ବଢ଼ିଲା ଅଟୋରିକ୍ସା ଭଡ଼ା : ୩କିମି ପାଇଁ ଯାତ୍ରୀ ପିଛା ୨୦ ଟଙ୍କା, ରିଜର୍ଭେସନ୍‌ରେ ୫୦ ଟଙ୍କା

340

କନକ ବ୍ୟୁରୋ : ପେଟ୍ରୋଲ, ଡିଜେଲ ଦରବୃଦ୍ଧି ଓ କୋଭିଡ୍‌ ପାଇଁ ମାତ୍ର ୨ଜଣ ଯାତ୍ରୀ ପରିବହନକୁ ଦୃଷ୍ଟିରେ ରଖି ରାଜଧାନୀ ଅଟୋରିକ୍ସା ମହାସଂଘ ଦରବୃଦ୍ଧି କରିଛି । ମହାସଂଘର ନିଷ୍ପତ୍ତି ଅନୁସା‌ରେ, ସର୍ବନିମ୍ନ ୩ କିଲୋମିଟର ପାଇଁ ଯାତ୍ରୀ ପିଛା ୨୦ ଟଙ୍କା ଓ ତା’ଠାରୁ ଅଧିକ ହେଲେ ୧ କିଲୋମିଟର ପାଇଁ ୧୦ ଟଙ୍କା ଧାର୍ଯ୍ୟ କରାଯାଇଛି । ରିଜର୍ଭେସନ୍‌ ପାଇଁ ମଧ୍ୟ ୩ କିଲୋମିଟରକୁ ଯାତ୍ରୀ ପିଛା ୫୦ ଟଙ୍କା ଓ ତା’ଠାରୁ ଅଧିକ ହେଲେ ୧ କିଲୋମିଟର ପାଇଁ ୧୫ ଟଙ୍କା ଧାର୍ଯ୍ୟ କରାଯାଇଛି । ମହାସଂଘର ସାଧାରଣ ସଂପାଦକ ବିଜୟ କୁମାର ପଟ୍ଟନାୟକ ଏକ ପ୍ରେସ୍‌ ବିବୃତିରେ ଏହି ସୂଚନା ଦେଇଛନ୍ତି ।

ମହାସଂଘ ପକ୍ଷରୁ ଅଭିଯୋଗ କରାଯାଇଛି ଯେ କ୍ରମାଗତ ଭାବେ ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧିକୁ ଦୃଷ୍ଟିରେ ରଖି ଦୀର୍ଘ ବର୍ଷ ହେଲା ଅଟୋରିକ୍ସା ଯାତ୍ରୀ ପରିବହନ ଦରବୃଦ୍ଧି ପାଇଁ ମହାସଂଘ ଦାବି କରି ଆସୁଛି। କିନ୍ତୁ ରାଜ୍ୟ ସରକାରଙ୍କ ପରିବହନ ବିଭାଗ ଏନେଇ ନିରବ ରହି ଆସିଛି । ୨୦୦୫ ମସିହା ପରେ ଆଉ ଦରଧାର୍ଯ୍ୟ ହୋଇନାହିଁ । ଫଳରେ ଅଟୋରିକ୍ସା ଚାଳକମାନେ ବିନା ଦରଧାର୍ଯ୍ୟରେ ଅଟୋ ଚାଳନା କରୁଛନ୍ତି । ଏହାକୁ ନେଇ ବିଭିନ୍ନ ସମୟରେ ଭୁଲ୍‌ ବୁଝାମଣା ଓ ଯାତ୍ରୀମାନଙ୍କ ସହ ଦରବୃଦ୍ଧି ପାଇଁ ଝଗଡ଼ା ହେଉଛି । ତେଣୁ ମହାସଂଘ ଏହି ଦରବୃଦ୍ଧି ନିଷ୍ପତ୍ତି ନେଇଛି ।