୧୫୦ ପଟ ଶୁଖିଲା ରୁଟି, ଟିଫିନିଏ ଚଟଣି ଧରି ମହାରାଷ୍ଟ୍ରରୁ ମଧ୍ୟପ୍ରଦେଶ ଯାତ୍ରା: ୨୦ ଶ୍ରମିକଙ୍କ ମଧ୍ୟରୁ ୧୬ ଜଣଙ୍କ ପାଇଁ ଏହି ଯାତ୍ରା ସାଜିଲା ଶେଷ ଯାତ୍ରା; ଆଖି ଖୋଲିଲା ବେଳକୁ ପାଖରେ ପଡିଥିଲା ରୁଟି ଆଉ ଖଣ୍ଡ ଦୂରରେ ପଡିଥିଲା ବିକ୍ଷିପ୍ତ ମୃତଦେହ

5,204

କନକ ବ୍ୟୁରୋ: ତାଲାବନ୍ଦରେ ଅଟକିଗଲା ଜୀବନଜୀବିକାର ରଥ । ପାଖରେ ଥିବା ସଂଚିତ ଅର୍ଥ ବି ସରିଗଲା । କାହାକୁ କଂପାନୀ ମାଲିକ ତଡି ଦେଲା ତ ଆଉ କିଏ ଘରମାଲିକଙ୍କ ଆକ୍ରୋଶର ଶିକାର ହେଲା । ଏପଟେ ପେଟର ଅସମ୍ଭାଳ ଭୋକ ବାରମ୍ବାର ଭିଟାମାଟିକୁ ଫେରିବାକୁ ସେମାନଙ୍କୁ ବାଧ୍ୟ କରିଥିଲା । ଆଉ ଏଭଳି କିଛି ଘଟିଥିଲା ଗତକାଲି ଟ୍ରେନ୍ ଚକା ତଳେ ଆସି ଜୀବନ ହାରିଥିବା ୧୬ ଜଣ ପ୍ରବାସୀ ଶ୍ରମିକଙ୍କ କ୍ଷେତ୍ରରେ ।

ଲକଡାଉନ ଯୋଗୁଁ ବନ୍ଦ ହୋଇଗଲା ମହାରାଷ୍ଟ୍ର ଜାଲନାରେ ଥିବା ସରିୟା ଫ୍ୟାକ୍ଟ୍ରି । ଆଉ ଏହି ଫ୍ୟାକ୍ଟ୍ରି ଉପରେ ନିର୍ଭର କରୁଥିବା ଅନେକ ଶ୍ରମିକଙ୍କ ରୋଜଗାର ମଧ୍ୟ ତାଲାବନ୍ଦରେ ବନ୍ଦ ହୋଇଗଲା । ଫଳରେ ଖଟିକିଆ ଦିନ ମଜୁରିଆଙ୍କ ପାଇଁ ଦୁଇ ଓଲି ଦୁଇ ମୁଠା ଖାଦ୍ୟ ଯୋଗାଡ କରିବା ବି ମୁସ୍କିଲ ହୋଇପଡିଲା । ଯାହା ସଂଚୟ କରିଥିଲେ ସେ ବି କିଛିଦିନ ପରେ ସରିଗଲା । ତେବେ ଏହାରି ଭିତରେ ଖବର ଆସିଲା କି ବାହାର ରାଜ୍ୟରେ ଫଶିରହିଥିବା ଶ୍ରମିକଙ୍କୁ ଘରକୁ ପଠାଇବା ଲାଗି ସରକାରଙ୍କ ପକ୍ଷରୁ କାଳେ ଔରଙ୍ଗାବାଦରୁ କୌଣସି ଟ୍ରେନ ବ୍ୟବସ୍ଥା କରାଯାଉଛି । ବାସ୍ , ଖବର ସତ ଥିଲା କି ମିଛ , କିଛି ନବୁଝି ରାତାରାତି ଜାଲନାରୁ ଔରଙ୍ଗାବାଦ ଅଭିମୁଖେ ବାହାରି ପଡିଥିଲେ ଏହି ୨୦ ଜଣ ଶ୍ରମିକ ।

