ଭାରତ ଗସ୍ତରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ… ଏହି ଗସ୍ତରେ ଆମକୁ କ’ଣ ମିଳବ ଫାଇଦା?

120

କନକ ବ୍ୟୁରୋ: ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜ ୪ଦିନିଆ ଭାରତ ଗସ୍ତରେ ଆସିଛନ୍ତି । ଭାରତ ସହ ବାର୍ଷିକ ଶିଖର ସମ୍ମିଳନୀରେ ସେ ପ୍ରଥମ ଥର ସାମିଲ ହେବେ । ବୁଧବାର ଠାରୁ ସେ ଅହମ୍ମଦାବାଦରେ ପହଞ୍ଚିସାରିଥିବା ବେଳେ ପରେ ସେ ମୁମ୍ବାଇ ଏବଂ ଦିଲ୍ଲୀରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ । ବୈଦେଶିକ ମନ୍ତ୍ରାଳୟ ଅନୁସାରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଭାରତର ଗସ୍ତରେ ଆସିବା ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ଶକ୍ତି ମିଳିବ ।

ଆନ୍ଥୋନୀ ଆଲବାନିଜଙ୍କ ସହ ପର୍ଯ୍ୟଟନ ମନ୍ତ୍ରୀ ଡାନ ଫେରଲ, ମେଡଲିନ କିଙ୍ଗ ମଧ୍ୟ ସାମିଲ ରହିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ସହ ଉଚ୍ଚସ୍ତରୀୟ ବ୍ୟବସାୟିକ ପ୍ରତିନିଧିମଣ୍ଡଳ ମଧ୍ୟ ଭାରତ ଗସ୍ତରେ ଆସିଛନ୍ତି । ତେଣୁ ଆଶା କରାଯାଉଛି ଉଭୟ ଦେଶ ମଧ୍ୟରେ ବାଣିଜ୍ୟିକ ସମ୍ପର୍କ ଆହୁରି ମଜବୁତ ହେବ । ଏହାର ଫାଇଦା ଉଭୟ ଦେଶକୁ ମିଳିବ । ତେବେ ଏହା ପରେ ମଧ୍ୟ ପ୍ରଶ୍ନ ଆସୁଛି ଯେ ଏହି ଗସ୍ତ କେତେ ଗୁରୁତ୍ୱପୂର୍ଣ୍ଣ ।

୧ – ବ୍ୟବସାୟିକ ପ୍ରତିନିଧିମଣ୍ଡଳର ଭୂମିକା : ପ୍ରଧାନମନ୍ତ୍ରୀ ଅନ୍ଥୋନୀ ଆଲବାନିଜଙ୍କ ସହ ଭାରତରେ ପହଞ୍ଚିଛନ୍ତି ବ୍ୟବସାୟିକ ପ୍ରତିନିଧିମଣ୍ଡଳ । ଏଥିରେ ଉଚ୍ଚଶିକ୍ଷା. ଅର୍ଥ, ପରିବହନ, ଶକ୍ତି କ୍ଷେତ୍ରରେ କାମ କରୁଥିବା ବ୍ୟବସାୟୀମାନେ ରହିଛନ୍ତି । ଏ ସମସ୍ତେ ମୁମ୍ବାଇରେ ଆୟୋଜିତ ହେଉଥିବା ସିଇଓ ଫୋରମରେ ସାମିଲ ହେବେ । ତେଣୁ ଏହି ସବୁ କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ଏକ ଭଲ ସମ୍ପର୍କ ସ୍ଥାପନା ହେବା ସହ ବ୍ୟବସାୟକୁ ମଧ୍ୟ ଶକ୍ତି ମିଳିବ ।

୨ – ମୁକ୍ତ ବ୍ୟବସାୟ: ଭାରତ ଗତ ବର୍ଷ ଅଷ୍ଟ୍ରେଲିଆ ସହ ମୁକ୍ତ ବ୍ୟବସାୟ ନେଇ ଚୁକ୍ତି ସ୍ୱାକ୍ଷର କରିଥିଲା । ୨୦୨୨ ଡିସେମ୍ବର ଠାରୁ ଏହା ଲାଗୁ ହୋଇସାରିଛି । ଆର୍ଥିକ ସହଯୋଗ ଏବଂ ମୁକ୍ତ ବ୍ୟବସାୟ ପାଇଁ ଏହି ଚୁକ୍ତିକୁ ୧୧ ବର୍ଷର ଅପେକ୍ଷା କରିବାକୁ ପଡିଥିଲା । ୨୦୧୧ରୁ ଉଭୟ ଦେଶ ମଧ୍ୟରେ କଥାବାର୍ତ୍ତା ଆରମ୍ଭ ହୋଇସାରିଥିବା ବେଳେ ଏହା ୨୦୨୨ରେ ସଫଳତାର ସହ ଶେଷ ହୋଇଥିଲା । ଏହି ଚୁକ୍ତି ଅନୁସାରେ ଉଭୟ ଦେଶ ମଧ୍ୟରେ ୨୩ ଅରବ ଡଲାରର ବ୍ୟବସାୟ ଉପରେ କର ଲାଗିବ ନାହିଁ । ଦୁଇ ଦେଶ ମଧ୍ୟରେ ସମ୍ପର୍କ ଯେତିକି ମଜବୁତ ହେବ ବ୍ୟବସାୟ ସେତକି ଅଧିକ ବୃଦ୍ଧି ପାଇବ ।

