୨୦୧୫ ପରେ ଭାରତରେ ସିରିଜ ହାରିଲା ଟିମ୍ ଇଣ୍ଡିଆ । ଅନ୍ତିମ ଦିନିକିଆରେ ଅଷ୍ଟ୍ରେଲିଆ ଠାରୁ ୩୫ ରନରେ ହାରିବା ସହ ସିରିଜ ହାତଛଡା କରିଛି ବିରାଟ ବାହିନୀ । ଅନ୍ତିମ ପର୍ଯ୍ୟାୟର ବ୍ୟାଟ୍ସମ୍ୟାନଙ୍କ ଲଢୁଆ ବ୍ୟାଟିଂ ପରେ ବି ବୁଧବାର ଅଷ୍ଟ୍ରେଲିଆ ଠାରୁ ଭାରତ ୩୫ ରନରେ ପରାସ୍ତ ହୋଇଛି। ଟିମ୍ ଇଣ୍ଡିଆ ୨୭୩ ରନ୍ ବିଜୟ ଲକ୍ଷ୍ୟ ନେଇ ନିର୍ଦ୍ଧାରିତ ୫୦ ଓଭରରେ ସମସ୍ତ ଓ୍ଵିକେଟ ହରାଇ ୨୩୭ ରନ୍ କରିଛି। ଫିରୋଜ ଶାହା କୋଟଲା ଷ୍ଟାଡିୟମରେ ଭାରତ ଆରମ୍ଭରୁ ଭଲ ବ୍ୟାଟିଂ କରିଥିଲା କିନ୍ତୁ ଓପନର ଶିଖର ଧାଓ୍ଵନ୍(୧୨) ଆଉଟ୍ ହେବା ପରେ କୋହଲି ଓ ରୋହିତ ଶର୍ମା ଦଳ ପାଇଁ ଆଶାର ସଂଚାର ପାଲଟିଥିଲେ।
ରୋହିତ ଶର୍ମା ଅର୍ଦ୍ଧଶତକ (୫୬ ରନ୍, ୯୦ ବଲ, ୪ ଚୌକା) ଓ କେଦାର ଯାଦବ (୪୪ ରନ୍, ୫୭ ବଲ୍, ୪ ଚୌକା ଓ ଗୋଟିଏ ଛକା) କରିଥିଲେ। ବୋଲର ଭୁବନେଶ୍ୱର କୁମାର ୪୬ ରନ୍ କରି ଲଢ଼ିଥିଲେ। ଭାରତର ସ୍କୋର ୧୩୨ ରନ୍ରେ ୬ଟି ଓ୍ଵିକେଟ ଯାଇଥିବା ବେଳେ ୨୨୩ ରନରେ ଅଷ୍ଟ୍ରେଲିଆର ଶିକାର ହୋଇଥିଲେ ଭୁବନେଶ୍ୱର କୁମାର। ଭୁବନେଶ୍ୱର କୁମାର ଆଉଟ୍ ହେବା ପରେ ଭାରତର ଏହି ମ୍ୟାଚରେ ବିଜୟ ଆଶା ମଉଳି ଯାଇଥିଲା।
ପ୍ରଥମ ଇନିଂସରେ ଓପନର ଉସମାନ ଖାଓ୍ଵାଜାଙ୍କ ଶତକ (୧୦୦ ରନ୍, ୧୦୬ ବଲ୍, ୧୦ ଚୌକା ଓ ୨ ଛକା) ଏବଂ ପେଟର ହେଣ୍ଡସ୍କମ୍ବଙ୍କ ଅର୍ଦ୍ଧଶତକ (୫୨ ରନ୍, ୬୦ ବଲ୍, ୪ ଚୌକା ଓ ୦ ଛକା) ବଳରେ ଅଷ୍ଟ୍ରେଲିଆ ଅନ୍ତିମ ଦିନିକିଆରେ ୨୭୨ ରନ୍ କରିଥିଲା। ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଦଳ ନିର୍ଦ୍ଧାରିତ ୫୦ ଓଭରରେ ୯ଟି ଓ୍ଵିକେଟ୍ ହରାଇ ୨୭୨ ରନ୍ କରିଥିଲା। ଫଳରେ ଭାରତ ଏହି ମ୍ୟାଚରେ ଦିନିକିଆ ଶୃଙ୍ଖଳା ଜିତିବା ପାଇଁ ୨୭୩ ରନ୍ ଟାର୍ଗେଟ ପାଇଥିଲା ।
ଭାରତୀୟ ବୋଲର ଭୁନେଶ୍ୱର କୁମାରଙ୍କୁ ୩ଟି ଓ୍ଵିକେଟ୍ ମିଳିଥିଲା। ସେହିପରି ମହମ୍ମଦ ସାମି ଓ ରବୀନ୍ଦ୍ର ଜାଦେଜାଙ୍କୁ ୨-୨ ଓ୍ଵିକେଟ୍ ମିଳିଥିବା ବେଳେ କୁଲଦୀପ ଯାଦବ ନେଇଥିଲେ ଗୋଟିଏ ଓ୍ଵିକେଟ୍। ଭାରତ ପ୍ରଥମ ଦିନିକିଆରେ ହାଇଦ୍ରାବାଦ ଏବଂ ଦ୍ୱିତୀୟ ଦିନିକିଆ ନାଗପୁର ଠାରେ ବିଜୟୀ ହୋଇଥିବା ବେଳେ ତୃତୀୟ ଦିନିକିଆ ରାଞ୍ଚି ଏବଂ ଚତୁର୍ଥ ଦିନିକିଆ ମୋହାଲି ଠାରେ ପରାସ୍ତ ହୋଇଥିଲା।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/03/555_031319062416.jpg)