କନକ ବ୍ୟୁରୋ: ଦିଲ୍ଲୀ ଦରବାରରେ ଆବାସ ରାଜନୀତି । ଗରିବ, ଆଦିବାସୀଙ୍କ ଘରକୁ ନେଇ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂହଙ୍କୁ ଭେଟିଛନ୍ତି ବିଜେଡି ଓ ବିଜେପି ସାଂସଦ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶା ହିତାଧିକାରୀଙ୍କୁ ଘର ଯୋଗାଇ ଦେବାକୁ ଦାବି ହୋଇଛି । ପ୍ରାୟ ୧୫ ଲକ୍ଷ ଘର ଯୋଗାଇବାକୁ ବିଜେଡି ଦାବି ରଖିଥିବା ବେଳେ ଆବଣ୍ଟନରେ ସ୍ୱଚ୍ଛତା ଆଣିବା ପାଇଁ ରାଜ୍ୟକୁ ନିର୍ଦ୍ଦେଶ ଦେବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ଦାବି ପତ୍ର ଦେଇଛି ବିଜେପି ।

Advertisment

ଗରିବ, ଆଦିବାସୀଙ୍କୁ ଘର ନେଇ ଦିଲ୍ଲୀରେ ପହଞ୍ଚିଛି ରାଜନୀତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେଡି-ବିଜେପି । ଅଲଗା ଅଲଗା ଦାବି ଧରି କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଛନ୍ତି । ଡିସେମ୍ବର ୧୪ ତାରିଖରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇବାକୁ ବିଜେଡି ସାଂସଦ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ଦାବି କରିଥିଲେ । ଏହାର ଗୋଟିଏ ଦିନ ପରେ ଡିସେମ୍ବର ୧୬ ତାରିଖରେ ପ୍ରଧାନମନ୍ତ୍ରୀ ଆବାସରେ ଯୋଗ୍ୟ ହିତାଧିକାରୀ ଚୟନ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଦାବି ପତ୍ର ଦେଇଛନ୍ତି ବିଜେପି ସାଂସଦ ।

ତେବେ ବିଜେଡି ରଖିଥିବା ଯୁକ୍ତି ଅନୁସାରେ...

  • ୧୪.୮୫ ଲକ୍ଷ ଯୋଗ୍ୟ ହିତାଧିକାରୀଙ୍କୁ ଘର ଯୋଗାଉ କେନ୍ଦ୍ର
  • ଆୱାସ ପ୍ଲସ ୱେବସାଇଟକୁ ମାସେ ପାଇଁ ଖୋଲାଯାଉ
  • ରାଜ୍ୟ ଚିହ୍ନଟ କରିଥିବା ହିତାଧିକାରୀଙ୍କୁ ତାଲିକାରେ ସାମିଲ କରାଯାଉ
  • ଫନି ପ୍ରଭାବିତ ଓ କେବିକେ ଅଂଚଳର ଗରୀବ, ଆଦିବାସୀ ଏହା ଦ୍ୱାରା ଉପକୃତ ହେବେ

ହେଲେ ବିଜେଡିର ଏହି ଦାବି ଓ ମୁଖ୍ୟମନ୍ତ୍ରୀଙ୍କ ଚିଠିରେ ରାଜନୀତିର ଦୃଶ୍ୟପଟ୍ଟ ସାମ୍ନାକୁ ଆଣିଛି ବିଜେପି । ଦଳୀୟ ସାଂସଦ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି କହିଛନ୍ତି...

  • ପକ୍ଷପାତିତା ନ’କରି ଯୋଗ୍ୟ ହିତାଧିକାରୀ ଚୟନ କରି ବାସଗୃହ ବଂଟନ କରାଯାଉ
  • ପିଏମଏୱାଇ ଏବଂ ରାଜ୍ୟ ଯୋଜନାର ହିତାଧିକାରୀଙ୍କ ଡୁପ୍ଲିକେସନ୍ ନହେଉ
  • ସ୍ୱଛତାର ସହ ଆବାସ ପ୍ରଦାନ ପାଇଁ କେନ୍ଦ୍ର ରାଜ୍ୟକୁ ନିର୍ଦ୍ଦେଶ ଦେଉ

ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ରାଜ୍ୟରେ ରାଜନୀତି ଜୋର ଧରିଛି । କେନ୍ଦ୍ର ସରକାର ଓଡିଶା ପ୍ରତି ପାତନଅନ୍ତର କରୁଥିବା ଅଭିଯୋଗ ଆଣିଛି ବିଜେଡି । ବିଧାନସଭାର ଶୀତକାଳୀନ ଅଧିବେଶନରେ ବିଜେଡି ଏହି ପ୍ରସଙ୍ଗ ଉଠାଇ ପଦଯାତ୍ରାରେ ଯାଇ ସ୍ମାରକପତ୍ର ଦେଇଥିଲା । ଆଉ ଯୋଜନାରେ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣି ଚାଲିଛି ବିଜେପି । ଗରିବଙ୍କୁ ଘର ଯୋଗାଇବା ରାଜନୀତି ଆଜିର ନୁହେଁ । ପୂର୍ବରୁ କେନ୍ଦ୍ର ଯୋଜନାରେ ରାଜ୍ୟର ଷ୍ଟିକର୍ ନେଇ ଦୁଇ ଦଳ ମୁହାଁମୁହିଁ ହୋଇଥିଲେ । ପରେ ହିତାଧିକାରୀ ଚିହ୍ନଟରେ ଦୁର୍ନୀତି ନେଇ କେନ୍ଦ୍ରୀୟ ଟିମ୍ ଚିହ୍ନଟ କରିଥିଲା । ଆଉ ଏବେ ପଞ୍ଚାୟତ ନିର୍ବାଚନ ଆଗରୁ ଗାଁ ରାଜନୀତି ଜୋର ଧରିଥିବା ବେଳେ ଗରିବଙ୍କ ପାଇଁ କିଏ ପ୍ରକୃତରେ ଚିନ୍ତା କରୁଛି ତାକୁ ପ୍ରମାଣିତ କରିବାକୁ ଆରମ୍ଭ ହୋଇଛି ଘର ରାଜନୀତି ।