ଅଷ୍ଟ୍ରେଲିଆ ନା’ ଦକ୍ଷିଣ ଆଫ୍ରିକା? ଫାଇନାଲରେ କାହାକୁ ଭେଟିବ ଭାରତ?

165

କନକ ବ୍ୟୁରୋ: ସାରା ଦେଶରେ ଏବେ କ୍ରିକେଟର ଫିବର । ଚାଖଟିଠୁ ଆରମ୍ଭ କରି ସବୁଠି ଏବେ କ୍ରିକେଟର ଚର୍ଚ୍ଚା । ବିଶ୍ୱକପର ଫାଇନାଲରେ ଟିମ ଇଣ୍ଡିଆ ସ୍ଥାନ ପକ୍କା କରିବା ପରେ ଭାରତୀୟ କ୍ରିକେଟ ପ୍ରେମୀଙ୍କମହଲରେ ଉତ୍ସାହ ଓ ଉକ୍ରଣ୍ଠା ବଢିଯାଇଛି । ଫାଇନାଲ ଭାରତ ସହ କିଏ କରିବ ମୁକାବିଲା । ଟାଇଟଲ ପାଇଁ ରୋହିତ ବାହିନୀ ସହ ଅଷ୍ଟ୍ରେଲିଆ ନା ଦକ୍ଷିଣ ଆଫ୍ରିକା ଲଢେଇ କରିବ । ହେଲେ ଭାରତ ସହ ଯିଏ ଖେଳୁନା କାହିଁକି, ଚଳିତ ବିଶ୍ୱକପରେ ଟିମ ଇଣ୍ଡିଆର ପ୍ରଦର୍ଶନକୁ ଦେଖି ଟିମ ଇଣ୍ଡିଆ ଚାମ୍ପିୟନ ହେବ ବୋଲି ଭାରତୀୟ କ୍ରିକେଟପ୍ରେମୀ ଆଶାବାନ୍ଧିଛନ୍ତି ।

କୋଲକାତାର ଇଡେନ୍ ଗାର୍ଡେନରେ ଉପରେ ଅଟକିଛି ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ ନଜର । କାରଣ ନ୍ୟୁଜିଲାଣ୍ଡକୁ ହରାଇ ଭାରତ ଫାଇନାଲ ଟିକେଟ୍ ପାଇ ସାରିଥିବା ବେଳେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ରେ କାହା ସହ ମୁକାବିଲା ହେବ, ତାର ହିସାବ କିତାବ ହେବ ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚରେ । ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଏହି ମ୍ୟାଚ ଯେତିକି ଆଗକୁ ବଢୁଛି, ସେହି ଅନୁସାରେ ଉକ୍ରଣ୍ଠା ବଢ଼ିଚାଲିଛି । ଲିଗ୍ ପର୍ଯ୍ୟାୟରେ ବବୁମାଙ୍କ ନେତୃତ୍ୱରେ ଦକ୍ଷିଣ ଆଫ୍ରିକା ଟିମ୍ ୨ ନମ୍ବରରେ ଥିବା ବେଳେ ପ୍ୟାଟ୍ କମିନ୍ସଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ୩ ନମ୍ବରରେ ରହିଛି । ଉଭୟ ଦଳ ବିରୋଧରେ ଲିଗ୍ ମ୍ୟାଚରେ ବଡ଼ ବିଜୟ ହାସଲ କରିଥିଲା ଟିମ୍ ଇଣ୍ଡିଆ । ଲିଗ୍ ମ୍ୟାଚରେ –

ବିଶ୍ୱକପ୍ ଲିଗ୍ ମ୍ୟାଚ୍
ଦକ୍ଷିଣ ଆଫ୍ରିକା ବିରୋଧରେ ୫ ୱିକେଟ୍ ହରାଇ ଭାରତ କରିଥିଲା ୩୨୬ ରନ୍
୨୭ ଓଭରରେ ମାତ୍ର ୮୩ ରନ୍ କରି ଅଲ୍ଆଉଟ୍ ହୋଇଥିଲା ଦକ୍ଷିଣ ଆଫ୍ରିକା
୨୪୩ ରନ୍ରେ ବିଶାଳ ବିଜୟ ହାସଲ କରିଥିଲା ଟିମ୍ ଇଣ୍ଡିଆ
ସେହିପରି
ପ୍ରଥମେ ବ୍ୟାଟିଂ କରି ମାତ୍ର ୧୯୯ ରନ୍ କରିବାକୁ ସକ୍ଷମ ହୋଇଥିଲା ଅଷ୍ଟ୍ରେଲିଆ
୪୧ ଓଭର ୨ଟି ବଲ୍ରେ ମାତ୍ର ୪ ୱିକେଟ ହରାଇ ଭାରତ କରିଥିଲା ୨୦୧ ରନ୍
୬ ୱିକେଟ୍ରେ ବଡ଼ ବିଜୟ ହାସଲ କରିଥିଲା ଟିମ୍ ଇଣ୍ଡିଆ

