ଜିତିଗଲା କ୍ୟାନସର, ହାରିଗଲା କୁନିଝିଅ । କର୍କଟ ସହ ଲଢି ଲଢି ସବୁଦିନ ପାଇଁ ଆଖି ବୁଜିଦେଲା ୬ ବର୍ଷର ଆୟେସା ।

731

କନକ ବ୍ୟୁରୋ: ତା ଆଖିର ଅସୁମାରୀ ଆଶା ସବୁଦିନ ପାଇଁ ଉଭେଇଗଲା । ତା ମନରେ ବସା ବାନ୍ଧିଥିବା ସୁନେଲୀ ଭବିଷ୍ୟତର ସ୍ୱପ୍ନ ସମାଧି ନେଇଗଲା । ଜୀବନ- ମୃତ୍ୟୁ ମଝିରେ ରହି ମୃତ୍ୟୁକୁ ଜିତିବାର ଯେଉଁ ଯୁଦ୍ଧ କରୁଥିଲା ସେହି ଯୁଦ୍ଧରେ ସେ ସବୁଦିନ ପାଇଁ ହାରିଗଲା । ଜିତିଗଲା କ୍ୟାନସର, ହାରିଗଲା କୁନିଝିଅ । କର୍କଟ ସହ ଲଢୁଲଢୁ ଆଖିବୁଜିଲା ୬ ବର୍ଷର କୁନିଝିଅ ଆୟେସା ।

କଟକ ମେଡିକାଲରେ ୨ ମାସ କାଳ କ୍ୟାନସର ସହ ଲଢେଇ କରୁଥିବା ବେଳେ ଆଜି ସନ୍ଧ୍ୟାରେ କୁନିଝିଅ ଆଖି ବୁଜିଛି । ତେବେ ଖୋର୍ଦ୍ଧା କାଇପଦର ଅଞ୍ଚଳର ଶେଖ୍ ଅଖତାରଙ୍କ ୬ ବର୍ଷର ସାନ ଝିଅ ଆୟେସାକୁ ବ୍ଲଡ କ୍ୟାନସର ହୋଇଥିଲା । ପ୍ରଥମ ଶ୍ରେଣୀରେ ପଢୁଥିଲା ଆୟେସା । ନିଜ ଭବିଷ୍ୟତକୁ ନେଇ ଅନେକ ସ୍ୱପ୍ନ ଦେଖିଥିଲା । ହେଲେ ଭାଗ୍ୟର ବିଡମ୍ବନା ୬ ବର୍ଷର ଛୋଟ ପିଲାକୁ କବଳିତ କରିନେଲା କ୍ୟାନସର, ଆଉ ଶେଷରେ ତାର ପ୍ରାଣବାୟୁ ନେଇଗଲା ମାରାତ୍ମକ ରୋଗ । ।

ଝିଅର ଦେହ ଖରାପ ହେବା ପରେ ତାକୁ ଡାକ୍ତରଙ୍କୁ ଦେଖାଇ ସିଧା କଟକ ବଡ ମେଡିକାଲ ଆଣି ଚିକିତ୍ସା କରୁଥିଲେ । ସେଠାରେ ତାଙ୍କର ୩୦ ହଜାର ଟଙ୍କା ଖର୍ଚ୍ଚ ହେବା ପରେ ଝିଅର ଚିକିତ୍ସା ପାଇଁ ହାତ ଯୋଡିଥିଲେ ବାପା । ଗଣମାଧ୍ୟମରେ ଖବର ପ୍ରସାରଣ ପରେ ବିଭିନ୍ନ ସ୍ଥାନରୁ ୩୫ ହଜାର ଟଙ୍କା ଆର୍ଥିକ ସାହାଯ୍ୟ ମିଳିଥିବା ବେଳେ ଝିଅର ଚିକିତ୍ସା ଜାରି ରହିଥିଲା । ହେଲେ ଆଜି ବାନ୍ତି ହେବା ପରେ ତା ହୃଦସ୍ପନ୍ଦନ ବନ୍ଦ ହୋଇଥିଲା, ଏବଂ ଶେଷରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ ।