କନକ ବ୍ୟୁରୋ : ମହିଳା ବିଶ୍ୱକପରେ ପୁଣି ଅଷ୍ଟ୍ରେଲିଆ ଚାମ୍ପିୟନ । ଏଲିସା ହିଲିଙ୍କ ଦମଦାର ଶତକ ବଳରେ ଅଷ୍ଟ୍ରେଲିଆ ୭ମ ଥର ପାଇଁ ବିଶ୍ୱବିଜୟୀ ହୋଇଛି । ଇଂଲଣ୍ଡକୁ ୭୧ ରନରେ ମାତ୍ ଦେଇ ଅଷ୍ଟ୍ରେଲିଆ ଏହି ରେକର୍ଡ ବିଜୟ ହାସଲ କରିଛି । ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୩୫୭ ରନର ବିଶାଳ ବିଜୟ ଲକ୍ଷ୍ୟ ଇଂଲଣ୍ଡ ସାମ୍ନାରେ ରଖିଥିଲା । କିନ୍ତୁ ଇଂଲଣ୍ଡ ମାତ୍ର ୨୮୫ ରନ କରିବାକୁ ସକ୍ଷମ ହୋଇଥିଲା । ଇଂଲଣ୍ଡର ନତାଲି ସିବରଙ୍କ ଲଢୁଆ ଶତକ ସତ୍ତେ୍ୱ ମଧ୍ୟ ଦଳକୁ ବିଜୟ କରାଇ ପାରିନଥିଲେ ।
ଏହାପୂର୍ବରୁ ଏଲିସା ହିଲିଙ୍କ ଧୂଆଁଧାର ୧୭୦ ରନ୍ ବଳରେ ୩୫୬ ରନ କରିଥିଲା । ଆଉ ଏହି ଇନିଂସରେ ୨୬ଟି ଚୌକା ମାରିଥିଲେ ହିଲି । ଅନ୍ୟପଟେ ଏତେବଡ ବିଜୟଲକ୍ଷ୍ୟର ଇଂଲଣ୍ଡ ପିଛା କରୁଥିବା ବେଳେ ନିୟମିତ ବ୍ୟବଧାନରେ ୱିକେଟ ହରାଇଥିଲା । ଗୋଟିଏ ପଟେ ନତାଲି ଇଂଲଣ୍ଡ ପାଇଁ ପାଚେରୀ ଭଳି ଛିଡା ହୋଇଥିବା ବେଳେ ଅନ୍ୟପଟେ ଲଗାତାର ୱିକେଟ ପତନ ହେଉଥିଲା । ନତାଲିଙ୍କୁ ସେଭଳି କୌଣସି ଖେଳାଳୀଙ୍କୁ ସାଥ୍ ମିଳିନଥିଲା । ଏହାସତ୍ତେ୍ୱ ମଧ୍ୟ ଲଢୁଆ ଶତକ ହାସଲ କରିଥିଲେ ନତାଲି । ତେବେ ନିର୍ଦ୍ଧାରିତ ଓଭର ଶେଷ ହେବା ପୂର୍ବରୁ ଇଂଲଣ୍ଡର ପୂରା ଟିମ୍ ପ୍ୟାଭିଲିୟନ ଫେରିଥିଲା । କିନ୍ତୁ ଶେଷ ପର୍ଯ୍ୟନ୍ତ ଅପରାଜିତା ଥିଲେ ନତାଲି ।
🏆 ✨#CWC22pic.twitter.com/RAndXXjlKP
— ICC (@ICC) April 3, 2022
ଚଳିତ ବିଶ୍ୱକପରେ ଅଷ୍ଟ୍ରେଲିଆ ଅପରାଜେୟ ସହ ବିଶ୍ୱକପ ହାସଲ କରିଥିବା ବେଳେ ଇଂଲଣ୍ଡ ଲିଗ୍ ପର୍ଯ୍ୟାୟରେ ୩ଟି ମ୍ୟାଚ୍ ପରାଜିତ ହୋଇଥିଲା । ଦୀର୍ଘ ୩୪ ବର୍ଷ ପରେ ଉଭୟ ଟିମ୍ ବିଶ୍ୱକପ ଫାଇନାଲରେ ଭେଟାଭେଟି ହୋଇଥିଲେ । ଶେଷ ଥର ପାଇଁ ୧୯୮୮ରେ ଉଭୟ ଟିମ୍ ବିଶ୍ୱକପ ଫାଇନାଲରେ ମୁହାଁମୁହିଁ ହୋଇଥିଲେ । ଏହାକୁ ମିଶାଇ ଅଷ୍ଟ୍ରେଲିଆ ମହିଳା ଟିମ୍ ୭ମ ଥର ପାଇଁ ବିଶ୍ୱବିଜୟୀ ହୋଇଥିବା ବେଳେ ଇଂଲଣ୍ଡ ଏଯାବତ ୩ ଥର ବିଶ୍ୱକପ ଜିତିବାକୁ ସକ୍ଷମ ହୋଇଛି ।