କନକ ବ୍ୟୁରୋ : ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଥିବା ଚିତ୍ରକୁ ଦେଖିଲେ ଜଣାପଡ଼ୁଛି, ସରକାରୀ ଯୋଜନା ନାମକୁ ମାତ୍ର । ଯୋଜନା ପରେ ଯୋଜନା ହେଉଛି କିନ୍ତୁ ଲୋକେ ଏହାର ସୁଫଳ ପାଉନାହାନ୍ତି । ବିଫଳ ହୋଇଛି ଆବାସ ଯୋଜନା । ଗୁହାଳ ଘରେ ପଲିଥିନ ତଳେ ରହୁଛନ୍ତି ଗରିବ ଖଟିଖିଆ । ଆମେ କହୁଛୁ ପୁରୀ ଜିଲ୍ଲା ଗୋପ ବ୍ଲକ ଅଧୀନ ଗଣେଶ୍ୱରପୁର ପଞ୍ଚାୟତ ବେଣୀପୁର ଗାଁର ଶତାଧିକ ପରିବାରଙ୍କ କଥା । ଆସନ୍ତୁ ଜାଣିବା, ଶୀତ ରାତିରେ କେମିତି କଟୁଛି ଜୀବନ ।
ଅନ୍ଧାର ସାଙ୍ଗକୁ ହାଡ଼ ଭଙ୍ଗା ଶୀତ । କେଉଁଠି ଛିଣ୍ଡା ପାଲ ତଳେ ତ କେଉଁଠି ଗୁହାଳ ଘରେ, ଜୀବନ ଜିଇଁବାକୁ ରାହା ଖୋଜୁଛନ୍ତି ପରିବାର । ନା ମୁଣ୍ଡ ଉପରେ ଛାତ ଅଛି, ନା ପହଞ୍ଚିପାରିଛି ପ୍ରଶାସନ । କୁନି କୁନି ପିଲାଙ୍କ ସହ ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି ଗୋପ ବ୍ଲକ ଅନ୍ତର୍ଗତ ବେଣୀପୁର ଗାଁର ଶତାଧିକ ପରିବାର । ବନ୍ୟା ବାତ୍ୟା ଭଳି ପ୍ରାକୃତିକ ଦୃର୍ବିପାକ ସହ ଜୁଝି ହୋଇ ପଲିଥିନ ତଳେ ରହୁଛନ୍ତି ଏମାନେ । ତଥାପି ଗ୍ରାମବାସୀଙ୍କ ପାଖରେ ପହଞ୍ଚି ପାରିନି ସରକାରଙ୍କ ଆବାସ ଯୋଜନା ।
ପ୍ରଶାସନ ପକ୍ଷରୁ ପକ୍କା ଘର ଯୋଗାଇ ଦିଆଯିବ କହି ଦିନ ଗଡେଇ ଚାଲିଛନ୍ତି ବିଭାଗୀୟ ବାବୁ । ୨୦୨୧ ସୁଦ୍ଧା ସମସ୍ତ କଚ୍ଚା ଘର ପକା ଘରରେ ପରିଣତ ହେବ ବୋଲି ସରକାର ଘୋଷଣା କରିଥିବା ବେଳେ ରାଜନୈତିକ ଛକାପଂଝା ଯୋଗୁଁ ବେଣୀପୁର ଗାଁରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଲୋକେ ସରକାରୀ ସହାୟତାକୁ ଆଶା ନକରି ଭାଗ୍ୟକୁ ଆଦରି ପଡ଼ିରହିଥିବା କ୍ଷୋଭର ସହ କହିଛନ୍ତି । ଆଉ କେତେ ଦିନ ଏମିତି ଅସହ୍ୟ ଜାଡ଼ରେ କଷ୍ଟ ଭୋଗିବେ ଅଞ୍ଚଳବାସୀ । କେବେ ମିଳିବ ଆବାସ କି ବିଜୁ ପକ୍କା ଘର ଯୋଜନାରେ ପକା ଘର । ତାକୁ ଅପେକ୍ଷା କରିଛନ୍ତି ବେଣୀପୁର ଗାଁର ଶତାଧିକ ପରିବାର ।