ସୁପ୍ରିମକୋର୍ଟରେ ଅଯୋଧ୍ୟା ଜମି ବିବାଦ ମାମଲାର ଶୁଣାଣି । ସମୟ ନେଲେ ମଧ୍ୟସ୍ଥି କମିଟି ।

66

କନକ ବ୍ୟୁରୋ : ଅଯୋଧ୍ୟା ରାମ ଜନ୍ମଭୂମି ଜମି ମାଲିକାନା ବିବାଦ ଲାଗି ତିନି ସଦସ୍ୟ ବିଶିଷ୍ଟ ସ୍ୱତନ୍ତ୍ର ମଧ୍ୟସ୍ଥତା ପାନେଲ୍‌ ଗଠନ ଲାଗି ଶୁକ୍ରବାର ଦିନ ସୁପ୍ରିମକୋର୍ଟ ଅତିରିକ୍ତ ସମୟ ମଞ୍ଜୁର କରିଛନ୍ତି । ବିବାଦର ଆପୋସ ସମାଧାନ ଲାଗି ଅଦାଲତ ଅଗଷ୍ଟ ୧୫ ତାରିଖ ଯାଏଁ ସମୟ ବୃଦ୍ଧି କରିଛନ୍ତି । ଭାରତର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ପାଞ୍ଚ ସଦସ୍ୟ ବିଶିଷ୍ଟ ସାମ୍ବିଧାନିକ ଖଣ୍ଡପୀଠ ଏ ସଂକ୍ରାନ୍ତରେ ଶୁକ୍ରବାର ସକାଳେ ଶୁଣାଣି କରିଛି । ଆପୋସ ସମାଧାନର ସନ୍ଧାନ ନେବାକୁ ମଧ୍ୟସ୍ଥତା ପାନେଲ୍‌ ସମୟ ବଢ଼ାଇବାକୁ ଅନୁରୋଧ କରିଥିଲା ।

ଶୁଣାଣି ସମୟରେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ପାନେଲ୍‌କୁ କହିଲେ ଯେ କେତେ କ’ଣ ଅଗ୍ରଗତି ହୋଇଛି ସେ କଥା ଖଣ୍ଡପୀଠ କହିବ ନାହିଁ…ତାହା ଗୋପନୀୟ । ସୁପ୍ରିମକୋର୍ଟଙ୍କୁ ଏହି ପାନେଲ ମୁଦା ଲଫାପା ମଧ୍ୟରେ ମଧ୍ୟବର୍ତ୍ତୀକାଳୀନ ରିପୋର୍ଟ ଦାଖଲ କରି ସାରିଛି । ଜଷ୍ଟିସ୍‌ ଏସ୍‌ଏ ବବ୍‌ଦେ, ଏସ୍‌ଏ ନାଜୀର, ଅଶୋକ ଭୂଷଣ ଏବଂ ଡିଓ୍ଵାଇ ଚନ୍ଦ୍ରଚୂଡ଼ ମଧ୍ୟ ଏହି ପାଞ୍ଚ-ସଦସ୍ୟବିଶିଷ୍ଟ ଖଣ୍ଡପୀଠରେ ଅନ୍ତର୍ଭୁକ୍ତ ଅଟନ୍ତି ।