ରାଜ୍ୟରେ ଶୀତ ଲହରି ନେଇ ସତର୍କତା । ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

498

କନକ ବ୍ୟୁରୋ : ରାଜ୍ୟରେ ଶୀତ ଲହରି ନେଇ ସତର୍କତା ଜାରି କରାଯାଇଛି । ରାଜ୍ୟରେ ଡିସେମ୍ବର ୨୩ ଯାଏଁ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ପ୍ରବଳ ଶୀତ ଲହରି ଯୋଗୁଁ ସବୁ ଜିଲ୍ଲାପାଳଙ୍କୁ ଏସଆରସି ଚିଠି ଲେଖି ସତର୍କ କରାଇଛନ୍ତି ।

ଅନୁଗୁଳ, ଢେଙ୍କାନାଳ, ଝାରସୁଗୁଡା, ସୁନ୍ଦରଗଡ ଓ କଳାହାଣ୍ଡିରେ ପ୍ରବଳ ଶୀତ ଯୋଗୁଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ମୟୂରଭଞ୍ଜ, ବରଗଡ, ନବରଙ୍ଗପୁର, କନ୍ଧମାଳ, କୋରାପୁଟ, ସୋନପୁର, ବୌଦ୍ଧ, ଦେବଗଡ ଓ କଟକରେ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ସେହିପରି ଡିସେମ୍ବର ୨୪ ଯାଏଁ ୩ ଜିଲ୍ଲା ଅନୁଗୁଳ, ଝାରସୁଗୁଡା ଓ କଳାହାଣ୍ଡିରେ ପ୍ରବଳ ଶୀତ ଅନୁଭୂତ ହେବ । ତେଣୁ ଏଠାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଏହାସହ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ଅନ୍ୟପକ୍ଷରେ ଶୀତ ଲହରୀକୁ ଦୃଷ୍ଟିରେ ରଖି ଏସଆରସି ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି । ରାତିରେ ବାସହୀନଙ୍କ ପାଇଁ ସ୍କୁଲ ଘରର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଏହି ବ୍ୟବସ୍ଥା କରିବାକୁ କୁହାଯାଇଛି । ଏହାସହ ଶୀତ ଲହରୀ ନେଇ ଲୋକଙ୍କୁ ସତର୍କ କରିବାକୁ ଚିଠିରେ କୁହାଯାଇଛି ।

ଆବଶ୍ୟକ ନଥିଲେ ରାତିରେ ଘରୁ ନବାହାରିବାକୁ ଓ ରାତିରେ ଦୁଇ ଚକିଆ ଯାନ ଯାତ୍ରାରୁ ବିରତ ରହିବାକୁ ପରାମର୍ଶ ଦିଆଯାଇଛି । ଶୀତ ଦୂର ପାଇଁ ନିଆଁ ଜାଳୁଥିଲେ ସୁରକ୍ଷା ଦିଗ ପ୍ରତି ଧ୍ୟାନ ଦେବାକୁ ମଧ୍ୟ କୁହାଯାଇଛି ।