ଉଦ୍ଧବଙ୍କ କ୍ୟାବିନେଟରେ ବଡ ନିଷ୍ପତ୍ତି । ଔରଙ୍ଗାବାଦ ସହରର ନାମ ‘ସାମ୍ଭାଜୀନଗର’ ଓ ଓସମାନାବାଦ ସହରର ନାମ ହେବ ‘ଧାରାଶିବ’

631

କନକ ବ୍ୟୁରୋ : ମହାରାଷ୍ଟ୍ର କ୍ଷମତା ସଂକଟ ଭିତରେ ରାଜ୍ୟ କ୍ୟାବିନେଟ ଏକ ବଡ ନିଷ୍ପତ୍ତି ନେଇଛି । ଏହି କ୍ରମରେ ରାଜ୍ୟର ଦୁଇଟି ବଡ ସହରର ନାମ ବଦଳିବ ବୋଲି କ୍ୟାବିନେଟରେ କୁହାଯାଇଛି । ଔରଙ୍ଗାବାଦ ସହରର ନାମ ‘ସାମ୍ଭାଜୀନଗର’ ଓ ଓସମାନାବାଦ ସହରର ନାମ ‘ଧାରାଶିବ’ ରଖାଯିବା ନେଇ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି । କେବଳ ସେତିକି ନୁହେଁ ମୁମ୍ବାଇ ଅର୍ନ୍ତରାଷ୍ଟ୍ରୀୟ ବିମାନବନ୍ଦରର ନାମ ବଦଳାଇ ଏହାକୁ ସ୍ୱଗତଃ ଡି.ବି ପାଟିଲ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦର ରଖାଯିବା ଉପରେ ବି କ୍ୟାବିନେଟ୍ ସ୍ୱିକୃତି ପ୍ରଦାନ କରିଛି ।

ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ରାଜ୍ୟ ପାଇଁ ଆଉ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟ ନିଆଯାଇଛି । ଏହି କ୍ରମରେ ରାଜ୍ୟପାଇଁ ହଳଦୀ ଅନୁସନ୍ଧାନ ଓ ପ୍ରକ୍ରିୟାକରଣ ନୀତି ଲାଗୁ ହେବ ଓ ହିଙ୍ଗୋଲୀ ଜିଲ୍ଲାରେ ବାଲାସାହେବ ଠାକରେଙ୍କ ନାମରେ ହଳଦୀ ଅନୁସନ୍ଧାନ ଏବଂ ପ୍ରଶିକ୍ଷଣ କେନ୍ଦ୍ରର ସ୍ଥାପନା କରାଯିବ । ଏହା ବ୍ୟତୀତ ଅହମଦନଗର ଜିଲ୍ଲାରେ ଏକ ଅତିରିକ୍ତ ସିଭିଲ କୋର୍ଟ ସ୍ଥାପନା କରାଯିବାକୁ ବି କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି ।

କହିରଖୁ କି ମହାରାଷ୍ଟ୍ରରେ ଏବେ ବି କ୍ଷମତା ସଂକଟ ଜାରି ରହିଛି । ଆସନ୍ତା କାଲି ବିଧାନସଭାରେ ଉଦ୍ଧବ ଠାକରେଙ୍କୁ ବହୁମତ ପ୍ରମାଣ କରିବାକୁ ରାଜ୍ୟପାଳ ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ନେଇ ଶିବସେନା ସୁପ୍ରିମ କୋର୍ଟରେ ପହଞ୍ଚିଛି । ଏବେ ଉକ୍ତ ମାମଲାର ଶୁଣାଣି କରୁଛନ୍ତି ସୁପ୍ରିମ କୋର୍ଟ