ରାଜ୍ୟରେ ପୁଣି ବର୍ଷା ସମ୍ଭାବନା : ୧୮ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

530

କନକ ବ୍ୟୁରୋ : ରାଜ୍ୟରେ ପୁଣି ବର୍ଷା ସମ୍ଭାବନା । ଏ ନେଇ ୧୮ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ରାଜସ୍ଥାନ ଦେଇ ମୌସୁମୀ ବାୟୁ ଭୂଭାଗରୁ ବିଦାୟ ନେବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି । ଆସନ୍ତା ୬ରୁ ମୌସୁମୀ ଅପସାରଣ ନେଇ ପାଣିପାଗ ଅନୁକୂଳ ହେବାର ଲାଗିଛି । ଉତ୍ତର ପଟୁ ପବନ ବୋହିବା ଆରମ୍ଭ ହୋଇଥିବା ବେଳେ ବାୟୁମଣ୍ଡଳରେ ଜଳୀୟବାଷ୍ପ ଓ ଜଳକଣା କମିବାରେ ଲାଗିଛି । ଫଳରେ ଆଗାମୀ ଦିନରେ ବର୍ଷା ପରିମାଣ ହ୍ରାସ ପାଇବ । ଆସନ୍ତା ୫ତାରିଖରେ ବାୟୁମଣ୍ଡଳର ଉପରସ୍ତରରେ ଏକ ଗୁରୁଚାପ ବଳୟ ସକ୍ରିୟ ହେବାର ଅଛି । ଗୁରୁଚାପ ବଳୟ ସକ୍ରିୟ ହେବା ପରେ ମୌସୁମୀ ଅପସାରଣ ପାଇଁ ବାଟ ଫିଟିବ ବୋଲି ପାଣିପାଗର ଏକ ଆଂଶିକ ମଡେଲରୁ ଜଣାପଡିଛି ।

ନିକଟରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ବର୍ତ୍ତମାନ ବିହାର ଓ ତାର ନିକଟବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି । ଅବଶ୍ୟ ସମ୍ପୃକ୍ତ ଲଘୁଚାପର ପ୍ରଭାବ ଓଡିଶା ଉପରେ ନାହିଁ । କିନ୍ତୁ ଉକ୍ତ ଲଘୁଚାପ କ୍ଷେତ୍ରରୁ ଏକ ନିମ୍ନଚାପରେଖା ବାହାରି ଆଭ୍ୟନ୍ତରୀଣ ଓଡିଶା ଦେଇ ଝାଡଖଣ୍ଡ ପର୍ଯ୍ୟାପ୍ତ ପରିବ୍ୟାପ୍ତ ରହିଛି । ଯାହା ପ୍ରଭାବରେ ଆଜି ଓଡିଶା ଉପକୂଳବର୍ତ୍ତୀ ୧୮ଜିଲ୍ଲାରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡା, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ ଓ ଢେଙ୍କାନାଳ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।