କନକ ବ୍ୟୁରୋ : ଆଇପିଏଲ ଆରମ୍ଭ ହେବାକୁ ଆଉ ଗୋଟିଏ ସପ୍ତାହ ବାକି ରହିଛି । ଆଉ ଏସବୁ ଭିତରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଖେଳୁଥିବା ଗ୍ଲେନ ମ୍ୟାକ୍ସୱେଲ ନିଜ ଜୀବନର ଦ୍ୱିତୀୟ ଇନିଂସ ଆରମ୍ଭ କରିଛନ୍ତି । ଶୁକ୍ରବାର ଗ୍ଲେନ ମ୍ୟାକ୍ସୱେଲ ଭାରତୀୟ ବଂଶୋଦ୍ଭବ ବିନି ରମଣଙ୍କୁ ବିବାହ କରିଛନ୍ତି । ୨୦୧୭ରୁ ଉଭୟ ପରସ୍ପରକୁ ଡେଟ୍ କରୁଥିବା ବେଳେ ଏବେ ହାତକୁ ଦି ହାତ ହୋଇଛନ୍ତି । ଆସନ୍ତା ୨୭ ମାର୍ଚ୍ଚରେ ଉଭୟ ତାମିଲ ରୀତିନୀତି ଅନୁଯାୟୀ ବିବାହ କରିବେ ।
ବିନି ରମଣ ତାମିଲ ପରିବାରର ହୋଇଥିବା ବେଳେ ବିବାହକୁ ମଧ୍ୟ ତାମିଲ ରୀତିନୀତିରେ କରିବାକୁ ଉଭୟ ନିଷ୍ପତ୍ତି ନେଇଛନ୍ତି । କିଛି ଦିନ ପୂର୍ବେ ତାମିଲ ଭାଷାରେ ଛପା ଯାଇଥିବା ଉଭୟଙ୍କ ବିବାହ କାର୍ଡ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ବିନି ପେଶାରେ ଜଣେ ଫାର୍ମାସିଷ୍ଟ ହୋଇଥିବା ବେଳେ ମ୍ୟାକ୍ସୱେଲ ଅନ୍ତର୍ଜାତୀୟ କ୍ରିକେଟର ।
ବିନି ରମଣଙ୍କ ପରିବାର ଚେନ୍ନାଇର ହୋଇଥିବା ବେଳେ ବିନିଙ୍କ ଜନ୍ମ କିନ୍ତୁ ଅଷ୍ଟ୍ରେଲିଆରେ ହୋଇଛି । ଅଷ୍ଟ୍ରେଲିଆରେ ହିଁ ବିନି ବଢିଥିବା ବେଳେ ଏହିଠାରେ ହିଁ ନିଜର ପାଠ୍ୟକ୍ରମ ଶେଷ କରିଥିଲେ । ବିନି ରମଣଙ୍କ ବାପା ଭେଙ୍କଟ ରମଣ ଓ ମା’ ବିଜୟଲକ୍ଷ୍ମୀ ଦୀର୍ଘ ବର୍ଷ ପୂର୍ବେ ଅଷ୍ଟ୍ରେଲିଆ ଚାଲି ଯାଇଥିଲେ । ଏବେ ବିନି ଅଷ୍ଟ୍ରେଲିଆର ମେଲବୋର୍ଣ୍ଣରେ ରହୁଥିବା ବେଳେ ସେହିଠାରେ ହିଁ ବିବାହ ସମାରୋହ ଅନୁଷ୍ଠିତ ହେବ । ତେବେ ଆସନ୍ତା ୨୭ ମାର୍ଚ୍ଚରେ ମ୍ୟାକ୍ସୱେଲ ତାମିଲ ରୀତିନୀତିରେ ବିବାହ କରିବାକୁ ଥିବାରୁ ଆଇପିଏଲର କିଛି ମ୍ୟାଚ୍ ମିସ କରିପାରନ୍ତି । ଯାହା ବାଙ୍ଗାଲୋର ପାଇଁ ଚିନ୍ତାର କାରଣ ପାଲଟିଛି । କାରଣ ୨୭ ତାରିଖରେ ହିଁ ବାଙ୍ଗାଲୋର ଚଳିତ ସିଜିନରେ ନିଜର ପ୍ରଥମ ମ୍ୟାଚ୍ ଖେଳିବାକୁ ଯାଉଛି ।