ଜନ୍ମ ହୋଇଥିଲେ ଜେଲରେ । ଗରିବୀ ଭିତରେ ବଡ ହୋଇ ଏବେ ପଢିବେ ହାୱାର୍ଡରେ

285

କନକ ବ୍ୟୁରୋ : ପିଲାଟି ବେଳୁ ସେ ଅନେକ ସଂଘର୍ଷ ଦେଖିଛନ୍ତି । ଜେଲର ଚାରି କାନ୍ଥ ଭିତରେ ଜନ୍ମ ହୋଇ ଅନେକ ଯାତନା ସହିଛନ୍ତି । କୁନି କୁନି ଆଖି ଖୋଲି ଯେତେବେଳେ ସେ ଦୁନିଆ ଦେଖିବାକୁ ଚେଷ୍ଟା କରିଥିଲେ, ସେତେବେଳେ ତାଙ୍କ ଆଖି ଆଗରେ କେବଳ ଅନ୍ଧାର କୋଠରୀ ଥିଲା । ଜେଲ ଭିତରେ ଜନ୍ମ ହେବା ପରେ ମା କୋଳ ଛାଡି ତାଙ୍କୁ ବାପାଙ୍କ ପାଖକୁ ଯିବାକୁ ପଡିଥିଲା  । ଆଉ ମା ସ୍ନେହ ବିନା ବଡ ହେବାକୁ ପଡିଥିଲା । ଆଉ ଏବେ ସେ ସଂଘର୍ଷ କରି ବିଶ୍ୱର ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ହାୱାର୍ଡରେ ପାଠ ପଢିବାକୁ ଯାଉଛନ୍ତି । ତେବେ ଆସନ୍ତୁ ଜାଣିବା ୧୮ ବର୍ଷିୟ ଝିଅ ଅରୋରା ସ୍କାଏ କାଷ୍ଟନରଙ୍କ ସଂଘର୍ଷ ଆଉ ସଫଳତାର କାହାଣୀ ।

କାଷ୍ଟନର ଆମେରିକାର ଟେକ୍ସାସରେ ରୁହନ୍ତି । ଯେତେବେଳେ ସେ ଜନ୍ମ ହୋଇଥିଲେ ସେତେବେଳେ ତାଙ୍କ ଜେଲରେ ସଜା କାଟୁଥିଲେ । ତେଣୁ ସେ ଜେଲରେ ହିଁ ଜନ୍ମଗ୍ରହଣ କରିଥିଲେ । ପରେ ତାଙ୍କ ବାପା କାଷ୍ଟନରଙ୍କୁ ଏକାକୀ ପାଳିବାକୁ ନିଷ୍ପତ୍ତି ନେଇଥିଲେ । ତେଣୁ ପିଲାଟି ବେଳୁ ସେ ବାପାଙ୍କ ପାଖରେ ରହି ବଢିଥିଲେ । ସେ ପିଲାଟି ବେଳୁ ପାଠପଢାରେ ବେଶ ଧୁରନ୍ଧର ଥିଲେ । ସ୍କୁଲରେ ଶିକ୍ଷକଙ୍କ ପ୍ରଶ୍ନର ଚଟାପଟ ଉତ୍ତର ଦେଇଦେଉଥିଲେ । ଆଉ ସେଥିପାଇଁ ତ ଅଭାବ ଭିତରେ ସେ ନିଜ ଆଶା ଖୋଜି ପାଇଥିଲେ ।

ଏଭଳି ଭାବେ ପାଠପଢି କାଷ୍ଟନର ସ୍କୁଲର ସବୁ ପରୀକ୍ଷାରେ ପ୍ରଥମ ସ୍ଥାନ ହାସଲ କରୁଥିଲେ । କଲେଜରେ ଟପ୍ ହେବା ପରେ ଏବେ ସେ ହାୱାର୍ଡ ବିଶ୍ୱ ବିଦ୍ୟାଳୟରେ ପାଠ ପଢିବେ ଆଉ ସେଠାରୁ ସେ ଆଇନ ଡିଗ୍ରୀ ହାସଲ କରିବେ । କାଷ୍ଟନରଙ୍କ ଏହି ସଂଘର୍ଷମୟ ଯାତ୍ରାରେ ତାଙ୍କ ବାପାଙ୍କ ସହ ମୋନା ହେମ୍ବି ନାମକ ଜଣେ ସମାଜସେବୀ ବେଶ ସାହାଯ୍ୟ କରିଥିଲେ । ଗରିବିରେ ବଢିଥିବା ଝିଅର ସ୍ୱପ୍ନ ପୂରଣ କରିବାକୁ ମୋନା ହେମ୍ବି ତାଙ୍କୁ ପରୀକ୍ଷାଠୁ ଆରମ୍ଭ କରି ପାଠ ପଢିବା ସବୁଥିରେ ସହାୟତାର ହାତ ବଢାଇଥିଲେ । ଯେତେବେଳେ ମୋନା ହେମ୍ବି ଜାଣିବାକୁ ପାଇଥିଲେ କାଷ୍ଟନର ହାୱାର୍ଡରେ ପଢିବାକୁ ଚାହୁଁଛନ୍ତି ସେତେବେଳେ ସେ ତାଙ୍କୁ ସାହାଯ୍ୟ କରିବାରେ କୌଣସି ଉଣା କରିନଥିଲେ ।

ଜନ୍ମ ହେବା ପରେ ଜେଲରୁ ମାଙ୍କୁ ଛାଡି ଆସିଥିଲେ କାଷ୍ଟନର, ଆଉ ଏବେ କାଷ୍ଟନରଙ୍କୁ ୧୮ ବର୍ଷ ବୟସ ହେଲାଣି । ଏତେ ବର୍ଷର ବ୍ୟବଧାନ ଭିତରେ କାଷ୍ଟନର ତାଙ୍କ ମାଙ୍କୁ ମାତ୍ର ୨ଥର ଭେଟିଛନ୍ତି । ଅଭାବ ଅନଟନ ଭିତରେ ବଡ ହୋଇ ହାୱାର୍ଡରେ ପାଠ ପଢିବାର ସ୍ୱପ୍ନକୁ ସେ ପୂରା କରିପାରିଛନ୍ତି ।