ତେବେ ଜାଲନାରୁ ଔରଙ୍ଗାବାଦ ମଧ୍ୟରେ ଦୂରତା ପ୍ରାୟ ୫୦ କିଲୋମିଟର ହେବ । ମହାରାଷ୍ଟ୍ରରେ ଫଶିରହିଥିବା ୨୦ ଜଣ ଶ୍ରମିକ ରେଳ ଟ୍ରାକ୍ ଦେଇ ଯାତ୍ରା ଆରମ୍ଭ କଲେ । ତେବେ ଏମାନଙ୍କ ପାଖରେ ଯଦି କିଛି ଥିଲା ତ କେବଳ ୧୫୦ ପଟ ଶୁଖିଲା ରୁଟି ଆଉ ଗୋଟିଏ ଟିଫିନ ଚଟଣି । ହେଲେ ଏହି ଯାତ୍ରା ଯେ ୧୬ ଜଣଙ୍କ ପାଇଁ ଅନ୍ତିମ ଯାତ୍ରା ହେବ ତାହା କିଏ ଜାଣିଥିଲା । ମନରେ ଘରକୁ ଫେରିବାର ଖୁସି ଆଉ ପେଟରେ ଅସୁମାର ଭୋକକୁ ସାଥି କରି ଏମାନେ ସମସ୍ତେ ବାହାରି ପଡିଥିଲେ ଔରଙ୍ଗାବାଦ ଅଭିମୁଖେ । ପ୍ରାୟ ୩୬ କିଲୋମିଟର ବାଟ ଚାଲି ଥକି ଯିବା ପରେ ରେଳ ଧାରଣା ଉପରେ ଶ୍ରମିକମାନେ ବସି ପଡିଥିଲେ ବିଶ୍ରାମ ନେବାପାଇଁ । କାରଣ ସେମାନେ ଭାବିଥିଲେ କି ଲକଡାଉନ ଯୋଗୁ ବୋଧ ହୁଏ ଟ୍ରେନ ଚଳାବନ୍ଦ ବନ୍ଦ ଥିବ । କିନ୍ତୁ ଏତେ ଥକି ଯାଇଥିଲେ ଯେ ରେଳ ଲାଇନର ଲୁହା ଚଟାଣ ଆଉ ଗୋଡି ପଥର ବିଛା ଟ୍ରାକରେ କେତେବେଳେ ତାଙ୍କର ଆଖି ଲାଗି ଗଲା ତାହା ସେମାନେ ଜାଣିପାରିଲେ ନାହିଁ । ଆଉ ଘଟଣା ବି ଏମିତି ଘଟିଲା ଯେ ସେମାନେ ଆଉ କେବେ ଆଖି ଖୋଲି ପାରିଲେ ନାହିଁ ।

କାରଣ ରାତି ପାହିବା ପୂର୍ବରୁ ସେମାନଙ୍କ ଉପରେ ମାଡି ଯାଇଥିଲା ଲୌହଦାନବ । ତେବେ ୧୬ଜଣ ଶ୍ରମିକ ରେଳଧାରଣା ଉପରେ ଶୋଇ ଥିବା ବେଳେ ଅନ୍ୟ ୪ଜଣ ଶ୍ରମିକ ରେଳ ଧାରଣାରୁ ଅଳ୍ପ କିଛି ଦୂରରେ ଶୋଇଥିଲେ ଯେଉଁମାନେ ବର୍ତି ଯାଇଛନ୍ତି । ଆହତ ଶ୍ରମିକଙ୍କୁ ଡାକ୍ତାରଖାନାରେ ଭର୍ତ୍ତି କରାଯାଇ ଏବେ ଚିକିତ୍ସା କରାଯାଉଛି ।