ଆଜି ବି ଚାଳିଛି ଜୋରଦାର ଚେକିଂ। ରାଜ୍ୟର ପ୍ରତିଟି କଳିକନ୍ଦିରେ ରହିଛି ପୁଲିସର ନଜର । ସମ୍ବଲପୁରରେ ଅଟୋକୁ ୩୦ ହଜାର ୫ ଶହ ଟଙ୍କାର ଫାଇନ

ନିୟମ ଉଲ୍ଲଙ୍ଘନ ସହ ଓଭରଲୋଡିଂ ପାଇଁ କାର୍ଯ୍ୟାନୁଷ୍ଠାନ

397

କନକ ବ୍ୟୁରୋ: ତୃତୀୟ ଦିନରେ ଟ୍ରାଫିକ ପୁଲିସର ଧରପଗଡ ଜାରି ରହିଛି । ସମ୍ବଲପୁରରେ ଗାଡି ମୋଟର ଯାଂଚ କଡାକଡି ଚାଲିଛି । ଆଜି ସମ୍ବଲପୁରରେ ଗୋଟିଏ ଅଟୋକୁ ୩୦ ହଜାର ୫ଶହ ଟଙ୍କାର ଫାଇନ ହୋଇଛି । ଯାତ୍ରୀବାହୀ ଅଟୋରେ ମାଲ ପରିବହନ କରୁଥିବାରୁ ମୋଟ ଅଙ୍କର ଜରିମାନା କଷିଛି ଟ୍ରାଫିକ ପୁଲିସ । ବିନା ରେଜିଷ୍ଟ୍ରେସନ ପାଇଁ ୫ ହଜାର ଟଙ୍କାର ଫାଇନ, ସାଧାରଣ ନିୟମ ଉଲ୍ଲଂଘନ ପାଇଁ ୫ଶହ ଟଙ୍କା । ସେହିପରି ବୈଧ ଡିଏଲ ନଥିବାରୁ ୫ ହଜାର, ଓଭର ଲୋଡିଂ ପାଇଁ ୨୦ ହଜାର ଟଙ୍କାର ଚାଲାଣ ପୁଲିସ କାଟିଥିବା ସୂଚନା ମିଳିଛି ।

ଗତ ଦୁଇ ଦିନ ହେଲା ରାଜ୍ୟରେ ଜୋରଦାର ଚାଲିଛି ଟ୍ରାଫିକ ଧରପଗଡ । ସାରା ରାଜ୍ୟରେ ମାର୍ଚ୍ଚ ୧ତାରିଖରୁ ଆରମ୍ଭ କରି ଏଯାଏଁ ମୋଟ ୧କୋଟି ୬୪ ଲକ୍ଷ ଟଙ୍କାର ଫାଇନ ଆଦାୟ ହୋଇଛି । ୩ହଜାର ୧୭୫ଜଣ ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରିଛନ୍ତି । ନୂଆ ମୋଟରଯାନ ଆଇନ ଅନୁସାରେ ନିୟମ ଉଲଂଘନକାରୀଙ୍କ ଠାରୁ ମୋଟା ଅଙ୍କର ଫାଇନ କାଟିଛି ପୋଲିସ । ସମ୍ବଲପୁରରେ ଜଣେ ନାବାଳକ ସ୍କୁଟି ଚଳାଉଥିବା ବେଳେ ୪୩ ହଜାର ଟଙ୍କାର ଚାଲଣ କଟାଯାଇଛି । ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ଶିକ୍ଷାନୁଷ୍ଠାନର ଦୁଇଟି ବସ୍ ସିଜ୍ କରିଛି ପରିବହନ ବିଭାଗ । ଉଭୟ ଗାଡିକୁ ମୋଟ ୫୧ ହଜାର ଟଙ୍କା ଜରିମାନା କରାଯାଇଛି । ଏକ ସ୍କୁଲ ଭ୍ୟାନକୁ ମଧ୍ୟ ସିଜ କରିଛି ପୋଲିସ ।

କାଗଜ ପତ୍ର ନଥାଇ ବେଆଇନ ଭାବେ ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଏହି ଭ୍ୟାନଠାରୁ ୩୭ ହଜାର ୫୦୦ ଟଙ୍କା ଚାଲାଣ କଟାଯାଇଛି । ଟାଟା ଏସିଇ ଠାରୁ କଟାଯାଇଛି ୨୨ ହଜାର ୫୦୦ ଟଙ୍କାର ଜୋରିମାନା । ବରଗଡ଼ରେ ଜଣେ ମଦୁଆ ଡ୍ରାଭଭରଙ୍କୁ ୧୦ ହଜାର ଟଙ୍କାର ଜୋରିମାନା କରାଯାଇଛି । ତେବେ ସମ୍ବଲପୁରରେ ଟ୍ରାଫିକ ଯାଂଚବେଳେ ପୋଲିସ ହାବୁଡରେ ପଡିଛନ୍ତି କନଷ୍ଟେବଳ । ସମ୍ବଲପୁର ଧନୁପାଲି ଥାନା ଭୁଲିଆପଡା ଫାଣ୍ଡିର କନଷ୍ଟେବଳ ଦିଲ୍ଲୀପ ନାଗକୁ ଧରିଛି ପୋଲିସ । ମଦ ପିଇ ଗାଡ଼ି ଚଳାଉଥିବା ଯୋଗୁଁ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯିବା ସହ ଗିରଫ କରାଯାଇଛି । କଟକରୁ ରାଉରକେଲା ଯାଏଁ ଜୋରଦାର ହୋଇଛି ଚେକିଂ । ଆଇନ ଖିଲାପକାରୀଙ୍କ ଉପରେ ମୋଟା ଅଙ୍କର ଜୋରିମାନା କଷିଛି ପୋଲିସ ଓ ପରିବହନ ବିଭାଗ ।