କନକ ବ୍ୟୁରୋ: ଅଷ୍ଟ୍ରେଲିଆ କ୍ରିକେଟ ଟିମର ଦୁର୍ଦ୍ଦଶ ଓପନର ଡେଭିଡ ୱାର୍ଣ୍ଣର ଏବେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି । ତାଙ୍କ ୧୫ ବର୍ଷର କ୍ୟାରିୟରରେ ଏବେ ଫୁଲ ଷ୍ଟପ ଲାଗିଛି । ୱାର୍ଣ୍ଣର ପୂର୍ବରୁ ହିଁ କ୍ରିକେଟରୁ ସନ୍ୟାସ ନେଇ ଘୋଷଣା କରିସାରିଥିଲେ । ସେ କହିଥିଲେ କି ୨୦୨୪ ଟି-୨୦ ବିଶ୍ୱକପ ତାଙ୍କର ସେ ଟୁର୍ଣ୍ଣାମେଣ୍ଟ ହେବ । ହେଲେ ସେ ଜାଣିନଥିଲେ ଅଷ୍ଟ୍ରେଲିଆ ସୁପର ୮ରୁ ହିଁ ବିଦା ହୋଇଯିବ । ୱାର୍ଣ୍ଣର ଆଶାବାଦୀ ଥିଲେ ଯେ ଅଷ୍ଟ୍ରେଲିଆ ଏଥର ସେମିଫାଇନାଲ ଖେଳିବ । କିନ୍ତୁ ଭାରତରୁ ହାରିବା ସହ ଖରାପ ରନ ରେଟ୍ ପାଇଁ ଅଷ୍ଟ୍ରେଲିଆକୁ ବିଦା ହେବାକୁ ପଡିଥିଲା । ୱାର୍ଣ୍ଣରଙ୍କ ପାଇଁ ସବୁଠୁ ବଡ ଦୁଖ ହେଉଛି ସେ ନିଜ ଶେଷ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ଅଷ୍ଟ୍ରେଲିଆକୁ ବିଜୟୀ କରାଇପାରିଲେନି । ନିଜ କ୍ୟାରିୟରରେ ଅନେକ ଉପଲବ୍ଧି ସହ ସେ ଅନେକ ବିବାଦରେ ମଧ୍ୟ ରହିଥିଲେ ।

Advertisment

ଡେଭିଡ ୱାର୍ଣ୍ଣର ଅଷ୍ଟ୍ରେଲିଆର ସର୍ବକାଳିନ ମହାନ କ୍ରିକେଟର ଭାବେ ଜଣାଶୁଣା । ହେଲେ ତାଙ୍କ ଶେଷ ମ୍ୟାଚରେ ତାଙ୍କୁ ଗାର୍ଡ ଅଫ ଅନର ମିଳିନଥିଲା କି ଫ୍ୟାନମାନେ ଛିଡା ହୋଇ ତାଙ୍କୁ ସମ୍ମାନୀତ ବି କରିନଥିଲେ । ସେ ନିଜ ଶେଷ ମ୍ୟାଚରେ ୬ ବଲରୁ ୬ ରନ କରି ଅର୍ଶଦୀପଙ୍କ ବଲରେ ସୂର୍ଯ୍ୟକୁମାରଙ୍କ ହାତରେ କ୍ୟାଚ ଆଉଟ ହୋଇଥିଲେ । ଆଉଟ ହେବା ପରେ ନିରାଶ ହୋଇ ସେ ପାଭିଲିୟନ ଫେରି ଯାଇଥିଲେ, ଜାଣିନଥିଲେ ଏହା ତାଙ୍କର ଶେଷ ମ୍ୟାଚ ହେବ ବୋଲି । ୱାର୍ଣ୍ଣର ୨୦୨୩ ବିଶ୍ୱକପରେ ଭାରତ ବିପକ୍ଷରେ ନିଜର ଶେଷ ଦିନିକିଆ ଖେଳିଥିଲେ । ସେହିପରି ଏହି ବର୍ଷ ଜାନୁଆରୀରେ ସେ ପାକିସ୍ତାନ ବିପକ୍ଷରେ ନିଜର ଶେଷ ଟେଷ୍ଟ ମ୍ୟାଚ ଖେଳିଥିଲେ ।

ୱାର୍ଣ୍ଣର ଜଣେ ଆକ୍ରାଣାନ୍ତ୍ରକ କ୍ରିକେଟ ଭାବେ ପରିଚିତ । ସେ ଅଷ୍ଟ୍ରେଲିଆ ପାଇଁ ୧୧୦ ଟି-୨୦ ମ୍ୟାଚ ଖେଳି ୩ ହଜାର୨୭୭ ରନ କରିଛନ୍ତି । ଯେଉଁଥିରେ ଗୋଟିଏ ଶତକ ଓ ୨୮ଟି ଅର୍ଦ୍ଧଶତକ ସାମିଲ ଅଛି । ଅନ୍ତର୍ଜାତୀୟ ବ୍ୟତୀତ ୱାର୍ଣ୍ଣର ବିଶ୍ୱରେ ବିଭିନ୍ନ ଟି-୨୦ ଲିଗ ଖେଳିଛନ୍ତି ଯେଉଁଥିରେ ଆଇପିଏଲ ସାମିଲ ଅଛି । ୨୦୨୧ରେ ସେ ଚତୁର୍ଥ ଖେଳାଳୀ ଭାବେ ଟି-୨୦ରେ ୧୦ ହଜାର ରନ ପୂରପଣ କରିଥିଲେ । ସେହିପରି ଅଷ୍ଟ୍ରେଲିଆ ପାଇଁ ୱାର୍ଣ୍ଣର ୧୬୧ ମ୍ୟାଚ ଖେଳି ୬ ହଜାର ୯୩୨ ରନ କରିଛନ୍ତି । ଯେଉଁଥିରେ ୨୨ ଶତକ ଓ ୩୩ ଅର୍ଦ୍ଧଶତକ ସାମିଲ ଅଛି । ଟେଷ୍ଟରେ ବି ସେ ୧୧୨ ମ୍ୟାଚଖେଳି ୮ ହଜାର ୭୮୬ ରନ କରିଛନ୍ତି, ଯେଉଁଥିରେ ୨୬ ଶତକ ଓ ୩୭ ଅର୍ଦ୍ଧ ଶତକ ରହିଛି ।

ଜଣେ ଅଷ୍ଟ୍ରେଲିଆ ନାଗରିକ ହୋଇଥିଲେ ବି ୱାର୍ଣ୍ଣର ଭାରତୀୟ ପରମ୍ପରା ପ୍ରତି ବେଶ ଆକର୍ଷିତ ଥିଲେ । ତାଙ୍କୁ ଅନେକ ସମୟରେ ଭାରତୀ ବେଶଭୂଷା, ହିନ୍ଦୀ ଭାଷା କହୁଥିବାର ଦେଖିବାକୁ ମିଳିଥାଏ । ତେବେ ୱାର୍ଣ୍ଣରଙ୍କ ଅବସର ଅଷ୍ଟ୍ରେଲିଆ କ୍ରିକେଟ ପାଇଁ ଏକ ବଡ କ୍ଷତି ହୋଇପାରେ ।