କନକ ବ୍ୟୁରୋ: ଆବାସକୁ ନେଇ ବିଭିନ୍ନ ସମୟରେ ବିବାଦ ଦେଖିବାକୁ ମିଳୁଥିବା ବେଳେ ବିଧାନସଭାରେ ଏନେଇ ବିବୃତ୍ତି ରଖିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ । ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ଗତ ୨୨ ବର୍ଷରେ ୪୪ ଲକ୍ଷ ୯୯ ହଜାର ପରିବାରଙ୍କୁ ପକ୍କାଘର ଯୋଗାଇ ଦିଆଯାଇଛି ବୋଲି ସେ କହିଛନ୍ତି । ତେବେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନରେ ଏଭଳି ଉତ୍ତର ରଖିଛନ୍ତି ମନ୍ତ୍ରୀ ପ୍ରଦୀପ ଅମାତ । ମନ୍ତ୍ରୀ କହିଛନ୍ତି, କେନ୍ଦ୍ର ସରକାର ମଞ୍ଜୁର କରିଥିବା ୯ଲକ୍ଷ ୫୯ହଜାର ପ୍ରଧାନମନ୍ତ୍ରୀ ଆବାସ ଗୃହ ପରେ ୨୦୧୯ ମସିହା ମାର୍ଚ୍ଚ ୭ ତାରିଖ ପୂର୍ବରୁ ଚିହ୍ନିତ ପରିବାରଙ୍କ ମଧ୍ୟରୁ ୧ଲକ୍ଷ ୩୦ହଜାର ୮୭୩ ପରିବାର ଆବାସ ପ୍ଲସ ତାଲିକାରେ ଯୋଗ୍ୟ ବିବେଚିତ ହୋଇଛନ୍ତି । ୨୦୨୨ରେ ପକ୍କା ଘର ପାଇଁ ପିଭିଟିଜି ପରିବାର ଓ ସ୍ୱାଭିମାନ ଅଞ୍ଚଳରେ ବାସ କରୁଥିବା ଯୋଗ୍ୟ ପରିବାରଙ୍କ ସର୍ଭେ କରାଯାଇଥିଲା ।