ଟି-୨୦ ବିଶ୍ୱକପକୁ ମିଳିଲା ନୂଆ ବିଜେତା : ଫାଇନାଲରେ ନ୍ୟୁଜିଲାଣ୍ଡକୁ ହରାଇ ଚାମ୍ପିଅନ୍ ହେଲା ଅଷ୍ଟ୍ରେଲିଆ

୮ ୱିକେଟରେ କିୱି ଦଳକର ହରାଇଲା କଙ୍ଗାରୁ ଦଳ । ମିଚେଲ ମାସ ଓ ଡେଭିଡ୍ ୱାର୍ଣ୍ଣରଙ୍କ ଧୁଆଁଧାର ବ୍ୟାଟିଂ ଆଗରେ ଫିକା ପଡିଲା ନ୍ୟୁଜିଲାଣ୍ଡର ବୋଲିଂ

171

କନକ ବ୍ୟୁରୋ : ଟି-୨୦ ବିଶ୍ୱକପକୁ ମିଳିଲା ନୂଆ ବିଜେତା । ନ୍ୟୁଜିଲାଣ୍ଡକୁ ୮ ୱିକେଟରେ ହରାଇ ଚାମ୍ପିଅନ୍ ହେଲା ଅଷ୍ଟ୍ରେଲିଆ । ଫଟାଫଟ୍ କ୍ରିକେଟ୍‌ର ହାଇସ୍କୋରିଂ ଏବଂ ଛକା ଚୌକାଭରା ମେଗା ଫାଇନାଲ୍‌ରେ ରବିବାର ନ୍ୟୁଜିଲାଣ୍ଡକୁ ୭ ବଲ୍ ପୂର୍ବରୁ ୮ ୱିକେଟ୍‌ରେ ହରାଇ ପ୍ରଥମ ଥର ପାଇଁ ଟ୍ବେଣ୍ଟି-୨୦ ବିଶ୍ୱକପ୍ ଜିତି ନେଇଛି ଦୁର୍ଦ୍ଧଷ ଅଷ୍ଟ୍ରେଲିଆ । ତା ସହ ଟ୍ବେଣ୍ଟି-୨୦ ବିଶ୍ୱକପ୍ ଇତିହାସରେ ଯୋଡ଼ି ହୋଇଯାଇଛି ନୂଆ ଅଧ୍ୟାୟ । ଏବେ ଅଷ୍ଟ୍ରେଲିଆ ଟ୍ବେଣ୍ଟି-୨୦ କ୍ରିକେଟ୍‌ର ବିଶ୍ୱ ବିଜେତା କ୍ଲବ୍‌ରେ ଭାରତ, ପାକିସ୍ତାନ, ଇଂଲଣ୍ଡ, ୱେଷ୍ଟଇଣ୍ଡିଜ୍‌ ଓ ଶ୍ରୀଲଙ୍କା ସହ ସାମିଲ ହୋଇଛି। ଆଉ ସପ୍ତମ ସଂସ୍କରଣରେ ଟ୍ବେଣ୍ଟି-୨୦ ବିଶ୍ବକପ୍‌କୁ ମିଳି ଯାଇଛି ଷଷ୍ଠ ବିଜେତା।

ପୂରା ପ୍ରତିଯୋଗିତାରେ ସାହସିକ ବ୍ୟାଟିଂ ଓ ଦୃଢ଼ ଆତ୍ମବଳର ପରିଚୟ ଦେଇଥିଲା ନ୍ୟୁଜିଲାଣ୍ଡ । ହେଲେ ଫାଇନାଲ୍‌ରେ ହିଁ ଫେଲ୍ ମାରିଲା । ଫଳରେ ଉପବିଜେତାରେ ସନ୍ତୁଷ୍ଟ ରହିଲା । କିୱି ଦଳର ଟ୍ବେଣ୍ଟି-୨୦ରେ ବିଶ୍ୱକପ୍‌ ଜିତିବା ସ୍ୱପ୍ନ ବି ଭାଙ୍ଗି ଚୂରମାର ହୋଇଗଲା । ଅନ୍ୟପକ୍ଷରେ ୧୪ ବର୍ଷର ଅଭିଯାନ ସହ ଦ୍ୱିତୀୟ ଥର ଟ୍ରଫି ଟକ୍କରରେ ଅବତୀର୍ଣ୍ଣ ହୋଇ ଅଷ୍ଟ୍ରେଲିଆ ପ୍ରଥମ ଥର ଟ୍ବେଣ୍ଟି-୨୦ ବିଶ୍ୱବିଜେତା ହେବାର ପ୍ରତୀକ୍ଷିତ ସଫଳତା ଲାଭ କରିଛି । ଏହା ପୂର୍ବରୁ ଅଷ୍ଟ୍ରେଲିଆ ୨୦୧୦ରେ ଫାଇନାଲ୍ ଖେଳିଥିଲା । ହେଲେ ଇଂଲଣ୍ଡଠାରୁ ହାରି ଉପବିଜେତାରେ ସନ୍ତୁଷ୍ଟ ରହିଥିଲା ।

