରେ, ଗର୍ଭ ଗୃହରେ ଆରମ୍ଭ ହୋଇଥିଲା ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବ । ପଣ୍ଡିତଙ୍କ ମନ୍ତ୍ରଉଚ୍ଚାରଣ ସହ ଶ୍ରୀରାମଙ୍କ ପୂଜାର୍ଚ୍ଚନା ହୋଇଥିଲା । ପୂଜାର୍ଚ୍ଚନା ଭିତରେ ପ୍ରଧାନମନ୍ତ୍ରୀ ପ୍ରଥମେ ରାମଲାଲାଙ୍କ ଆଖିରୁ ପଟିକୁ ହଟାଇଥିଲେ । ପ୍ରଥମେ ଏକ ଆଇନାରେ ରାମଲାଲା ନିଜକୁ ଦେଖିଥିଲେ । ତାପରେ ରାମଲାଲାଙ୍କ ପାଦରେ ପୁଷ୍ପାର୍ପଣ କରିଥିଲେ ମୋଦୀ । ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ, ଭଗବାନଙ୍କ ଚରଣରେ ନିଜକୁ ସମର୍ପିତ କରି ସାଂଟାଙ୍ଗ ପ୍ରଣିପାତ କରିଥିଲେ । ଉପସ୍ଥିତ ପଣ୍ଡିତଙ୍କ ଆଶୀର୍ବାଦ ନେଇଥିଲେ ପ୍ରଧାନମନ୍ତ୍ରୀ ।

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମୟରେ ଗର୍ଭ ଗୃହ ଭିତରେ ଉପସ୍ଥିତ ରହିଥିଲେ ସଂଘ ପ୍ରମୁଖ ମୋହନ ଭାଗବତ, ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଉତରପ୍ରଦେଶ ରାଜ୍ୟପାଳ ଆନନ୍ଦୀ ବେନ୍ ପଟେଲ୍ । ରାମଲାଲାଙ୍କ ପୂଜାର୍ଚ୍ଚନା କରିଥିଲେ । ପୁଷ୍ପାଞ୍ଜଳି ଦେଇଥିଲେ । ଶେଷରେ ଏହି ଐତିହାସିକ ମୁହୂର୍ତକୁ ବ୍ୟାଖ୍ୟା କରିଥିଲେ ପ୍ରଧାନମନ୍ତ୍ରୀ । ଭାରତ ପାଇଁ ଗର୍ବ ଓ ଗୌରବର ଦିନ ବୋଲି କହିଥିଲେ ମୋଦୀ ।

ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ସହ ଭାରତୀୟ ସଂସ୍କୃତିରେ ଯୋଡି ହୋଇଯାଇଛି ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ । କେବଳ ଭାରତ ନୁହେଁ, ସାରାବିଶ୍ୱ ଏହି ଐତିହାସିକ ମୁହୁର୍ତର ସାକ୍ଷୀ ହୋଇଛି । ବିଶ୍ୱର କୋଣ ଅନୁକୋଣରେ ଥିବା ରାମଭକ୍ତଙ୍କ ମୁହଁରୁ ସ୍ୱାଭାବିକ ଭାବେ ଆଜି ବାହାରୁଥିଲା ଜୟ ଶ୍ରୀରାମ ଧ୍ୱନି ।