କନକ ବ୍ୟୁରୋ : ଆସିଲା ମୃତ ଦୁଇ ରୁଷ୍ ପର୍ଯ୍ୟଟକଙ୍କ ଶବ ବ୍ୟବଛେଦ ରିପୋର୍ଟ । ଏଥିରେ ଭ୍ଲାଦିମିର ବିଦାନୋଭଙ୍କ ମୃତ୍ୟୁ ହୃଦଘାତ କାରଣରୁ ହୋଇଥିବା ଉଲେଖ ଅଛି । ତେବେ ପାଭେଲଙ୍କ ମୃତ୍ୟୁର କାରଣକୁ ଆକ୍ସିଡେଣ୍ଟାଲ ବା ଦୁର୍ଘଟଣା ଜନିତ ବୋଲି ବ୍ୟବଛେଦ ରିପୋର୍ଟରେ ଦର୍ଶାଇ ଯାଇଛି ।
ହେଲେ, ପାଭେଲଙ୍କ ଶରୀରର ବାହାର ଅଙ୍ଗରେ କୌଣସି କ୍ଷତ ନଥିଲା ବୋଲି ରିପୋର୍ଟରେ ଦର୍ଶାଇଛନ୍ତି ଡାକ୍ତର । ଏବଂ ପାଭେଲଙ୍କ ଶରୀରର ଭିତର ଅଙ୍ଗରେ ଆଘାତ ଲାଗିଥିଲା ବୋଲି ଦର୍ଶାଯାଇଛି । ପ୍ରଶ୍ନ ଉଠୁଛି ପାଭେଲଙ୍କ ରିପୋର୍ଟକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ପାଭେଲଙ୍କର ମୃତ୍ୟୁ ଦୁର୍ଘଟଣା ଜନିତ ବୋଲି ଡାକ୍ତର କେମିତି ଜାଣିଲେ ବୋଲି ପ୍ରଶ୍ନ ଉଠିଛି ।
ସେପଟେ, ଦୁଇ ରୁଷ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣାର ତନାଘନା ଚଲାଇଛି କ୍ରାଇମବ୍ରାଂଚ ଟିମ୍ । ରାୟଗଡାରେ ପହଂଚି କ୍ରାଇମବ୍ରାଂଚର ୧୨ ଜଣିଆ ଟିମ୍ ପୁରା ଘଟଣାର ଯାଂଚ କରୁଛନ୍ତି । ଆଜି ମଧ୍ୟ ତଦନ୍ତ ପ୍ରକ୍ରିୟା ଜାରି ରହିବ ବୋଲି ସୂଚନା ଦେଇଛନ୍ତି କ୍ରାଇମବ୍ରାଂଚ ଡିଏସପି । ଯେଉଁ ରୁମରେ ବିଦେଶ ପର୍ଯ୍ୟଟକ ରହିଥିଲେ ଓ ଯେଉଁସ୍ଥାନରୁ ତାଙ୍କର ମୃତ ଦେହପଡିଥିଲା, ସେସବୁ ସ୍ଥାନରେ ଫରେନସିକ୍ ଟିମ୍ ସହାୟତାରେ ତଦନ୍ତ କରାଯାଇଛି । ଆଜି ରୁଷ ପର୍ଯ୍ୟଟକ ପାଭେଲ ଆଂଟୋଭଙ୍କ ଶେଷକୃତ୍ୟ ହୋଇଥିବା ଶ୍ମଶାନକୁ ଯାଇ ନମୂନା ସଂଗ୍ରହ କରିଛି ଫରେନସିକ୍ ଟିମ୍ । ରୁଷୀୟ ସାଂସଦ ପାଭେଲ ଆଂଟୋଭଙ୍କ ମୃତ୍ୟୁ ଏକ ଅନ୍ତର୍ଜାତୀୟ ପ୍ରସଙ୍ଗ ହୋଇଥିବାରୁ, ତାଙ୍କର କେମିତି ଜୀବନ ଗଲା, ସେ ଆତ୍ମହତ୍ୟା କରିଛନ୍ତି ନାଁ ତାଙ୍କୁ କେହି ହତ୍ୟା କରିଛି, ତାର କାରଣ ଖୋଜିବାକୁ ତଦନ୍ତକୁ ଜୋରଦାର କରିଛି କ୍ରାଇମବ୍ରାଂଚ । ଗତକାଲି ପାଭେଲ ଯେଉଁ ଛାତ ଉପରୁ ପଡି ମୃତ୍ୟୁ ହୋଇଛି ବୋଲି କୁହାଯାଉଛି, ସେଠି ଯାଂଚ କରିଛନ୍ତି । ହୋଟେଲ ତଳେ ଯେଉଁଠି ପାଭେଲ ପଡିଥିଲେ, ସେହି ସ୍ଥାନର ଯାଂଚ କରିବା ସହ ବିଭିନ୍ନ ଆଂଗେଲରୁ ଫଟୋ ଉଠାଇଛନ୍ତି । ଏଥିସହ ହୋଟେଲ ମ୍ୟାନେଜର, କର୍ମଚାରୀଙ୍କ ସମେତ ପୋଷ୍ଟମର୍ଟମ କରିଥିବା ଡାକ୍ତରଙ୍କୁ ପଚରା ଉଚରା କରିଛନ୍ତି କ୍ରାଇମବ୍ରାଂଚ ଟିମ୍ । ରୁଷ ପର୍ଯ୍ୟଟକଙ୍କ ସନ୍ଦିଗ୍ଧ ମୃତ୍ୟୁ ପରେ ତରବରିଆ ଭାବେ ଶବସକ୍ରାର କରିବା ଘଟଣା ବଡ ସନ୍ଦେହ ସୃଷ୍ଟି କରୁଛି । ତେଣୁ ସବୁ ପ୍ରକାର ସମ୍ଭାବ୍ୟ ଦିଗକୁ ଆଖିରେ ରଖି ତଦନ୍ତ ଚଲାଇଛି କ୍ରାଇମବ୍ରାଂଚ ଟିମ୍ ।