ଦୁଇ ପଡ଼ୋଶୀ ଦେଶଙ୍କ ମଧ୍ୟରେ ଖେଳାଯାଇଥିବା ରବିବାରର ଫାଇନାଲ୍‌ରେ ଅଧିନାୟକ କେନ୍ ୱିଲିୟମସନ୍‌ (୮୫ ରନ୍, ୪୮ ବଲ୍, ୧୦ ଚୌକା, ୩ ଛକା)ଙ୍କ ଅତୁଳନୀୟ ବ୍ୟାଟିଂ ବଳରେ ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍ ହରାଇ ୧୭୨ ରନ୍ କରିଥିଲା। ୧୭୩ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଅଷ୍ଟ୍ରେଲିଆ ମାତ୍ର ୧୫ ରନ୍‌ରେ ଅଧିନାୟକ ଆରୋନ ଫିଞ୍ଚ୍‌ (୫)ଙ୍କୁ ହରାଇଥିଲା। ହେଲେ ଅଲରାଉଣ୍ଡର ମିଚେଲ ମାର୍ସ (୭୭* ରନ୍, ୫୦ ବଲ୍, ୬ ଚୌକା, ୪ ଛକା) ଏବଂ ଓପନର ଡେଭିଡ୍ ୱାର୍ଣ୍ଣର(୫୩ ରନ୍, ୩୮ ବଲ୍, ୪ ଚୌକା, ୩ ଛକା) ବିସ୍ଫୋରକ ଅର୍ଦ୍ଧଶତକ ଅର୍ଜନ କରି ଅଷ୍ଟ୍ରେଲିଆକୁ ବିଶ୍ବକପ୍ ଉପହାର ଦେଇଥିଲେ ।

ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ଟ୍ବେଣ୍ଟି-୨୦ ବିଶ୍ବକପ୍ ଫାଇନାଲ୍ ଇତିହାସର ସର୍ବୋଚ୍ଚ ଦଳଗତ ସ୍କୋର କରିନେଇଥିଲା। ବିଜେତା ଅଷ୍ଟ୍ରେଲିଆ ଏହାକୁ ୧୮.୫ ଓଭରରେ ‌କେବଳ ୨ ୱିକେଟ୍ ହରାଇ ହାସଲ କରି ନେଇ ବିଶ୍ବକପ୍ ଫାଇନାଲରେ ସର୍ବୋଚ୍ଚ ପଶ୍ଚାତଧାବନର ଅପୂର୍ବ କୀର୍ତ୍ତିମାନ କରିନେଇଥିଲା। ଟ୍ବେଣ୍ଟି-୨୦ ବିଶ୍ୱକପ୍‌ରେ ମଧ୍ୟ ନ୍ୟୁଜିଲାଣ୍ଡ ବିପକ୍ଷରେ ଅଷ୍ଟ୍ରେଲିଆ ପ୍ରଥମ ବିଜୟ ହାସଲ କରିଥିଲା। ଦୁବାଇ ଫଳାଫଳର ଧାରାକୁ ଜାରି ରଖି ପଶ୍ଚାତଧାବନ କରିଥିବା‌ ଦଳ ହିଁ ବିଜେତା ମୁକୁଟ ପିନ୍ଧିବାର ଗୌରବ ଅର୍ଜନ କରିଥିଲା । ମାର୍ସ, ମ୍ୟାଚ୍ ଏବଂ ୱାର୍ଣ୍ଣର ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ ।