କନକ ବ୍ୟୁରୋ: ଗୋଟିଏ ପଟେ ଗୋଟିଏ ପରିବାରର ୩ ଜଣଙ୍କ ନାମରେ ୩ଟି ପ୍ରଧାନମନ୍ତ୍ରୀ ଆବାସ କାର୍ଯ୍ୟାଦେଶ ମିଳିବା ପରେ ତିଆରି ହେଉଛି କୋଠାଘର । ଆଉ ଅନ୍ୟପଟେ ପାଲ ଟଣା ମାଟି କୁଡିଆରେ ମୁଣ୍ଡ ଗୁଞ୍ଜିଛନ୍ତି ଅସହାୟ ଗରିବ ପରିବାର । ଏଭଳି କିଛି ଖବର ଆସିଛି ପଦ୍ମପୁର ବ୍ଲକ କନସିଂହା ପଞ୍ଚାୟତର ଚଣ୍ଡିପାଲି ଗାଁରୁ । ଅଭିଯୋଗ ଅନୁସାରେ, ପଞ୍ଚାୟତ ଅଧିକାରୀଙ୍କୁ ହାତ କରି ଏହି ଗାଁର ଗୋଟିଏ ପରିବାରର ୩ ଜଣ ସଦସ୍ୟ ୩ଟି ପକ୍କା ଘର ହାତେଇଛନ୍ତି । ସେପଟେ ସେହି ଗାଁର ଦିନ ମଜୁରିଆ ନାରାୟଣ ଡୁଡୁକାଙ୍କ ପରିବାର ଭଙ୍ଗା କୁଡିଆରେ ରହୁଥିଲେ ମଧ୍ୟ ତାଙ୍କ ଭାଗ୍ୟରେ ଏଯାଁଏ ପ୍ରଧାନମନ୍ତ୍ରୀ ଆବାସ ଜୁଟି ନାହିଁ । ଏଥିରୁ ଜଣାପଡୁଛି ସରକାରୀ ଯୋଜନା କାହା ପାଇଁ ମେଞ୍ଚାଏ ତ କାହା ପାଇଁ କେଞ୍ଚାଏ ।
ସେହିପରି ଆଉ ଜଣେ ହିତାଧିକାରୀ ହେଉଛନ୍ତି ସାବିତ୍ରୀ ପାଣ୍ଡେ । ସ୍ୱାମୀଙ୍କ ଦେହାନ୍ତ ପରେ ପୁଅ ସହ ମୁଲ ଲାଗି ପେଟ ପୋଷୁଛନ୍ତି । ଆଉ ମାଆ ପୁଅ ଏଇଠି ରହୁଛନ୍ତି । ବର୍ଷା ଯୋଗୁଁ ପୁରୁଣା ମାଟି ଘରଟି ଭାଙ୍ଗି ଯିବା ପରେ ଅନ୍ୟ ପିଣ୍ଡାରେ ଜାଗା ଟିକିଏ ମାଗି ଜୀବନ ବିତାଉଛନ୍ତି ସାବିତ୍ରୀ । ସାବିତ୍ରୀ ଓ ନାରୟଣଙ୍କ ଭଲି ଆହୁରି ଅନେକ ଯୋଗ୍ୟ ହିତାଧିକାରୀ ପକ୍କା ଘର ପାଇବାରୁ ବଞ୍ଚିତ ହୋଇଛନ୍ତି । ଏ ବିଷୟରେ ପଦ୍ମପୁର ବିଡିଓ ଶଙ୍କର୍ଷଣ ବେହେରା କହିଛନ୍ତି ଯୋଗ୍ୟ ହିତାଧିକାରୀଙ୍କୁ ଘର ଦିଆଯାଉଛି । କିଏ ଯଦି ବଡକୋଠା ତିଆରି କରୁଛନ୍ତି, ସ୍ଥାନୀୟ ପଞ୍ଚାୟତ ଅଧିକାରୀ ତାହା ତଦନ୍ତ କରିବା ଆବଶ୍ୟକ । ତେବେ କିଛି ଟଙ୍କା ଲୋଭରେ ଅସାଧୁ କର୍ମଚାରୀମାନେ ପ୍ରକୃତ ହିତାଧିକାରୀ ବଦଳରେ ପୁଞ୍ଜିପତିଙ୍କୁ ପକ୍କା ଘର ଦେଉଛନ୍ତି । ଫଳରେ ପ୍ରକୃତ ହିତାଧିକାରୀ ଚାଳ ଛପର ଘରେ ଦିନ କାଟୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/08/5-25.jpg)