କନକ ବ୍ୟୁରୋ : ବିଶ୍ୱକପରେ ଗତକାଲି ଖେଳାଯାଇଥିବା ରୋମାଞ୍ଚକର ମ୍ୟାଚରେ ଇଂଲଣ୍ଡକୁ ମାତ୍ ଦେଇ ପ୍ରଥମ ଦଳ ଭାବେ ସେମି-ଫାଇନାଲରେ ପ୍ରବେଶ କରିଛି ଡିଫେଣ୍ଡିଙ୍ଗ ଚାମ୍ପିୟନ୍ ଅଷ୍ଟ୍ରେଲିଆ । ପ୍ରଥମ ବିଶ୍ବକପ୍ ବିଜୟର ସ୍ବପ୍ନ ଦେଖିଥିବା ଆୟୋଜକ ଇଂଲଣ୍ଡକୁ ଅଡୁଆରେ ପକାଇ ଦେଇଛି ଗତ ଥରର ବିଜେତା ଅଷ୍ଟ୍ରେଲିଆ । ମଙ୍ଗଳବାର ଐତିହାସିକ ଲର୍ଡସ ପଡିଆରେ ଇଂଲଣ୍ଡକୁ ୬୪ ରନ୍ରେ ଶୋଚନୀୟ ଭାବେ ହରାଇ ଅଷ୍ଟ୍ରେଲିଆ ମଧ୍ୟ ପ୍ରଥମ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି । ଆରୋନ୍ ଫିଞ୍ଚ୍ଙ୍କ ଶତକ ପରେ ଦୁଇ ବାମହାତୀ ଦ୍ରୁତ ବୋଲର ବେହେରନଡର୍ଫ ଏବଂ ଷ୍ଟାର୍କ ମିଳିତ ଭାବେ ୯ ୱିକେଟ୍ ନେଇ ଇଂଲଣ୍ଡକୁ ଆଶଙ୍କା ଭିତରକୁ ଠେଲିଦେଇଥିଲେ ।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ପାଇଁ ପ୍ରାରମ୍ଭିକ ଯୋଡ଼ି ଆରୋନ୍ ଫିଞ୍ଚ୍ ଏବଂ ଡେଭିଡ୍ ୱାର୍ନର ସତର୍କତାର ସହ ଆରମ୍ଭ କରିଥିଲେ । ପ୍ରଥମ ପାୱାର ପ୍ଲେ ୧୦ ଓଭରରୁ ବିନା କ୍ଷତିରେ ୪୪ ରନ୍ କରିବା ପରେ ଚଳିତ ବିଶ୍ବକପ୍ରେ ତୃତୀୟ ଥର ଶତକୀୟ ଭାଗୀଦାରି କରି ନେଇଥିଲେ । ଡେଭିଡ୍ ୱାର୍ନର (୫୩, ୬୧ ବଲ) ଙ୍କୁ ମୋଇନ୍ ଅଲୀ ଆଉଟ୍ କରିବା ପରେ ଏହି ଯୋଡ଼ି ଅଲଗା ହୋଇଥିଲେ । ପ୍ରଥମ ୱିକେଟ୍ ପାଇଁ ୧୨୩ ରନ୍ ସଂଗ୍ରହ କରିଥିବା ଅଷ୍ଟ୍ରେଲିଆ କିନ୍ତୁ ସେଭଳି ପ୍ରଭାବ ବିସ୍ତାର କରିପାରିନଥିଲା । ଆରୋନ୍ ଫିଞ୍ଚ୍ (୧୦୦, ୧୧୬ ବଲ, ୧୧ ଚୌକା, ୨ ଛକା) ଚଳିତ ବିଶ୍ବକପ୍ରେ ନିଜ ଦ୍ବିତୀୟ ଶତକ ହାସଲ କରିବା ପରେ ଆଉଟ୍ ହୋଇଯିବା ଦଳକୁ ବଡ଼ ସ୍କୋର୍ ସମ୍ଭାବନାରୁ ଦୂରେଇ ରଖିଥିଲା । ମଧ୍ୟକ୍ରମରେ ଉସମାନ ଖୱାଜା, ଷ୍ଟିଭେନ୍ ସ୍ମିଥ୍, ଗ୍ଲେନ୍ ମ୍ୟାକ୍ସୱେଲ ଏବଂ ଷ୍ଟୋଇନିସ୍ ଭଲ ଆରମ୍ଭ କରିଥିଲେ ମଧ୍ୟ ବଡ଼ ପାଳି ଖେଳିପାରିନଥିଲେ । ଶେଷ ଭାଗରେ ୱିକେଟରକ୍ଷକ ଆଲେକ୍ସ କ୍ୟାରି (୩୮*, ୨୭ ବଲ, ୫ ଚୌକା)ଙ୍କ ପାଳି କାରଣରୁ ଅଷ୍ଟ୍ରେଲିଆ ୨୮୫ ରନ୍ କରିନେଇଥିଲା ।