ଚଳିତ ବିଶ୍ୱକପ୍ରେ ଉଭୟ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ଟିମ୍ ଉପରେ ଭାରି ପଡିଛି ଭାରତ । ବୋଲିଂ ହେଉ କି ବ୍ୟାଟିଂ, ଏପରିକି ଫିଲ୍ଡିଂରେ ବି ଉନ୍ନତ ପ୍ରଦର୍ଶନ କରିଛି ହିଟ୍ମ୍ୟାନ ରୋହିତଙ୍କ ମ୍ୟାନ୍ ଇନ୍ ବ୍ଲୁ । ତେବେ ପୂର୍ବ ରେକର୍ଡକୁ ଦେଖିଲେ ବଡ଼ ମ୍ୟାଚରେ ଅଷ୍ଟ୍ରେଲିଆର ପ୍ରଦର୍ଶନ ଦମଦାର ରହି ଆସିଛି । ଯଦି ଅଷ୍ଟ୍ରେଲିଆ ଫାଇନାଲକୁ ଯାଏ, ତେବେ ଅହମ୍ମଦାବାଦରେ ଦେଖିବାକୁ ମିଳିବ ଜୋରଦାର ଟକ୍କର ।

୨୦୦୩ର ପ୍ରତିଶୋଧ ନେବାକୁ ସକ୍ଷମ ହେବ କି ଭାରତ?
କଙ୍ଗାରୁ ଦଳକୁ ଧରାଶାୟୀ କରି ନୂଆ ଇତିହାସ ଲେଖିବ କି ରୋହିତ ବାହିନୀ?
୨୦୦୩ ବିଶ୍ୱକପ୍ ଫାଇନାଲରେ ଅଷ୍ଟ୍ରେଲିଆଠାରୁ ହାରି ଯାଇଥିଲା ଭାରତ । ୨୦ ବର୍ଷ ପରେ ପ୍ରତିଶୋଧ ନେବା ପାଇଁ ଭାରତୀୟଙ୍କ ପାଇଁ ସୁଯୋଗ ସୃଷ୍ଟି ହେବ ।

ବିଶ୍ୱକପରେ ପରସ୍ପରକୁ ୧୨ ଥର ଭେଟିଛନ୍ତି ଭାରତ ଓ ଅଷ୍ଟ୍ରେଲିଆ
୮ ଥର ଜିତିଛି ଅଷ୍ଟ୍ରେଲିଆ, ୪ ଥର ଜିତିଛି ଭାରତ
୭ ଥର ଫାଇନାଲକୁ ଯାଇ ୫ ଥର ବିଶ୍ୱବିଜୟୀ ହୋଇଛି ଅଷ୍ଟ୍ରେଲିଆ
୪ ଥର ଫାଇନାଲ୍କୁ ଯାଇ ୨ ଥର ବିଶ୍ୱବିଜୟୀ ହୋଇଛି ଭାରତ

କିନ୍ତୁ ଚଳିତ ବିଶ୍ୱକପ୍ରେ ଭାରତର ପ୍ରଦର୍ଶନ ଉଚ୍ଚକୋଟିର ହୋଇଥିବା ବେଳେ ବଡ଼ ମ୍ୟାଚରେ ପ୍ରତିପକ୍ଷକୁ ମାତ୍ ଦେବାରେ ମାହିର ଅଷ୍ଟ୍ରେଲିଆ । ତେବେ ଖେଳାଳିଙ୍କ ପ୍ରଦର୍ଶନକୁ ବିଚାର କଲେ ରୋହିତ ବାହିନୀ ଆଗରେ ରହିଛି । ନଜର ପକାନ୍ତୁ ଭାରତୀୟ ଖେଳାଳିଙ୍କ ରେକର୍ଡ ଉପରେ –

ବିରାଟ କୋହଲି ୧୦ଟି ମ୍ୟାଚରେ ୭୧୧ ରନ୍ କରି ସର୍ବାଧିକ ସ୍କୋର କରିଛନ୍ତି
୫୫୦ ରନ୍ କରି ଟପ୍ ବ୍ୟାଟର ତାଲିକାରେ ରୋହିତ ଶର୍ମା ପଞ୍ଚମ ସ୍ଥାନରେ ରହିଛନ୍ତି
୫୨୬ ରନ୍ ସହ ଶ୍ରେୟସ ଆୟାର ତାଲିକାର ଷଷ୍ଠ ସ୍ଥାନରେ ଅଛନ୍ତି
ମହମ୍ମଦ ସାମି ୬ଟି ମ୍ୟାଚରେ ୨୩ଟି ୱିକେଟ୍ ନେଇ ବୋଲର ତାଲିକାରେ ୧ ନମ୍ବର ରହିଛନ୍ତି
୧୦ଟି ମ୍ୟାଚରେ ୧୮ ୱିକେଟ ନେଇ ତାଲିକାର ୪ର୍ଥ ସ୍ଥାନରେ ଅଛନ୍ତି ଯଶପ୍ରୀତ ବୁମରା
ସ୍ପିନର ରବୀନ୍ଦ୍ର ଜାଡେଜା ମଧ୍ୟ ୧୦ଟି ମ୍ୟାଚରେ ୧୬ଟି ୱିକେଟ୍ ନେଇ ଅଷ୍ଟମ ସ୍ଥାନରେ ଅଛନ୍ତି