ରାଜ୍ୟ ସରକାରଙ୍କ ଦ୍ୱାରା ପୁରସ୍କୃତ କର୍ମଚାରୀ ନିଲମ୍ବିତ : କୋଭିଡ୍ ବେଳେ ନିଜ ଦରମା ଟଙ୍କା ରେଡକ୍ରସ ପାଣ୍ଠିକୁ ପ୍ରଦାନ କରି ହୋଇଥିଲେ ପୁରସ୍କୃତ

197

କନକ ବ୍ୟୁରୋ : ରାଜ୍ୟ ସରକାରଙ୍କ ଦ୍ୱାରା ପୁରସ୍କୃତ ହୋଇଥିବା କର୍ମଚାରୀ ନିଲମ୍ବିତ । କୋଭିଡ୍ ବେଳେ ନିଜ ଦରମା ଟଙ୍କା ରେଡକ୍ରସ ପାଣ୍ଠିକୁ ପ୍ରଦାନ କରି ପୁରସ୍କୃତ ହୋଇଥିଲେ ଭାରତୀ ସିଂହ । ଏବେ କିନ୍ତୁ ସେ ଚାକିରି ହରାଇଛନ୍ତି । ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକର ଆଦିବାସୀ ମହିଳା ଭାରତୀ ସିଂ ୧୧ ତାରିଖରେ ଭୁବନେଶ୍ୱରରେ ସ୍ୱୟଂ ସହାୟିକା ମହିଳା ରାଲି କରୁଥିଲେ । ଏହି ସମୟରେ ସେ ଗଣମାଧ୍ୟମ ସାମ୍ନାରେ ନିଜର ଦାବି ରଖିଥିଲେ । ସ୍ଥାୟୀ ଚାକିରି ସହ ଦରମା ଦାବି କରିବାକୁ ଆସି ସରକାର ତାଙ୍କ ଗୁହାରୀ ଶୁଣନ୍ତୁ ବୋଲି ଦାବି କରିଥିଲେ ।

ଏହାପରେ ସୋଶିଆଲ ମିଡିଆରେ ଭାରତୀଙ୍କ ପ୍ରତିକ୍ରିୟାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଆଉ ଭାରତୀ ଭୁବନେଶ୍ୱରରୁ ଯାଇ ନିଜ ଘର ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ତାଙ୍କୁ ନିଲମ୍ବନ ଚିଠି ଧରାଇ ଦେଇଛି । ଏବେ ସେ ଜିଲ୍ଲାପାଳଙ୍କୁ ଭେଟି ନିଲମ୍ବନ ନିର୍ଦ୍ଦେଶର ପୁର୍ନବିଚାର କରିବାକୁ ଦାବି କରିଛନ୍ତି । ଯଦି ଦାବି ନଶୁଣାଯିବ ତାହେଲେ ସେ କୋର୍ଟର ଆଶ୍ରୟ ନେବେ ବୋଲି କହିଛନ୍ତି ଏହି ଆଦିବାସୀ ମହିଳା । ଭାରତୀ ନିଜ କାମ ପାଇଁ ବ୍ଲକ ସ୍ତରରେ ଓ ଜିଲ୍ଲା ସ୍ତରରେ ପୁରସ୍କୃତ ହୋଇଛନ୍ତି ।