କନକ ବ୍ୟୁରୋ : ପଂଚାୟତ ଭୋଟ୍ ପୂର୍ବରୁ ଅନ୍ଧାରୀ ବିଜେକୁ ରୋକିଲେ ଗାଁ ଲୋକ । କାଳେ କେହି ରାତି ଅଧରେ ଆସି ଭୋଟରଙ୍କୁ ଟଙ୍କା ବାଂଟି ପ୍ରଭାବିତ କରିବ । ସେହି ଆଶଙ୍କାରେ ଲୋକ ରାତି ଅନିଦ୍ରା । କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ ଜଗୁଲେଇପଦା ଗାଁରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।

Advertisment

ରାତି ଅନିଦ୍ରା ହୋଇ ହାତରେ ଠେଙ୍ଗା ବାଡି ଧରି ଗାଁର କିଛି ସଚେତନ ଯୁବକ ଗାଁ ମୁଣ୍ଡରେ ଜରି ରହିଛନ୍ତି । ନିର୍ବାଚନ ପ୍ରଚାର ଶେଷ ହେବା ପରେ ଏକ ପ୍ରକାର ଗାଁକୁ ସିଲ କରି ରଖିଛନ୍ତି ଲୋକ । ପଂଚାୟତ ନିର୍ବାଚନ ନିରପେକ୍ଷ ଓ ଅବାଧ ହେଉ ବୋଲି ଏମାନେ ଦାବି କରିଛନ୍ତି । ପୋଲିସ ଆସି ଗାଁ ଲୋକଙ୍କୁ ଦେଖିବା ପରେ ସେଠାରୁ ଫେରି ଯାଇଛି । ଭୋଟ୍ ପୂର୍ବରୁ ନେତାମାନେ ଗାଁକୁ ଆସି ଶେଷ ମୁହୂର୍ତରେ ଟଙ୍କା, ମଦ କିମ୍ବା ଅନ୍ୟକିଛି ଉକ୍ରୋଚ ଦେଇ ପ୍ରଭାବିତ କରିବାର ଆଶଙ୍କା କରି ଏଭଳି ପଦକ୍ଷେପ ନେଇଛନ୍ତି ।

ସୋମବାର ରାତିରୁ ଅନ୍ଧାରୀ ବିଜେ ଆରମ୍ଭ ହୋଇଛି । ଯେଉଁଠି ଭୋଟର ଅନ୍ୟ ପ୍ରାର୍ଥୀଙ୍କ ଆଡ଼କୁ ଢଳିବାର ଆଶଙ୍କା ଅଛି ବା ଦ୍ବନ୍ଦ୍ବରେ ଅଛନ୍ତି ସେହିଭଳି ଭୋଟରଙ୍କୁ ପ୍ରାର୍ଥୀ ଟାର୍ଗେଟ୍ କରିଛନ୍ତି । କାହାକୁ ହାତଗୁଞ୍ଜା ତ କାହାକୁ ସଉଦା ଦିଆଯାଉଛି । ଭୋଟରଙ୍କୁ ସିଧାସଳଖ ପଚରାଯାଉଛି କ’ଣ ଚାହୁଁଛନ୍ତି । ସଙ୍ଗେସଙ୍ଗେ ତାହା ଘରେ ପହଞ୍ଚାଇବା ବ୍ୟବସ୍ଥା ବି କରାଯାଉଛି । ଗାଁ ଗାଁର ଯୁବ ଭୋଟରଙ୍କ ପାଇଁ କ୍ଲବ ଘରେ ଭୋଜି ସାଙ୍ଗକୁ ମଦମାଂସର ବି ଆସର କରାଯାଉଛି । କୌଣସି ପରିସ୍ଥିତିରେ ଯେପରି ଭୋଟର ଖସିବେନି ସେ ବ୍ୟବସ୍ଥା ପ୍ରାର୍ଥୀ କରିଛନ୍ତି । ଯେପରି ଭୋଟରଙ୍କୁ ହାତଗୁଞ୍ଜା, ମନ ପସନ୍ଦର ଜିନିଷ ଦେଲା ପରେ ବି ଯେପରି ଅନ୍ୟ କାହାକୁ ଭୋଟ୍ ଦେବେନି ସେଥିପାଇଁ ପ୍ରତିଶ୍ରୁତି ନେଉଛନ୍ତି ।

ଏଥିପାଇଁ କିଏ ଜଗନ୍ନାଥଙ୍କ ମହାପ୍ରସାଦ ତ କିଏ ଗାଁ ଠାକୁରଙ୍କ ପାଦୁକ ଛୁଆଁଇ ଶପଥ କରାଉଛନ୍ତି । ବୁଧବାର ସକାଳ ସୁଦ୍ଧା ଯେତେ ଅଧିକ ଭୋଟରଙ୍କୁ ଶପଥ କରାଇପାରିବେ ସେଥିରେ ପ୍ରାର୍ଥୀ ଓ ତାଙ୍କ ଅନୁଗତମାନେ ମାତିଛନ୍ତି । କିଛି ସ୍ଥାନରେ ଭୋଟର ବି ସହଜରେ ବିକ୍ରି ହେଉନାହାନ୍ତି । ପ୍ରାର୍ଥୀ ଆସିଲେ କିଏ କ’ଣ ଦେବ ସେନେଇ ମୂଲଚାଲ କରୁଛନ୍ତି । ୫ବର୍ଷ ପାଇଁ ଶାସନ କରିବ ମାନେ ଆମକୁ ସେହିଭଳି ଜିନିଷ ‌ଦିଅ ବୋଲି ଖୋଲାଖୋଲି କହୁଛନ୍ତି । କିଛି କିଛି ଗାଁରେ ପ୍ରାର୍ଥୀଙ୍କ ଠାରୁ ମନ୍ଦିର, କ୍ଲବ ଘର, କୋଠ ଘର, ଗାଁ ପୋଖରୀ ଆଦି ପାଇଁ ମୋଟା ଅଙ୍କର ଚାନ୍ଦା ବି ଆଦାୟ କରୁଛନ୍ତି। ବଦଳରେ ପୂରା ଗାଁର ଭୋଟ୍‌ ଦେବେ ବୋଲି ପ୍ରତିଶ୍ରୁତି ଦେଉଛନ୍ତି ।