ଟି-୨୦ ବିଶ୍ୱକପ୍ ଟ୍ରଫି ଜିତିଲା ଅଷ୍ଟ୍ରେଲିଆ । ନ୍ୟୁଜିଲାଣ୍ଡକୁ ୮ ୱିକେଟରେ ହରାଇଲା କଙ୍ଗାରୁ ଦଳ।

149

କନକ ବ୍ୟୁରୋ: ଟି-୨୦ ବିଶ୍ୱକପ୍ ଜିତିଲା ଅଷ୍ଟ୍ରେଲିଆ । ସୁପର ସଣ୍ଡେର ସୁପର ମୁକାବିଲାରେ ନ୍ୟୁଜିଲାଣ୍ଡକୁ ହରାଇ ବିଶ୍ୱକପ୍ ଟ୍ରଫି ହାତେଇଲା କଙ୍ଗାରୁ ଦଳ । ତେବେ ରେକର୍ଡ ସଂଖ୍ୟକ ଦିନିକିଆ ବିଶ୍ୱକପ୍ ଜିତିଥିବା ଅଷ୍ଟ୍ରେଲିଆ ଦଳର ଏହା ପ୍ରଥମ ଟି-୨୦ ବିଶ୍ୱକପ୍ । ନ୍ୟୁଜିଲାଣ୍ଡକୁ ଆଜି ଦଳ ୮ ୱିକେଟରେ ହରାଇବା ସହିତ ଏହି ଜିତାପଟ ହାସଲ କରିଛି ।

ଆଜି ପ୍ରଥମେ ଟସ୍ ଜିତି ଅଷ୍ଟ୍ରେଲିଆ ଅଧିନାୟକ ଆରୋନ୍ ଫିଞ୍ଚ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହାପରେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିବା କିୱି ଦଳ । ତେବେ ଦଳକୁ ସେତେ ଭଲ ଆରମ୍ଭ ମିଳିନଥିଲା । ହେଲେ ଅଧିନାୟକ ୱିଲିୟମସନଙ୍କ ୮୫ ରନର ଆଖି ଦୃଶିଆ ଇଂନିସ ଯୋଗୁ ଦଳ ଏହି ସମ୍ମାନଜନକ ସ୍କୋର କରିପାରିଥିଲା । କେନଙ୍କ ବ୍ୟତୀତ ଅନ୍ୟ କୌଣସି କିୱି ବ୍ୟାଟ୍ସମ୍ୟାନଙ୍କ ବ୍ୟାଟରୁ ସେଭଳି ସ୍କୋର ଆସିପାରିନଥିଲା । ଯାହା ଫଳରେ ନ୍ୟୁଜିଲାଣ୍ଡ ୨୦ ଓଭରରେ ୪ ୱିକେଟ ହରାଇ ୧୭୨ ରନ୍ କରିପାରିଥିଲା ।

ଏହାପରେ ୧୭୩ ରନର ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ଅଷ୍ଟ୍ରେଲିଆ । ଦଳର ଅଧିନାୟକ ଆରୋନ୍ ଫିଞ୍ଚ କିନ୍ତୁ ମାତ୍ର ୫ ରନ୍ କରି ପ୍ୟାଭିଲିୟନ ଫେରିଥିଲେ । ହେଲେ ଏହାପରେ ୱାର୍ନର, ମାର୍ସ ଯୋଡି ଦଳକୁ ବିଜୟ ପଥରେ ଆଗକୁ ନେଇଥିଲେ । ଶେଷ ଆଡକୁ ମାକ୍ସୱେଲ ଓ ମାର୍ସ ଯୋଡି ଦଳକୁ ବିଜୟ ଟିକା ପିନ୍ଧାଇବା ସହିତ ଅଷ୍ଟ୍ରେଲିଆ ନିଜର ପ୍ରଥମ ଟି-୨୦ ବିଶ୍ୱକପ୍ ଜିତିିଛି ।