ଜନ୍ମ ଦେଇ ଛାଡିଗଲା ମା’ । କୁନି ପିଲାର ଭରଣ ପୋଷଣର ଦାୟିତ୍ୱ ନେଲେ ହସ୍ପିଟାଲରେ ଭର୍ତ୍ତି କରାଇଥିବା ଅଟୋଚାଳକ ।
କନକ ବ୍ୟୁରୋ : ବେଳେ ବେଳେ କିଛି ଏମିତି ଘଟଣା ମଣିଷ ଜୀବନରେ ଘଟି ଯାଇଥାଏ, ଯାହା କଳ୍ପନା କରିବା ମଧ୍ୟ ଅସମ୍ଭବ ହୋଇଥାଏ । ଜୀବନରେ କୌଣସି ଜିନିଷ ମଣିଷର ଯୋଜନା ହିସାବରେ ହୋଇ ନଥାଏ, ଯାହା ଭାଗ୍ୟରେ ଥାଏ, ତାହା ହିଁ ଘଟିଥାଏ । ତେବେ ସେଭଳି ଏକ ଘଟଣା ବେଙ୍ଗାଲୁରୁର ଜଣେ ଅଟୋ ଚାଳକଙ୍କ ସହ ଘଟିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ବେଙ୍ଗାଲୁରୁରେ ଅଟୋ ଚଳାଉଥିବା ବାବୁ ମୁଦ୍ଦରପ୍ପା ରାତିରେ ଅଟୋ ନେଇ ଘରକୁ ଫେରୁଥିବା ବେଳେ ଜଣେ ମହିଳାଙ୍କ ଚିତ୍କାର ଶୁଣିଥିଲେ । ତାଙ୍କ ପାଖକୁ ଯିବା ପରେ ମହିଳାଜଣଙ୍କ ଗର୍ଭବତୀ ଥିବା ଜାଣିବାକୁ ପାଇଥିଲେ ବାବୁ । ମହିଳାଙ୍କ ପ୍ରସବ ଯନ୍ତ୍ରଣା ଦେଖି ବାବୁ ତାଙ୍କ ଠିକଣା ନ ପଚାରି ତାଙ୍କୁ ତୁରନ୍ତ ପାଖ ଡ଼ାକ୍ତରଖାନାରେ ନେଇ ପହଞ୍ଚିଥିଲେ । କିନ୍ତୁ ମହିଳାଙ୍କ ଅବସ୍ଥା ଦେଖି ଡ଼ାକ୍ତର ତାଙ୍କୁ ସିଭି ରମଣ ହସ୍ପିଟାଲକୁ ପଠାଇଥିଲେ । ସେଠାରେ ମହିଳାଙ୍କ ପ୍ରସବ କରାଯାଇଥିଲା ।
କିନ୍ତୁ ନବଜାତଟି ୨ମାସ ପୂର୍ବରୁ ଜନ୍ମ ହୋଇଥିବାରୁ ତାହାର ଓଜନ ମାତ୍ର ୮୫୦ଗ୍ରାମ୍ ଥିଲା । ଏହାକୁ ଦେଖି ଡ଼ାକ୍ତର ବାବୁଙ୍କୁ ନବଜାତର ଚିକିତ୍ସା କରାଇବା ପାଇଁ ପାଖ ହସ୍ପିଟାଲକୁ ପଠାଇଥିଲେ । ବାବୁ ନବଜାତକୁ ଡାକ୍ତରଖାନାରେ ଭର୍ତ୍ତି କରାଇ ସିଭି ରମଣ ହସ୍ପିଟାଲକୁ ଫେରିବା ପରେ ମହିଳାଜଣଙ୍କ ସେଠାରୁ ଫେରାର ହୋଇ ଯାଇଥିବା ଦେଖିଥିଲେ । ମହିଳାଙ୍କ କୌଣସି ଠିକଣା ନଥିବାରୁ ବାବୁ ଏବେ ନବଜାତକୁ ପାଳିବାର ନିଷ୍ପତ୍ତି ନେଇଛନ୍ତି । ବାବୁ ବିବାହିତ ଥିବା ସହ ତାଙ୍କର ପୂର୍ବରୁ ଦୁଇଟି ସନ୍ତାନ ଥିବା ଜଣା ପଡ଼ିଛି । ତେବେ ବାବୁଙ୍କ ଏଭଳି କାମ ଏବେ ସମସ୍ତଙ୍କୁ ଅନୁପ୍ରାଣିତ କରିଥିବା ଦେଖା ଯାଇଛି ।