୩ – ଶିକ୍ଷା, ସ୍ୱାସ୍ଥ୍ୟ, ଜ୍ଞାନକୌଶଳ: ଭାରତରୁ ଅନେକ ସଂଖ୍ୟାରେ ଛାତ୍ରଛାତ୍ରୀ ପାଠପଢିବା ପାଇଁ ଅଷ୍ଟ୍ରେଲିଆ ଯାଇଥାନ୍ତି । ଭାରତ ଶିକ୍ଷା କ୍ଷେତ୍ରରେ ଅଷ୍ଟ୍ରେଲିଆରେ ସବୁଠାରୁ ବଡ ଦେଶ । ୨୦୨୨ ଅକ୍ଟୋବରର ତଥ୍ୟ ଅନୁସାରେ ଅଷ୍ଟ୍ରେଲିଆରେ ୫୭ ହଜାର ଭାରତୀୟ ପାଠପଢୁଛନ୍ତି । ଏହି ଦୁଇ ଦେଶ ମଧ୍ୟରେ ଆର୍ଥିକ ସହଯୋଗ ଚୁକ୍ତି ଉପରେ କାମ ଜାରିରହିଛି । ଶିକ୍ଷା, ସ୍ୱାସ୍ଥ୍ୟ, ବିଜ୍ଞାନ, ଜ୍ଞାନକୌଶଳ, କୃଷି, କ୍ଷେତ୍ରରେ ସହଯୋଗର ସହ ଉଭୟ ଦେଶ ଆଗକୁ ବଢୁଛନ୍ତି ।

୪ – ଚୀନ ପ୍ରତି ଆଭିମୁଖ୍ୟ: ଭାରତ ସହ ଚୀନର ସମ୍ପର୍କ ବିଗିଡିବାରେ ଲାଗିଛି । ସେପଟେ ଅଷ୍ଟ୍ରେଲିଆ ସହ କିନ୍ତୁ ସମ୍ପର୍କ ବଢିବାରେ ଲାଗିଛି । ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଅଷ୍ଟ୍ରେଲିଆ ଏବଂ ଜାପାନ ଭଳି ଦେଶ ସହ ଭାରତର ସମ୍ପର୍କ ଠିକ ହେବାରେ ଲାଗିଛି । ଅଷ୍ଟ୍ରେଲିଆ ଚୀନ ସହ ନିଜର ବ୍ୟବସାୟକୁ କମ କରିବାରେ ଲାଗିଛି । ନୂଆ ସହଯୋଗୀ ଭାବେ ଭାରତ ବର୍ତ୍ତମାନ ଅଷ୍ଟ୍ରେଲିଆ ଆଗରେ ଉଭାହୋଇଛି ।

୫ – ପ୍ରତିରକ୍ଷା କ୍ଷେତ୍ର ଗବେଷଣା: କ୍ୱାଡ ଦେଶ ସମୂହ ଦୁର୍ବଳ ହେଉଥିବା ବେଳେ ଅଷ୍ଟ୍ରେଲିଆ ସହ ତ୍ରିପାକ୍ଷିକ ସୁରକ୍ଷା ବୁଝାମଣା (ଅକସ)ରେ ଭାରତର ସହଭାଗିତା ଠିକ ରହିଛି । ଗତ ବର୍ଷ ଜୁନ ମାସରେ ଅଷ୍ଟ୍ରେଲିଆର ପ୍ରତିରକ୍ଷା ମନ୍ତ୍ରୀ ରିଚାର୍ଡ ମାର୍ଲସ ଭାରତ ଗସ୍ତରେ ଆସିଥିଲେ । ଏହି ସମୟରେ ସେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସହ ଅନେକ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଉଭୟ ଉଭୟ ଦେଶର ପ୍ରତିରକ୍ଷା ଗବେଷଣା ଏବଂ ଅନ୍ୟ ପ୍ରସଙ୍ଗ ଉପରେ ଗୁରୁତ୍ୱାରୋପ କରିଥିଲେ ।