କନକ ବ୍ୟୁରୋ : ଷଷ୍ଠ ଥର ପାଇଁ ଅଷ୍ଟ୍ରେଲିଆ ମହିଳା ଟି-ଟ୍ୱେଂଟି ବିଶ୍ୱକପ ବିଜୟୀ ହୋଇଛି । ଦକ୍ଷିଣ ଆଫ୍ରିକାର କ୍ୟାପଟାଉନରେ ଖେଳାଯାଇଥିବା ଫାଇନାଲରେ ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକାକୁ ୧୯ ରନରେ ହରାଇଛି । ଅଷ୍ଟ୍ରେଲିଆ ବିଜୟରେ ବେଥ ମୁନି ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସେମିରେ ଇଂଲଣ୍ଡକୁ ହରାଇ ପ୍ରଥମ ଥର ଲାଗି ଦକ୍ଷିଣ ଆଫ୍ରିକା ଫାଇନାଲରେ ପ୍ରବେଶ କରିଥିଲା ।

Advertisment

ସେହିଭଳି ଦ୍ୱିତୀୟ ସେମିରେ ଭାରତକୁ ୫ ୱିକେଟରେ ହରାଇ ଅଷ୍ଟ୍ରେଲିଆ ଫାଇନାଲକୁ ଯାଇଥିଲା । ଅଷ୍ଟ୍ରେଲିଆ ଲଗାତାର ତୃତୀୟ ଥର ପାଇଁ ବିଶ୍ୱକପ ଚାମ୍ପିୟନ ହୋଇଛି । ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୫୬ ରନ କରିଥିଲା । ଦଳ ପକ୍ଷରୁ ବେଥ ମୁନି ଅପରାଜିତ ୭୪ ରନ କରିଥିଲେ । ସେହିଭଳି ଗାର୍ଡନର ୨୯ ଓ ଏଲିଶା ହିଲି ୧୮ ରନ କରିଥିଲେ । ଜବାବରେ ଦକ୍ଷିଣ ଆଫ୍ରିକା ୬ ୱିକେଟରେ ୧୩୭ ରନ କରିପାରିଥିଲା ।

ଅଷ୍ଟ୍ରେଲିଆ ପୂର୍ବରୁ ୨୦୧୦, ୨୦୧୨, ୨୦୧୪, ୨୦୧୮, ୨୦୨୦ରେ ମଧ୍ୟ ବିଜେତା ହୋଇଥିଲା । ଅନ୍ୟ ଦୁଇଟି ଦଳ ଇଂଲଣ୍ଡ ୨୦୦୯ ଏବଂ ୱେଷ୍ଟଇଣ୍ଡିଜ୍ ୨୦୧୬ ଥରେ ଲେଖାଏଁ ଏହି ବିଶ୍ବକପ୍‌ ସମ୍ମାନ ପାଇଛନ୍ତି ।