ଅଷ୍ଟ୍ରେଲିଆର ଆର୍ତ୍ତ ଚିତ୍କାର, ପ୍ରକୃତି ପିଠିରେ ପୂଳା ପୂଳା ପାଉଁଶ । ଆତଙ୍କ ଖେଳାଇ ଅଗ୍ନି ଆସିଲା, ସବୁଜ ରାଣୀର ସର୍ବଶ୍ୱ ଲୁଟିନେଲା । ନିଆଁର ଏମିତି ତାଣ୍ଡବ ଚିତ୍ର, ଆପଣଙ୍କୁ ସ୍ତବ୍ଧ କରିଦେବ ।

670

କନକ ବ୍ୟୁରୋ : ପ୍ରକୃତି ଏମିତି ଯେ ତାଣ୍ଡବ ରଚିପାରେ, ତାହା କେହି କେବେ ହେଲେ ସ୍ୱପ୍ନରେ ସୁଦ୍ଧା ଭାବିନଥିବେ । ଯେଉଁଠି ଦିନେ ସବୁଜ ରଙ୍ଗରେ ଧରଣୀ ସଜେଇ ହୋଇଥିଲା, ସେଠି ଏବେ କୁଢ କୁଢ ପାଉଁଶ । ବର୍ତମାନ ସମୟରେ ଦୁନିଆର ସବୁଠୁ ବଡ ସମସ୍ୟା ହେଉଛି ଅଷ୍ଟ୍ରେଲିଆର ନିଆଁ । ଯାହାକି ଜୈବିକ ସଂସ୍କୃତି ଏବଂ ସଭ୍ୟତାକୁ ପୁରାପୁରି ଶେଷ କରିଦେଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ ।

ତେବେ ଅଷ୍ଟ୍ରେଲିଆ ନିଆଁର ସବୁଠୁ ହୃଦୟ ବିଦାରକ ଚିତ୍ର ଦେଖିବାକୁ ମିଳିଛି କଙ୍ଗାରୁ ଦୀପରେ । ଯାହାକି ପୁରାପୁରି ଜଳିପୋଡି ପାଉଁଶ ହୋଇଯାଇଛି । ଏହି ସ୍ଥାନକୁ ସାରା ଦୁନିଆରୁ ଲୋକମାନେ କଙ୍ଗାରୁ ଏବଂ କୋଆଲାଙ୍କୁ ଦେଖିବାକୁ ଆସୁଥିଲେ । କିନ୍ତୁ ଏବେ ନା ସେଠାରେ ସେହି ଜଙ୍ଗଲ ଅଛି, ନା ଜୀବଜନ୍ତୁ ।

ଟିକେ ଭଲ ଭାବେ ଦେଖନ୍ତୁ ଏହି ହୃଦୟ ବିଦାରକ ଦୃଶ୍ୟକୁ । ଏହି ଫଟୋକୁ ଦେଖିଲେ ହିଁ ହୃଦୟ ଥରିଉଠୁଛି । ରାସ୍ତାର ଦୁଇ ପାଶ୍ୱର୍ରେ ଭରିରହିଥିଲା ଜଙ୍ଗଲ । ଏମିତି ଲାଗୁଥିଲା, ଯେମିତି ସବୁଜ ଶାଢୀ ପିନ୍ଧି ସଜେଇ ହୋଇଛି ଧରଣୀ । କେତେ ସୁନ୍ଦର ଦେଖାଯାଉଥିଲା ଏହି ଦୃଶ୍ୟ । କିନ୍ତୁ ଏବେ ସେଠାରେ ନା ଅଛି ଗଛଲତା, ନା ଅଛି ଆଗଭଳି ସୌନ୍ଦର୍ଯ୍ୟତା । ପ୍ରକୃତିର କରାଳ ରୂପରେ ସବୁକିଛି ଛାରଖାର ହୋଇଯାଇଛି ।

ଜଳିପୋଡି ପାଉଁଶ ହୋଇଯାଇଛି ଗଛଲତା, ମରିଯାଇଛନ୍ତି ୫୦ କୋଟିରୁ ଅଧିକ ଜୀବଜନ୍ତୁ । କୁହାଯାଉଛି, ଯଦି ନିଆଁ ଉପରେ ନିୟନ୍ତ୍ରଣ ନରୁହେ, ତେବେ କଙ୍ଗାରୁ ଦୀପରେ ଥିବା କଙ୍ଗାରୁ, କୋଆଲା ଏବଂ ପେଙ୍ଗୁଇନ୍ସଙ୍କ ଭଳି ଅନେକ ଦୁର୍ଲଭ ପ୍ରଜାତିର ଜୀବଜନ୍ତୁ ଦୁନିଆରୁ ବିଲୁପ୍ତ ହୋଇଯିବେ ।

ଏହା ଏମିତି ଏକ ଲୋମଟାଙ୍କୁରା ଘଟଣା, ଯାହା ଆଉ କେବେ କେଉଁଠି ନଘଟୁ । ଅଷ୍ଟ୍ରେଲିଆ ପାଇଁ ଏବେ ସାରା ବିଶ୍ୱ ପ୍ରାର୍ଥନା କରୁଥିବା ବେଳେ ପୁଣି କେବେ ଯେ, ଏହି ସୁନ୍ଦରତାର ଟିକିଏ ଝଲକ ଫେରିବ, ତାକୁ ହିଁ ଅପେକ୍ଷା ।