କନକ ବ୍ୟୁରୋ : କେନ୍ଦ୍ର ସରକାର କୋଭିଡ୍-୧୯ ଚିକିତ୍ସା ପାଇଁ ଏକ ସଂଶୋଧିତ କ୍ଳିନିକାଲ ଗାଇଡ୍‌ଲାଇନ୍ ଜାରି କରିଛନ୍ତି । ଯେଉଁଥିରେ ରୋଗୀଙ୍କୁ ଷ୍ଟେରଏଡ୍‌ ନ ଦେବା ପାଇଁ ଡାକ୍ତରମାନଙ୍କୁ ପରାମର୍ଶ ଦିଆଯାଇଛି । କିନ୍ତୁ ୫ ଦିନରୁ ଅଧିକ କାଶ ଲାଗି ରହିଲେ ଟିବି ପରୀକ୍ଷା କରାଇବା ପାଇଁ କୁହାଯାଇଛି । କୋଭିଡ୍ ଦ୍ବିତୀୟ ଲହରରେ ଷ୍ଟେରଏଡ୍‌ର ମାତ୍ରାଧିକ ବ୍ୟବହାର କରାଯାଇଥିବାରୁ ଟାସ୍କ ଫୋର୍ସ ମୁଖ୍ୟ ଦୁଃଖ ପ୍ରକାଶ କରିବାର କିଛିଦିନ ପରେ ସରକାରଙ୍କ ପକ୍ଷରୁ ଡାକ୍ତରମାନଙ୍କ ଲାଗି ଏହି ମାର୍ଗଦର୍ଶିକା ଜାରି କରାଯାଇଛି ।

Advertisment

ସଂଶୋଧିତ ଗାଇଡ୍‌ଲାଇନ୍‌ରେ କୁହାଯାଇଛି ଯେ, ଷ୍ଟେରଏଡ୍ ଦେଲେ ବ୍ଲାକ୍ ଫଙ୍ଗସ୍ ପରି ସଂକ୍ରମଣ ହୋଇପାରେ । ବିଶେଷତଃ ଷ୍ଟେରଏଡ୍‌ର ସଅଳ ବ୍ୟବହାର, ଉଚ୍ଚତର ଡୋଜ୍‌ ଦେବା ବା ଦୀର୍ଘ ସମୟ ପାଇଁ ଏହାର ବ୍ୟବହାର ଦ୍ବାରା ଏପରି ସମସ୍ୟା ସୃଷ୍ଟି ହୋଇଥାଏ । କିନ୍ତୁ ଦୁଇ ବା ତିନି ସପ୍ତାହ ଯାଏ ଯଦି କାଶ ଲାଗିରହେ ତେବେ ଯକ୍ଷ୍ମା ଓ ରୋଗୀର ଅନ୍ୟାନ୍ୟ ଅବସ୍ଥାର ପରୀକ୍ଷା କରାଇବା ଦରକାର ବୋଲି ମାର୍ଗଦର୍ଶିକାରେ କୁହାଯାଇଛି। ଗତ ସପ୍ତାହରେ ଏକ ସାମ୍ବାଦିକ ସମ୍ମିଳନୀରେ ନୀତି ଆୟୋଗ ସଦସ୍ୟ  ତଥା କୋଭିଡ୍ ଟାସ୍କ ଫୋର୍ସ ମୁଖ୍ୟ ଡ. ଭିକେ ପଲ ଷ୍ଟେରଏଡ୍‌ର ମାତ୍ରାଧିକ ବ୍ୟବହାର ଓ ଅପବ୍ୟବହାର ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ ।

ଯେଉଁମାନେ ମୃଦୁ କୋଭିଡ୍‌ରେ ଆକ୍ରାନ୍ତ ନିଃଶ୍ବାସ-ପ୍ରଶ୍ବାସରେ କଷ୍ଟ ନ ଥିବା ରୋଗୀ, ସେମାନଙ୍କୁ ଡାକ୍ତରଖାନାରେ ଆଡ୍‌ମିସନ ନେବା ବଦଳରେ ନିଜ ଘରେ ଆଇସୋଲେସନରେ ରହିବା ପାଇଁ ପରାମର୍ଶ ଦିଆଯାଇଛି। କିନ୍ତୁ ଯଦି ନିଃଶ୍ବାସ-ପ୍ରଶ୍ବାସରେ କଷ୍ଟ ହୁଏ, ଉଚ୍ଚ ତାପମାତ୍ରାର ଜ୍ବର ହୁଏ ବା ୫ରୁ ଅଧିକ ଦିନ ଯାଏ କାଶ ଲାଗି ରହେ, ତେବେ ଡାକ୍ତରଖାନା ଯିବାକୁ କୁହାଯାଇଛି। ଯେଉଁମାନଙ୍କର ଅମ୍ଳଜାନ ସ୍ତର ୯୦ରୁ ୯୩ ଭିତରେ ହ୍ରାସବୃଦ୍ଧି ଘଟୁଥାଏ ଓ ଅଣନିଃଶ୍ବାସୀ ଲାଗୁଥାଏ, ସେମାନେ ମଧ୍ୟମ ସ୍ତରର କୋଭିଡ୍‌ ରୋଗୀ। ସେମାନେ ହସ୍ପିଟାଲରେ ଆଡ୍‌ମିସନ ନେବା ଓ ତାଙ୍କଠାରେ ଅମ୍ଳଜାନ ଲଗାଯିବା ଦରକାର। ଯେଉଁମାନଙ୍କର ଅମ୍ଳଜାନ ସ୍ତର ୯୦ ତଳକୁ ରହୁଛି ଓ ନିଃଶ୍ବାସ-ପ୍ରଶ୍ବାସ ନେବାରେ ଭୀଷଣ କଷ୍ଟ ହେଉଛି ସେମାନେ ସାଂଘାତିକ ସ୍ତରର କୋଭିଡ୍ ରୋଗୀ। ସେମାନଙ୍କୁ ତୁରନ୍ତ ଡାକ୍ତରଖାନା ନେଇ ଆଇସିୟୁରେ ଅମ୍ଳଜାନ ଦେଇ ଭର୍ତ୍ତି କରାଯିବା ଦରକାର ବୋଲି ମାର୍ଗଦର୍ଶିକାରେ କୁହାଯାଇଛି।