କେମିତି ହାରିବ କରୋନା ? ମହାମାରୀ ସହ ଲଢି କେମିତି ଜିତିବା କରୋନା ଯୁଦ୍ଧ ? କାନ୍ଥରେ କରୋନା ଚିତ୍ର ଆଙ୍କି ସଚେତନତାର ବାଟ ଦେଖାଇଲା ବିଏମସି । ଦୈନନ୍ଦୀନ ଜୀବନରେ ମାସ୍କ, ହାଣ୍ଡୱାସ୍ ଓ ସାମାଜିକ ଦୂରତାକୁ କରନ୍ତୁ ସାଥୀ । ନହେଲେ ମୁସ୍କିଲ ହେବ କରୋନା କବଜାରୁ ବର୍ତ୍ତିବା…

996

କନକ ବ୍ୟୁରୋ: କରୋନା ପାଇଁ କାନ୍ଥରେ ଚିତ୍ର । ସଂକ୍ରମଣ ପାଇଁ ସଚେତନତାର ବାର୍ତ୍ତା । ମାସ୍କ ପିନ୍ଧନ୍ତୁ, ହାତ ଧୁଅନ୍ତୁ ଆଉ ସାମାଜିକ ଦୂରତା ବଜାୟ ରଖନ୍ତୁ । ମହାମାରୀ ମୁକାବିଲା ପାଇଁ ଏସବୁକୁ ଅଭ୍ୟସ୍ତ କଲେ ଆପଣ ଜିତି ପାରିବେ କରୋନା ଯୁଦ୍ଧ । ଦିନକୁ ଦିନ କରୋନା କାୟା ମେଲାଇ ଚାଲିଥିବା ବେଳେ ଭୁବନେଶ୍ୱରରେ ଭୟଙ୍କର ଭାବେ ମାଡିଚାଲିଛି ଭୂତାଣୁ । ଆଉ ଠିକ ଏତିକି ବେଳେ କରୋନା କବଳରୁ ବର୍ତ୍ତିବାକୁ ବିଏମସି ଦେଖାଇଛି ବାଟ, କାନ୍ଥରେ ଆଙ୍କିଛି କରୋନା କବଚ ।

ସଙ୍କଟ ସମୟରେ କେମିତି ଆମେ ସତର୍କ ରହିବା ? ନିଜେ ସଚେତନ ରହିବା ସହ ଅନ୍ୟକୁ କେମିତି ସଚେତନ କରାଇବା? ଆଉ କରୋନାର ସବୁ ନିୟମ ମାନି ଚଳିବା ? ସେସମସ୍ତ କଥାକୁ ଚିତ୍ର ମାଧ୍ୟରେ ଦର୍ଶାଯାଇଛି । ଘରୁ ବାହାରିଲେ ମୁହଁରେ ମାସ୍କ ବ୍ୟବହାର କରିବା, ଗହଳି ସ୍ଥାନକୁ ନଯିବା ଏବଂ ବଜାର ଅଞ୍ଚଳରେ କେମିତି ସମାଜିକ ଦୂରତା ମାନି ଚଳିବା ସେଥିପାଇଁ ସହର ସାରା ସଚେତନତାର ଚିତ୍ର ଅଙ୍କା ଯାଇଛି ।

ଭୁବନେଶ୍ୱରର ପ୍ରମୁଖ ଛକ ସହ ଥାନା ଆଗରେ କରୋନା ପାଇଁ ବିଭିନ୍ନ ଚିତ୍ର ଆଙ୍କି ସହରବାସୀଙ୍କୁ ସତର୍କ କରାଯାଇଛି । ବଡ ବଡ ମାର୍କେଟ କିମ୍ବା ପୁଟପାଥରେ ପରିବା ବିକ୍ରି କରୁଥିବା ଲୋକ, କିମ୍ବା କିଣୁଥିବା ଲୋକ କେମିତି ସାମାଜିକ ଦୂରତା ରଖି ସାମଗ୍ରୀ କିଣିବେ ? ଉଭୟ କ୍ରେତାବିକ୍ରେତା ମୁହଁରେ ମାସ୍କ ରଖିବେ ସେଥିୁପ୍ରତି ଧ୍ୟାନ ଦେବାକୁ ଏହି ଚିତ୍ର ମାଧ୍ୟମରେ ସନ୍ଦେସ ଦିଆଯାଇଛି ।

ଖାଲି ଭୁବନେଶ୍ୱରରେ ନୁହେଁ କଟକ ମହାନଗର ନିଗମ ପକ୍ଷରୁ ମଧ୍ୟ ଚିତ୍ରକଳା ମାଧ୍ୟମରେ କାନ୍ଥରେ ଚିତ୍ର ଆଙ୍କି ସଚେତନ କରାଯାଇଛି । ତେବେ କରୋନା କଟକଣା ସତ୍ୱେ ଅନେକ ଲୋକ ଅମାନିଆ ହେଉଛନ୍ତି । ନିଜ ସୁରକ୍ଷା ପାଇଁ ନୁହେଁ ବରଂ ପୋଲିସ ଡରରେ ମାସ୍କ ପିନ୍ଧି ଫାଙ୍କା ଜାଗାରେ ପୁଣି ଓହ୍ଲାଇ ଦେଉଛନ୍ତି । ତେଣୁ ସେମାନଙ୍କୁ ବାଟକୁ ଆଣିବାକୁ ବିଏମସି ପକ୍ଷରୁ ଚିତ୍ରକଳା ମାଧ୍ୟରେ ଚେତାବନୀ ଦିଆଯାଇଛି । ଯଦି ନିଜ ଦୈନନ୍ଦୀନ ଜୀବନରେ ଆପଣ ଏ ସମସ୍ତ ନିୟମ ନମାନିବେ ତେବେ କରୋନାକୁ ନିଜ ଜୀବନ ବଞ୍ଚାଇବା ମୁସ୍କିଲ ହୋଇଯିବ । ତେଣୁ ନିୟମ ମାନନ୍ତୁ, ସୁରକ୍ଷିତ ରୁହନ୍ତୁ ।