ଆଜି ହେରା ପଞ୍ଚମୀ । ରାତିରେ ଲକ୍ଷ୍ମୀ ଆସି ଅଭିମାନରେ ଭାଙ୍ଗିବେ ଜଗନ୍ନାଥଙ୍କ ରଥ ।

330

କନକ ବ୍ୟୁରୋ: ଆଜି ପବିତ୍ର ହେରାପଞ୍ଚମୀ । ଆଜି ବିଧି ପରମ୍ପରା ପୂର୍ବକ ଆଡ଼ପ ମଣ୍ଡପରେ ବିରାଜିତ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ମହାଲକ୍ଷ୍ମୀ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରିବେ । ରୁକ୍ମିଣୀ ହରଣ ଏକାଦଶୀ ଦିନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହ ମହାଲକ୍ଷ୍ମୀଙ୍କ ବିବାହ ଯଥା ବିଧି ଆଧାରରେ ସମ୍ପର୍ଣ୍ଣ ହୋଇଥିଲା । ଗଇଁଠାଳ ଫିଟି ନଥିବା ବେଳେ ମହାପ୍ରଭୁ ଅସୁସ୍ଥ ହୋଇ ଅଣସର ପିଣ୍ଡିରେ ଚିକିତ୍ସିତ ହେଉଥିଲେ । ସୁସ୍ଥ ହେବା ପରେ ବଡ଼ଭାଇ ଓ ଭଉଣୀଙ୍କୁ ସାଙ୍ଗରେ ନେଇ ଜନ୍ମବେଦୀକୁ ଯାତ୍ରା କରିଛନ୍ତି ।

ଦୀର୍ଘଦିନ ଧରି ମହାପ୍ରଭୁଙ୍କ ସହ ମହାଲକ୍ଷ୍ମୀଙ୍କ ସାକ୍ଷାତ ହୋଇନାହିଁ । ହେରାପଞ୍ଚମୀ ଦିନ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିବେ ମହାଲକ୍ଷ୍ମୀ । ସଂଧ୍ୟା ଆଳତୀ ପରେ ବିମାନ ପଟୁଆରରେ ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ବାହାରି ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିବେ । ନନ୍ଦିଘୋଷ ରଥ ନିକଟରେ ମହାଲକ୍ଷ୍ମୀ ପହଞ୍ଚିବା ପରେ ପତି ମହାପାତ୍ର ବନ୍ଦାପନା କରିବେ । ତେବେ ସଂଧ୍ୟା ଧୂପ ଚାଲିଥିବା ବେଳେ ଟେରା ପଡ଼ିବ । ଏହାପରେ ରାଗ ଜର୍ଜରିତ ହୋଇ ଅଭିମାନିନି ଲକ୍ଷ୍ମୀ ନାକଚଣା ଦ୍ୱାର ଦେଇ ପ୍ରସ୍ଥାନ କରିବା ସମୟରେ ଭିତରଛୁ ମହାପାତ୍ର ଦହିପଟି ମଣୋହି ନୀତି କରିବେ । ଏହାପରେ ଅଭିମାନିନି ଲକ୍ଷ୍ମୀ ବଡ଼ଦାଣ୍ଡ ବାଟେ ନଫେରି ହେରାଗୋହରୀ ସାହି ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରସ୍ଥାନ କରିବେ ।