ଭାରତ-ଅଷ୍ଟ୍ରେଲିଆ ହାଇଭୋଲଟେଜ୍ ଟକ୍କର ! ଟିମ୍ ଇଣ୍ଡିଆ ଆଗରେ ୨୩୭ ରନର ବିଜୟଲକ୍ଷ୍ୟ ।

66

କନକ ବ୍ୟୁରୋ : ପ୍ରଥମ ଦିନିକିଆରେ ଜବରଦସ୍ତ ବୋଲିଂ ପ୍ରଦର୍ଶନ କରିଛି ଭାରତ । ହାଇଦ୍ରାବାଦର ଉପଲ ଷ୍ଟାଡିୟମରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ଭ୍ରମଣକାରୀ ଅଷ୍ଟ୍ରେଲିଆ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା । ଅଷ୍ଟ୍ରେଲିଆର ଦୁଇ ଓପନର ଉସମାନ ଖ୍ବାଜା ଓ ଆରନ୍ ଫିଞ୍ଜ ଇନିଂସ ଆରମ୍ଭ କରିଥିଲା ବେଳେ କୌଣସି ରନ୍ ନ କରି ଫିଞ୍ଜ ଧୋନିଙ୍କ ହାତକୁ କ୍ୟାଚ ଦେଇ ପ୍ୟାଭିଲିୟନ ଫେରି ଯାଇଥିଲେ । ଧିମା ବ୍ୟାଟିଂ ପ୍ରଦର୍ଶନ କରିଥିବା ଟିମ୍ ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୫୦ ଓଭରରେ ୭ଟି ୱିକେଟ୍ ହରାଇ ୨୩୬ ରନ୍ କରିବାକୁ ସକ୍ଷମ ହୋଇଛି । ଫଳରେ ଭାରତ ଆଗରେ ଏବେ ୨୩୭ ରନର ବିଜୟ ଲକ୍ଷ୍ୟ ରହିଛି । ଅଷ୍ଟ୍ରେଲିଆ ପକ୍ଷରୁ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଉସମାନ୍ ଖାୱଜା ୫୦ ରନର ଅର୍ଦ୍ଧଶତକୀୟ ପାଳି ଖେଳିଥିବା ବେଳେ ଗ୍ଲେନ୍ ମ୍ୟାକ୍ସୱେଲ୍ ୪୦, ଏବଂ ମାର୍କସ ଷ୍ଟଏନିସ୍ ୩୭ ଏବଂ ଆଲେକ୍ସ କ୍ୟାରି ୩୬ ରନର ଅପରାଜିତ ପାଳି ଖେଳିଛନ୍ତି ।

ଭାରତ ପକ୍ଷରୁ ମହମ୍ମଦ ସାମି ଜବରଦସ୍ତ ବୋଲିଂ ପ୍ରଦର୍ଶନ କରିଥିବା ବେଳେ ୧୦ ଓଭରରେ ୪୪ ରନ ଦେଇ ୨ଟି ୱିକେଟ୍ ଅକ୍ତିଆର କରିଛନ୍ତି । ଯେଉଁଥିରେ ୨ଟି ମେଡେନ୍ ଓଭର ମଧ୍ୟ ରହିଛି । ସେହିପରି ଜସପ୍ରିତ୍ ବୁମରା ୧୦ ଓଭରରେ ୬୦ ରନ୍ ଦେଇଥିବା ବେଳେ ୨ଟି ୱିକେଟ୍ ନେଇଛନ୍ତି । କୁଲଦୀପ ଯାଦବ ମଧ୍ୟ ୨ଟି ୱିକେଟ୍ ଅକ୍ତିଆର କରିଥିବା ବେଳେ ୧୦ ଓଭରରେ ୪୬ ରନ ବ୍ୟୟ କରିଛନ୍ତି । ରବିନ୍ଦ୍ର ଜାଡେଜା କୌଣସି ୱିକେଟ୍ ପାଇନଥିଲେ ମଧ୍ୟ, ୧୦ ଓଭରରେ ମାତ୍ର ୩୩ ରନ୍ ବ୍ୟୟ କରିଛନ୍ତି । ଅଷ୍ଟ୍ରେଲିଆ ଠାରୁ ଟି-ଟ୍ୱେଣ୍ଟି ସିରିଜ ହାରିବା ପରେ ଭାରତ ଏହାର ବଦଲା ଦିନିକିଆରେ ନେବା ପାଇଁ ଲକ୍ଷ୍ୟ ରଖିଛି । ତେଣୁ ଏହି ମ୍ୟାଚଟିକୁ ଜିତିବାକୁ ହେଲେ ଦଳକୁ ଭଲ ବ୍ୟାଟିଂ ପ୍ରଦର୍ଶନ କରିବାକୁ ହେବ । ବିଶେଷ କରି ପ୍ରାରମ୍ଭିକ ଯୋଡି ଭଲ ଖେଳିଳେ ଭାରତ ଏହି ମ୍ୟାଚଟିକୁ ସହଜରେ ଜିତିପାରିବ ।