କନକ ବ୍ୟୁରୋ: ଆବାସ ତାଲିକାକୁ ନେଇ ଗାଁ ଗାଁରେ ତେଜୁଛି ଅସନ୍ତୋଷ । ଫନି ବାତ୍ୟା ଯିବାର ୪ ବର୍ଷ ହେଲାଣି ହେଲେ ଏବେ ବି ଜରି ପାଲ ତଳେ ଜୀବନ କାଟୁଛନ୍ତି ବାସହରା । ଏବେ ପଞ୍ଚାୟତ କାର୍ଯ୍ୟାଳୟରେ ଲାଗିଥିବା ଆବାସ ତାଲିକାରେ ହିତାଧିକାରୀଙ୍କ ନାଁ ନଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଡେଲାଙ୍ଗ ବ୍ଲକ ସୁୁଜନପୁର ପଞ୍ଚାୟତର ବାସିନ୍ଦା । ତାଲିକାରେ ଚଞ୍ଚକତା କରାଯାଇଥିବା ନେଇ ଯୋଗ୍ୟ ହିତାଧିକାରୀମାନେ ଅଭିଯୋଗ କରିଛନ୍ତି ।

Advertisment

ଡେଲାଙ୍ଗ ବ୍ଲକ ସୁଜନପୁର ପଞ୍ଚାୟତର ୫ନମ୍ବର ୱାର୍ଡ଼ର ନୃସିଂହ ପଲେଇ, ସୁଜାତା ପହାନ୍ତସିଂ, ସୌଦାମିନୀ ପହାନ୍ତାସିଂ, ବନିତା ପଲେଇ ଭଳି ଅନେକ ହିତାଧିକାରୀ ଫନୀ ବାତ୍ୟାରେ ଘର ହରାଇ ପଲିଥିନ୍ ତଳେ ବିପଦ ସଙ୍କୁଳ ଅବସ୍ଥାରେ ରହିଛନ୍ତି । ଏମାନଙ୍କ ନାଁ ଆବାସ ତାଲିକାରେ ନଥିବାରୁ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ତେବେ ଏହି ୱାର୍ଡ଼ର ପାଖାପାଖି ୩୦ରୁ ଅଧିକ ଚାଳ ଓ ପଲିଥିନ୍ ଘର ଥିବା ବେଳେ ଏମାନେ ହିତାଧିକାରୀ ତାଲିକାରୁ ବାଦ୍ ପଡ଼ିଛନ୍ତି । ଆବାସ ତାଲିକାରୁ ବାଦ୍ ପଡ଼ିଥିବା ଶତାଧିକ ଲୋକ ବ୍ଲକ ଅଫିସ ଘେରାଉ କରିବା ସହ ୩ଦଫା ସମ୍ବଳିତ ଦାବିପତ୍ର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି । ସେହିପରି ସୁନ୍ଦରଗଡ ଜିଲ୍ଲା ସଦର ବ୍ଲକ କିରେଇ ପଚାଂୟତର ସୁରେଖା ସିଂ ୬ ବର୍ଷ ହେଲା ଆବାସ ଯୋଜନା ପାଇଁ ଆବେଦନ କରିଥିଲେ ମଧ୍ୟ ତାଙ୍କୁ ଘର ଖଣ୍ଡିଏ ମିଳିପାରିନାହିଁ ।