କେଦାରନାଥ ଧାମରେ ଦେଖିବାକୁ ମିଳିଲା ହିମସ୍ଖଳନର ଭୟଙ୍କର ଦୃଶ୍ୟ । ମନ୍ଦିରର ପଛ ପର୍ବତରୁ ଉପରୁ ଧସିଲା ବରଫ ।

360

କନକ ବ୍ୟୁରୋ : ଭୁସ୍ଖଳନ ପାଇଁ କେଦାରନାଥ ଯାତ୍ରାରେ ରୋକ ଲାଗିଛି । ପ୍ରବଳ ବର୍ଷା କାରଣରୁ ଉତ୍ତରାଖଣ୍ଡର ବିଭିନ୍ନ ସ୍ଥାନରେ ଏବେ ପାହାଡ ଧଶିବା ଆରମ୍ଭ ହୋଇଛି । ଆଉ ଗୁରୁବାର ମଧ୍ୟ ଉତ୍ତରାଖଣ୍ଡର କେଦାରନାଥ ପୀଠରେ କିଛି ସେମିତି ଦେଖିବାକୁ ମିଳିଛି । ଗୁରୁବାର ସନ୍ଧ୍ୟାରେ କେଦାରନାଥ ପୀଠରେ ହିମସ୍ଖଳନ ହୋଇଛି । ଭାଇରାଲ ହେଉଥିବା ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ମନ୍ଦିର ପଛ ପାଶ୍ୱର୍ରେ ଥିବା ପାହାଡ ଉପରୁ ବରଫଖଣ୍ଡ ଖସିଛି । ଯେଉଁଠାରେ ହିମସ୍ଖଳନ ହୋଇଛି ତାହା କେଦାରନାଥ ପୀଠର ପରିସର ଠାରୁ ୫ କିଲୋମିଟର ମଧ୍ୟରେ ଅବସ୍ଥିତ । ତେବେ ଏହି ହିମସ୍ଖଳନ ଯୋଗୁଁ କୌଣସି ଜୀବନହାନି ହୋଇନାହିଁ । ପୂରା ସ୍ଥିତି ଉପରେ ସ୍ଥାନୀୟ ଅଧିକାରୀ ନଜର ରଖିଥିବା ବେଳେ ଯେପରି କୌଣସି ଅଘଟଣ ନଘଟେ ସେଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଇଏ ସେହି ବରଫାଚ୍ଛନ୍ନ ଅଞ୍ଚଳ ଯାହାପାଇଁ ୨୦୧୩ ମସିହାରେ ଉତ୍ତରାଖଣ୍ଡରେ ପ୍ରଳୟଙ୍କାରୀ ବନ୍ୟା ଦେଖାଦେଇଥିଲା । ଜୁନ୍ ୨୦୧୩ରେ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ହୋଇଥିଲା, ଯାହାଦ୍ୱାରା ଚୋରାୱାଡିରେ ଥିବା ଗ୍ଲାସିୟର ତରଳିବା ସହ ମନ୍ଦାକନୀ ନଦୀର ଜଳସ୍ତର ଯଥେଷ୍ଟ ଅଧିକ ବଢାଇ ଦେଇଥିଲା । ଯାହାଦ୍ୱାରା ଉତ୍ତରାଖଣ୍ଡରେ ପ୍ରଳୟଙ୍କାରୀ ବନ୍ୟା ଆସିଥିଲା । ଖାସକରି କେଦାରନାଥ ପାଶ୍ୱର୍ବର୍ତ୍ତୀ ଅଞ୍ଚଳ ଭୟଙ୍କର ଭାବେ ପ୍ରଭାବିତ ହୋଇଥିଲା । ଏହି ପ୍ରଳୟଙ୍କାରୀ ବନ୍ୟାରେ ୫ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ନିଖୋଜ ହୋଇ ଯାଇଥିଲେ । ଏତେ ବଡ ପ୍ରଳୟଙ୍କାରୀ ବନ୍ୟା ଭିତରେ ବି କେଦାରନାଥ ମନ୍ଦିରର ସେମିତି କୌଣସି କ୍ଷତି ହୋଇନଥିଲା । କାରଣ ମନ୍ଦିର ପଛପାଶ୍ୱର୍କୁ ସୁରକ୍ଷା ଦେଇଥିଲା ଏକ ବିଶାଳ ପଥରଖଣ୍ଡ ।

ଏହି ବିନାଶକାରୀ ବନ୍ୟା ପରେ କେଦାରନାଥ ପୀଠକୁ ସ୍ୱତନ୍ତ୍ର ଫୋକସ କରିଥିଲେ ପ୍ରଧାନମନ୍ତ୍ରୀ । ବିଭିନ୍ନ ବିକାଶମୂଳକ କାର୍ଯ୍ୟ ସହ ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି । ଏହାସହ ହେଲିପ୍ୟାଡ, ହସ୍ପିଟାଲ, ଆଶ୍ରୟସ୍ଥଳର ପୁନଃନିର୍ମାଣ କାର୍ଯ୍ୟ ମଧ୍ୟ ଶେଷ ହୋଇଛି ।