ଆବାସ ଯୋଜନାରେ ଯୋଡି ହେଲା ନୂଆ ଫର୍ଦ୍ଦ । ସରକାରୀ କର୍ମଚାରୀଙ୍କୁ ଲକ୍ଷାଧିକ ଟଙ୍କାର ଅର୍ଥଦଣ୍ଡ । ଜେଇ ଓ ପଂଚାୟତ ଏକଜିକ୍ୟୁଟିଭଙ୍କୁ ଜରିମାନା ।

308

କନକ ବ୍ୟୁରୋ : ରାଜ୍ୟରେ ଆବାସ ଯୋଜନା ଦୁର୍ନୀତି ଘଟଣା ମୁଣ୍ଡ ଟେକିଥିବା ବେଳେ ଯାଜପୁର ଜିଲ୍ଲାରେ ମଧ୍ୟ ଅନେକ ସମୟରେ ଅନେକ ରୋଚକ ତଥ୍ୟ ସାମ୍ନାକୁ ଆସିଛି । ଯାଜପୁର ଜିଲ୍ଲା ଦଶରଥପୁର ବ୍ଳକ୍ ଅନ୍ତର୍ଗତ ବିରିପଟା ପଂଚାୟତରେ ଆବାସ ଖଣ୍ଡିଏ ପାଇଁ ଦୀର୍ଘ ୬/୭ ବର୍ଷ ହେଲା ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଡିଓ ଏବଂ ଜିଲ୍ଲାପାଳଙ୍କ ପାଖକୁ ଦୌଡିଦୌଡି ନିରାଶ ହେବା ପରେ ମାନ୍ୟବର ହାଇକୋର୍ଟଙ୍କ ପାଖରେ ନ୍ୟାୟ ମାଗିଥିଲେ ଯୋଗ୍ୟ ହିତାଧିକାରୀ ବିକାଶ ଧଳ । ହେଲେ ଘଟଣାରୁ ଜଣା ପଡିଲା ଯେ ବିରିପଟା ଆବାସ ଯୋଜନାରେ ଏକ ବଡ ଫର୍ଦ୍ଦ ଯୋଡି ହୋଇଯାଇଛି । ଯେଉଁଥି ପାଇଁ ପଂଚାୟତ ଏକଜିକ୍ୟୁଟିଭ୍ ଅଫିସର ଓ ଜେଇଙ୍କୁ ଲକ୍ଷାଧିକ ଟଙ୍କାର ଜୋରିମାନା ଦେବାକୁ ନିର୍ଦ୍ଦେଶ ହୋଇଥିବା ବେଳେ ସଂପୃକ୍ତ ବିଡିଓଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଥିବା ଜିଲ୍ଲାପାଳ କହିଛନ୍ତି ।

ଆବାସ ଯୋଜନାରେ ଯୋଡି ହେଲା ନୂଆ ଫର୍ଦ୍ଦ । ଆବାସ ବିକ୍ରିର ଅଭିଯୋଗ ! ସରକାରୀ କର୍ମଚାରୀଙ୍କୁ ଲକ୍ଷାଧିକ ଟଙ୍କାର ଅର୍ଥଦଣ୍ଡ । ଆବାସ ଯୋଜନାରେ ଘୋଟାଲା ଅଭିଯୋଗ ଆସିଛି ଯାଜପୁର ଜିଲ୍ଲା ଦଶରଥପୁର ବ୍ଳକ ବିରିପିଟାରୁ । ଅଭିଯୋଗ ମୁତାବକ ବିରିପଟା ପଂଚାୟତର ଆବାସରୁ ବଂଚିତ ଯୋଗ୍ୟ ହିତାଧିକାରୀ ବିକାଶ ଧଳ ଘର ଖଣ୍ଡିଏ ପାଇଁ ବ୍ଲକ ଅଫିସକୁ ଦୌଡିଦୌଡି ନୟାନ୍ତ ହେବା ପରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ପଂଚାୟତରେ ଅଯୋଗ୍ୟ ଓ ଥିଲାବାଲାଙ୍କୁ ଆବାସ ଯୋଗାଇ ଦିଆଯାଇଥିବା ଅଭିଯୋଗ କରିଥିଲେ । ବିକାଶଙ୍କ ଆବେଦନକୁ ଗ୍ରହଣ କରି ପଂଚାୟତ ଏକଜିକ୍ୟୁଟିଭ୍ ଅଫିସର ଓ ଜେଇଙ୍କୁ ଲକ୍ଷାଧିକ ଟଙ୍କାର ଜୋରିମାନା ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଦଶରଥପୁର ବିଡିଓ, ପିଇଓଙ୍କ କଥାରେ ଅଯୋଗ୍ୟ ହିତାଧିକାରୀଙ୍କୁ ଘର ଦେଇଥିବା ବେଳେ ଯୋଗ୍ୟ ହିତାଧିକାରୀ ବାଦ ପଡୁଛନ୍ତି । ଏଭଳି ଅଭିଯୋଗର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଯାଜପୁର ପିଡି ବିଶାଳ ସିଂ ଘଟଣାର ତଦନ୍ତ କରି କାର୍ଯ୍ୟରେ ଅବହେଳା ଓ ଅନିୟମିତତା ପାଇଁ ସଂପୃକ୍ତ ଜେଇ ଓ ପିଇଓଙ୍କୁ ୯ ଲକ୍ଷ ୨୦ ହଜାର ଟଙ୍କାର ଜରିମାନା କରିଛନ୍ତି । ଏହାସହ ଦଶରଥପୁର ବିଡିଓଙ୍କୁ କାରଣ ଦର୍ଶାଅ ନୋଟିସ ମଗାଯାଇଛି ।

ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ଦୁର୍ନୀତିଖୋର ଅଧିକାରୀଙ୍କ ମନରେ ଭୟ ସୃଷ୍ଟି ହୋଇଛି । ଏପରି କଳାବଜାରୀ କରୁଥିବା ଅର୍ଥଲୋଭୀ ସରକାରୀ ବାବୁମାନଙ୍କୁ କେବଳ ଜୋରିମାନା ଯଥେଷ୍ଟ ନୁହେଁ ସେମାନଙ୍କୁ ନିଲମ୍ବନ କରିବାକୁ ଦାବି ହୋଇଛି ।