ଜବାବରେ ପାଳିର ଦ୍ବିତୀୟ ବଲରେ ଜେମ୍ସ ଭିନ୍ସଙ୍କୁ ବେହେରନଡର୍ଫ ବୋଲ୍ଡ କରିଦେବା ପରେ ଇଂଲଣ୍ଡ ଚାପରେ ପଡ଼ିଥିଲା । ମିଚେଲ ଷ୍ଟାର୍କ ଲଗାତାର ଓଭରରେ ୨ ୱିକେଟ୍ ବାହାର କରି ଇଂଲଣ୍ଡକୁ ଆଉ ପ୍ରତ୍ୟାବର୍ତନ ସୁଯୋଗ ଦେଇନଥିଲେ । ଚତୁର୍ଥ ଓଭରରେ ଜୋ ରୁଟଙ୍କୁ ଏଲବିଡବଲ୍ୟୁ କରିଦେବା ପରେ ଷଷ୍ଠ ଓଭରରେ ଅଧିନାୟକ ଇଅନ୍ ମୋର୍ଗାନଙ୍କୁ କମିନ୍ସଙ୍କ ହାତରେ କ୍ୟାଚ୍ କରାଇ ନେଇଥିଲେ । ଅନ୍ୟତମ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍ ଜନି ବେୟାରଷ୍ଟୋ (୨୭, ୩୯ ବଲ୍)ଙ୍କୁ ବେହେରନଡର୍ଫ ନିଜ ଦ୍ବିତୀୟ ଶିକାର କରିନେବାରୁ ଇଂଲଣ୍ଡ ୫୩/୪ରେ ସଂଘର୍ଷ କରିଥିଲା । ଏହା ପରେ ବେନ୍ ଷ୍ଟୋକସ (୮୯, ୧୧୫ ବଲ, ୮ ଚୌକା, ୨ ଛକା)ଙ୍କୁ ଷ୍ଟାର୍କ ତୃତୀୟ ଶିକାର କରିବା ପରେ ଇଂଲଣ୍ଡର ଆଶା ପାଣି ଫୁଟୁକା ଭଳି ଉଭେଇଯାଇଥିଲା । ଏହା ପରେ ବେହେରନ୍ଡର୍ଫ ଆଉ ୩ ୱିକେଟ୍ ନେଇ ବିଶ୍ବକପ୍ରେ ନିଜ ପ୍ରଥମ ୫ ୱିକେଟ୍ ସଫଳତାର ଅଭୁଲା ସ୍ମୃତି ପାଇଥିଲେ । ଲର୍ଡସରେ ୫ ୱିକେଟ୍ ନେବାରେ ଅଷ୍ଟ୍ରେଲିଆ ପାଇଁ ପଞ୍ଚମ ଉଦାହରଣ ଏବଂ ଚତୁର୍ଥ ବୋଲର ହୋଇଥିଲେ । ଅନ୍ୟମାନେ ଥିଲେ ଗ୍ୟାରି ଗିଲମୋର, ମାଇକେଲ୍ କାସ୍ପ୍ରୋୱିଜ୍, ବ୍ରେଟ ଲି (ଦୁଇ ଥର) । ଇଂଲଣ୍ଡ କିନ୍ତୁ ବିଜୟ ଲକ୍ଷ୍ୟ ପୂର୍ବରୁ ସମସ୍ତ ୱିକେଟ୍ ହରାଇ ଦେଇଥିଲା । ଆଦିଲ୍ ରସିଦଙ୍କୁ ନିଜ ଚତୁର୍ଥ ୱିକେଟ୍ କରି ମିଚେଲ୍ ଷ୍ଟାର୍କ ଇଂଲଣ୍ଡ ପାଳିକୁ ୫.୨ ଓଭର ପୂର୍ବରୁ ଶେଷ କରିବା ସହିତ ପୁଣି ଶୀର୍ଷକୁ ଉଠିଥିଲେ ।