ବଢୁଛି ଇରାକ୍, ଇରାନ୍ ଓ ଆମେରିକା ମଧ୍ୟରେ ତିକ୍ତତା। ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଭିତରେ ଭାରତୀୟଙ୍କୁ ଇରାକ୍ ନଯିବାକୁ ପରାମର୍ଶ। ଆକାଶ ପଥକୁ ବ୍ୟବହାର ନକରିବାକୁ ଏୟାରଲାଇନ୍ସ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ

255

କନକ ବ୍ୟୁରୋ: ଆମେରିକା ଓ ଇରାକ-ଇରାନ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି । ଏହି ଦେଶ ଗୁଡିକ ମଧ୍ୟରେ ଶତ୍ରୁତା ବା ବିବାଦ ବହୁ ପୁରୁଣା ହୋଇଥିଲେ ମଧ୍ୟ ଇରାନୀ କମାଣ୍ଡର ସୁଲେମାନୀଙ୍କୁ ହତ୍ୟା ପରେ ବିବାଦ ଆହୁରି ଉଗ୍ର ହେବାରେ ଲାଗିଛି । ଉଭୟ ଦେଶ ପରସ୍ପରକୁ ଟାର୍ଗେଟ କରୁଛନ୍ତି । କେତେବେଳେ ଇରାନ ଓ ଇରାକ ଉପରେ ଆମେରିକୀୟ ସେନା ଆକ୍ରମଣ କରୁଛନ୍ତି ତ କେତେବେଳେ ଇରାନ ପକ୍ଷରୁ ଆମେରିକା ଦୂତାବାସ ଉପରେ ଆକ୍ରମଣ ହେଉଛି । ସେପଟେ ଏହାରି ଭିତରେ ଆଜି ଆଉ ଏକ ଖବର ଗଣମାଧ୍ୟମର ସିରୋନାମା ପାଲଟିଛି ।

ଇରାନ ଦାବି କରିଛି ଆମେରିକାର ସେନା କ୍ୟାମ୍ପ ଉପରେ ଇରାନ ପକ୍ଷରୁ ଆକ୍ରମଣ କରାଯାଇଛି । ଯେଉଁଥିରେ ୨୦ ଜଣ ଯବାନଙ୍କ ସମେତ ୮୦ ଜଣ ପ୍ରାଣ ହରାଇଥିବା ଦାବି କରିଛି ଇରାନ । ଇରାନୀ ମିଡିଆ ପକ୍ଷରୁ ମଧ୍ୟ ଏହା ଦାବି କରାଯାଉଛି । ଇରାନୀ ସୈନ୍ୟ କମାଣ୍ଡର କାସିମ ସୁଲେମାନୀଙ୍କ ହତ୍ୟା ପରେ ମଙ୍ଗଳବାର ବିଳମ୍ବିତ ରାତିରେ ଇରାନ ସ୍ଥିତ ଆମେରିକା ସେନା କ୍ୟାମ୍ପ ଉପରେ ବାଲାଷ୍ଟିକ ମିସାଇଲ ମାଡ କରିଛି ଇରାନ । ଏନେଇ ଇରାନୀ ମିଡିଆ ପକ୍ଷରୁ ଖବର ପ୍ରକାଶ ପାଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟୁଇଟ କରି କହିଛନ୍ତି କ୍ଷୟକ୍ଷତିର ଆକଳନ ଚାଲିଛି । ଆସନ୍ତାକାଲି ଭିତରେ ଆମେରିକା ତାର ଷ୍ଟେଟମେଂଟ ଜାରି କରିବ ବୋଲି କୁହାଯାଉଛି ।

ଅନ୍ୟପଟେ, ଇରାକରେ ରହୁଥିବା ଭାରତୀୟ ନାଗରିକଙ୍କୁ ଆଡଭାଇଜାରୀ କଲା ଭାରତ । ଆମେରିକା ଓ ଇରାନ ମଧ୍ୟରେ ଲାଗିରହିଥିବା ତିକ୍ତତାକୁ ନେଇ ଆଡଭାଇଜରୀ ଜାରି କରିଛି ବିଦେଶ ମନ୍ତ୍ରାଳୟ । ମଧ୍ୟପ୍ରାଚ୍ୟ ଉତ୍ତେଜନା ଭିତରେ ଭାରତୀୟଙ୍କୁ ଇରାକ ନଯିବାକୁ ପରାମର୍ଶ ଦିଆଯାଇଛି । ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସତର୍କ ସୂଚନାରେ କୁହାଯାଇଛି ଯେ, ଆସନ୍ତା ଅଧିସୂଚନା ପର୍ଯ୍ୟନ୍ତ ଇରାକରେ ଅତ୍ୟାବଶ୍ୟକ ନହେଲେ ଯାତ୍ରା ନକରିବା ପାଇଁ ଉପଦେଶ ଦିଆଯାଇଛି । ସେପଟେ ମଧ୍ୟପ୍ରାଚ୍ୟର ଆକଶ ପଥକୁ ବ୍ୟବହାର ନକରିବାକୁ ଏୟାରଲାଇନ୍ସ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହା ବ୍ୟତୀତ ଭାରତୀୟ ଦୂତବାସ ଓ ଏରବିଲ ସ୍ଥିତ କନ୍ସ୍ୟୁଲେଟ ଇରାକରେ ରହୁଥିବା ଭାରତୀୟଙ୍କୁ ସମସ୍ତ ସେବା ପ୍ରଦାନ କରିବା ପାଇଁ ସାମାନ୍ୟ ରୂପରେ କାମ କରିବ ବୋଲି ସୂଚନା ଦିଆଯାଇଛି ।