ଅଯୋଧ୍ୟା ମାମଲାରେ ମଧ୍ୟସ୍ଥି ନିଯୁକ୍ତି ନେଇ ସୁପ୍ରିମକୋର୍ଟରେ ଶୁଣାଣି ଶେଷ, ରାୟ ସଂରକ୍ଷିତ!

73

କନକ ବ୍ୟୁରୋ : ଅଯୋଧ୍ୟା ଜମି ବିବାଦ ମାମଲାରେ ଶୁଣାଣି ଶେଷ କରିଛନ୍ତି ସୁପ୍ରିମକୋର୍ଟ । ତେବେ ରାୟ ସଂରକ୍ଷିତ ରହିଛି । ପାଖାପାଖି ଦେଢ ଘଂଟାର ଶୁଣାଣି ପରେ ତିନି ପକ୍ଷକୁ ମଧ୍ୟସ୍ଥ ନାମ ମାଗିଛନ୍ତି ସର୍ବୋଚ୍ଚ ଅଦାଲତ । ସେପଟେ କୋର୍ଟଙ୍କ ଶୁଣାଣି ପରେ ପରେ ମଧ୍ୟସ୍ଥ ନାମ ସୁପାରିଶ କରିଛନ୍ତି ନିର୍ମୋହୀ ଆଖଡା ଓ ହିନ୍ଦୁ ମହାସଭା ।

ସୁପ୍ରିମକୋର୍ଟରେ ଅଯୋଧ୍ୟା ଜମି ବିବାଦ ମାମଲାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି ସର୍ବୋଚ୍ଚ ଅଦାଲତ । ବୁଧବାର ପ୍ରାୟ ଦେଢ ଘଂଟା ଧରି ଚାଲିଥିଲା ଶୁଣାଣି । ମଧ୍ୟସ୍ଥ ନାମ ମାଗିବା ସହ ରାୟ ସଂରକ୍ଷିତ ରଖିଛନ୍ତି ସୁପ୍ରିମକୋର୍ଟ । ମାମଲାକୁ ମଧ୍ୟସ୍ଥ ଜରିଆରେ ସମାଧାନ କରିବା ନେଇ ସୁପ୍ରିମକୋର୍ଟଙ୍କ ମତ ଦେବା ସହ ସ୍ପଷ୍ଟ କରିଛନ୍ତି ଏହା କେବଳ ଏକ ଜମି ବିବାଦ ମାମଲା ନୁହଁ , ଏହା ସହିତ ଦେଶର କୋଟି କୋଟି ଜନତାଙ୍କ ଭାବାବେଗ ଜଡିତ ।

ସୁପ୍ରିମକୋର୍ଟର ପ୍ରମୁଖ ବିଚାରପତି ଜଷ୍ଟିସ୍ ରଂଜନ ଗୋଗଇଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠରେ ମାମଲାର ଶୁଣାଣି ହୋଇଥିଲା । ତେବେ ମଧ୍ୟସ୍ଥ ଜରିଆରେ କୌଣସି ସମାଧାନ ବାହାରିବ ନାହିଁ ବୋଲି ସ୍ପଷ୍ଟ କରିଛି ରାମଲାଲାଙ୍କ ପକ୍ଷ । ସେପଟେ ଅନ୍ୟ ଦୁଇ ପକ୍ଷ ନିର୍ମୋହୀ ଆଖଡା ଏବଂ ସୁନୀ ୱାକଫ୍ ବୋର୍ଡ କିନ୍ତୁ ମଧ୍ୟସ୍ଥ ପକ୍ଷରେ ଯୁକ୍ତି ବାଢିଛନ୍ତି । ଶେଷ ଖବର ସୁଦ୍ଧା ନିର୍ମୋହୀ ଆଖଡା ଓ ହିନ୍ଦୁ ମହାସଭା ପକ୍ଷରୁ ଅଦାଲତଙ୍କୁ ମଧ୍ୟସ୍ଥଙ୍କ ନାମ ସୁପାରିଶ କରାଯାଇଛି । ହିନ୍ଦୁ ମହାସଭା ତରଫରୁ ମଧ୍ୟସ୍ଥ ଭାବେ ପୂର୍ବତନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର, ପୂର୍ବତନ ସିଜେଆଇ ଜେଏସ ଖେହର ଓ ଜଷ୍ଟିସ୍ ଏକେ ପଟ୍ଟନାୟକଙ୍କ ନାମ ସୁପାରିଶ କରାଯାଇଛି । ନିର୍ମୋହୀ ଆଖଡା ପକ୍ଷରୁ ଜଷ୍ଟିସ୍ କୁରିୟନ ଯୋଶେଫ୍, ଏକେ ପଟ୍ଟନାୟକ ଏବଂ ଜିଏସ ସିଂଘବୀଙ୍କ ନାମ ସୁପାରିଶ ହୋଇଛି । ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ଅତୀତରେ କଣ ଥିଲା ନଥିଲା , ସେନେଇ କୋର୍ଟ ଶୁଣାଣି କରିବେନି । କେବଳ ବର୍ତମାନର ଜମି ବିବାଦ ମାମଲାର ଶୁଣାଣି ହେବ ।