ହକି ଖେଳର ଉନ୍ନତି ପାଇଁ ନବୀନଙ୍କ ପଦକ୍ଷେପକୁ ପ୍ରଂଶସା କଲେ ଅଷ୍ଟ୍ରେଲିଆ ହାଇକମିଶନର । କ୍ରୀଡା ଭିତ୍ତିଭୂମିର ଉନ୍ନତି କ୍ଷେତ୍ରରେ ସହଯୋଗ ପାଇଁ ବୈଠକରେ ସହମତି ।

183

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଂଶସା କଲେ ଅଷ୍ଟ୍ରେଲିଆ ହାଇକମିଶନର ବ୍ୟାରୀ ଓଫାରେଲ ଏଓ । ହକି ଖେଳର ଉନ୍ନତି ପାଇଁ ନବୀନଙ୍କ ପଦକ୍ଷେପ ଓ ଭାରତୀୟ ହକି ଦଳକୁ ଓଡ଼ିଶା ସରକାର ଯେଉଁ ପୋତ୍ସାହନ ଦେଉଛନ୍ତି ତାହା ବେଶ ପ୍ରଂଶସାଯୋଗ୍ୟ ବୋଲି ବ୍ୟାରୀ କହିଛନ୍ତି । ଭିଡ଼ିଓ କନଫରେନ୍ସିଂ ଜରିଆରେ ଅଷ୍ଟ୍ରେଲିଆର ହାଇକମିଶନର ବ୍ୟାରୀ ଓଫାରେଲ ଏଓଙ୍କ ସହିତ ଆଲୋଚନା କରି ବିଭିନ୍ନ କ୍ଷେତ୍ରରେ ଅଷ୍ଟ୍ରେଲିଆ ସହିତ ଓଡିଶାର ଅଧିକ ସହଯୋଗ ସଂପର୍କରେ ଆଲୋଚନା କରିଛନ୍ତି ନବୀନ ।

ବୈଠକରେ ଓଡିଶା ଯେପରି ଭାରତୀୟ ହକି ଦଳକୁ ପ୍ରୋତ୍ସାହନ ଦେଉଛି ଏବଂ ହକି ଖେଳରେ ଉନ୍ନତି ପାଇଁ ଓଡିଶା ଯେଭଳି ଭାବରେ ନେତୃତ୍ବ ନେଇଛି, ସେଥିପାଇଁ ହାଇକମିଶନର ମୁଖ୍ୟମନ୍ତ୍ରୀଙ୍କର ଉଚ୍ଚପ୍ରଶଂସା କରିଛନ୍ତି । ଉଭୟ ଦେଶ ମଧ୍ୟରେ ବ୍ୟବସାୟ ଓ କାରିଗରୀ କୌଶଳ କ୍ଷେତ୍ରରେ ସହଯୋଗର ବ୍ୟାପକ ସମ୍ଭାବନା ଅଛି ବୋଲି ବୈଠକରେ ମତପ୍ରକାଶ ପାଇଥିଲା । ଏହାବ୍ୟତୀତ ଓଡିଶାର ଦକ୍ଷ ମାନବ ସମ୍ବଳର ଉପଯୋଗ ଉପରେ ଆଲୋଚନା ହୋଇଛି ।

ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ଓଡିଶାରେ ହକି ବିଶ୍ୱକପ ସମୟରେ ଅଷ୍ଟ୍ରେଲିଆ ଦଳର ଗସ୍ତ ସଂପର୍କରେ ମନେପକାଇ ଅଷ୍ଟ୍ରେଲିଆ ହକି ଦଳର ଦକ୍ଷତାର ଉଚ୍ଚପ୍ରଶଂସା କରିଥିଲେ । ଓଡିଶାରେ ବିଭିନ୍ନ କ୍ରୀଡା ଭିତ୍ତିଭୂମି ସୃଷ୍ଟି, ଉନ୍ନତମାନର ତାଲିମ, ବିଶେଷ କରି ହକି ଖେଳକୁ ଅଧିକ ପ୍ରୋତ୍ସାହନ ଦେବା ଉପରେ ଓଡିଶା ଓ ଅଷ୍ଟ୍ରେଲିଆ ମଧ୍ୟରେ ଅଧିକ ସହଯୋଗ ପାଇଁ ଉଭୟ ସହମତି ପ୍ରକାଶ କରିଥିଲେ । ଏହାବ୍ୟତୀତ ଖଣି ଅନୁସନ୍ଧାନ କ୍ଷେତ୍ରରେ ଅଷ୍ଟ୍ରେଲିଆ ଓ ଓଡିଶା ମଧ୍ୟରେ ଅଧିକ ମିଳିତ ସହଯୋଗ ଉପରେ ବୈଠକରେ ଆଲୋଚନା ହୋଇଥିଲା ।