ଅଗଷ୍ଟ ମାସରେ ଓଡ଼ିଶାରେ ଶୀର୍ଷ ଛୁଇଁପାରେ ସଂକ୍ରମଣ । ୫୦ହଜାର କରୋନା ସଂକ୍ରମଣ ବଢିବା ନେଇ ଆକଳନ କଲେ ଡାକ୍ତର ଜୟନ୍ତ ପଣ୍ଡା । ଆଉ ୨ଶହ ଜଣଙ୍କ ମୃତ୍ୟୁ ଆଶଙ୍କା, ଡାକ୍ତର ନିରୋଜ ମିଶ୍ର କହିଲେ, ସେପ୍ଟେମ୍ବର ଆଡକୁ କମିପାରେ ସଂକ୍ରମଣ ।

457

କନକ ବ୍ୟୁରୋ: ଅଗଷ୍ଟ ମାସରେ ୩୦ ହଜାରରୁ ୫୦ ହଜାର ପର୍ଯ୍ୟନ୍ତ କରୋନା ସଂକ୍ରମଣ ବଢ଼ିପାରେ ବୋଲି ଆକଳନ କରିଛନ୍ତିି ବିଶେଷଜ୍ଞ । ଏହା ସହ ମାସ ଶେଷରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୫ ହଜାର ଟପିପାରେ ବୋଲି ଆଶଙ୍କା କରାଯାଉଛି । ମଝି ଜୁଲାଇରୁ ଯେପରି ଭାବେ ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ବଢ଼ିଚାଲିଥିଲା, ଠିକ୍ ସେହିଭଳି ଟ୍ରେଣ୍ଡ ଅଗଷ୍ଟ ମାସରେ ମଧ୍ୟ ଦେଖିବାକୁ ମିଳିଛି । ଅଗଷ୍ଟରେ ସଂକ୍ରମଣ ଶୀର୍ଷରେ ପହଁଚିବା ପରେ ହ୍ରାସ ପାଇବ ବୋଲି ଆକଳନ କରୁଛନ୍ତି ବିଶେଷଜ୍ଞ ।

ତେବେ ଅଗଷ୍ଟ ଆରମ୍ଭରୁ ରାଜ୍ୟରେ କିପରି ବଢୁଛି କରୋନା?
ଅଗଷ୍ଟ ୧ – ୧୬୦୨
ଅଗଷ୍ଟ ୨ – ୧୪୩୪
ଅଗଷ୍ଟ ୩ – ୧୩୮୪
ଅଗଷ୍ଟ ୪ – ୧୩୮୪

ମାସର ପ୍ରଥମ ୪ ଦିନରେ ରାଜ୍ୟରେ ୫,୮୦୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଉ ଏହି ସମୟ ମଧ୍ୟରେ ୩୯ ଜଣଙ୍କ ମୃତ୍ୟୁ ହୋଇଛି । ଏପଟେ ରାଜ୍ୟର କରୋନା ବୈଷୟିକ କମିଟିର ମୁଖପାତ୍ର ତଥା ବିଶିଷ୍ଟ ଡାକ୍ତର ପ୍ରଫେସର ଜୟନ୍ତ ପଣ୍ଡା ଟ୍ୱିଟ୍ କରି କହିଛନ୍ତି, ଅଗଷ୍ଟ ମାସରେ ଆଉ ୫୦ ହଜାର ଲୋକ କରୋନା ଭୂତାଣୁରେ ସଂକ୍ରମିତ ହୋଇପାରନ୍ତି । ଆଉ ୨୦୦ ଜଣ ରୋଗୀ ମୃତ୍ୟୁ ମୁଖରେ ପଡିପାରନ୍ତି । ତାଙ୍କ ଆକଳନ ଅନୁସାରେ ରାଜ୍ୟରେ ୭୫ ହଜାର ଟପିଯାଇପାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା । ବହୁ ସଂଖ୍ୟାରେ କରୋନା ରୋଗୀ ସୁସ୍ଥ ହେଉଥିବାରୁ ଏହି ସଂଖ୍ୟା ଦେଖି ଭୟଭୀତ ନହେବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର ଜୟନ୍ତ ପଣ୍ଡା ।
ଜୁଲାଇ ମାସର ମଧ୍ୟ ଭାଗରୁ ରାଜ୍ୟରେ ସଂକ୍ରମଣ ଯେପରି ଆଗକୁ ବଢ଼ିଥିଲା, ଅଗଷ୍ଟ ମାସ ଆରମ୍ଭରେ ବି ପାଖାପାଖି ସେହି ଅନୁପାତରେ ସଂକ୍ରମଣ ଆଗକୁ ବଢୁଛି । ଏହି ସଂଖ୍ୟାକୁ ଦୃଷ୍ଟିରେ ରଖି ବିଶେଷଜ୍ଞମାନେ ଆକଳନ କରୁଛନ୍ତି ଅଗଷ୍ଟ ମାସରେ ଶୀର୍ଷ ଛୁଇଁପାରେ ସଂକ୍ରମଣ ।

ଅନ୍ୟପଟେ ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ରଙ୍କ ଆକଳନ ହେଉଛି ଅଗଷ୍ଟ ମାସରେ ରାଜ୍ୟରେ ଆଉ ୩୦ ହଜାର ସଂକ୍ରମଣ ହେବା ଆଶଙ୍କା ରହିଛି । ଦିଲ୍ଲୀ ଓ ମୁମ୍ବାଇ ପରି ସହରରେ ସଂକ୍ରମଣ ସଂଖ୍ୟା ବଢିବା ପରେ ହ୍ରାସ ପାଇଥିବାରୁ ସେପ୍ଟେମ୍ବର ମାସ ଆଡକୁ ଓଡ଼ିଶାରେ ସଂକ୍ରମଣ ସଂଖ୍ୟା କମିପାରେ ବୋଲି ଅନୁମାନ କରିଛନ୍ତି ଡାକ୍ତର ନିରୋଜ ମିଶ୍ର । ସେହିପରି ଅଗଷ୍ଟରେ ସଂକ୍ରମଣ ଶୀର୍ଷରେ ପହଁଚିବା ପରେ କମିବ ବୋଲି କହିଛନ୍ତି ଜୀବ ବିଜ୍ଞାନ ପ୍ରତିଷ୍ଠାନର ନିର୍ଦ୍ଦେଶକ ଡକ୍ଟର ଅଜୟ ପରିଡ଼ା ।

ଜୁଲାଇ ମାସରେ ୨୪, ୫୬୧ କରୋନା ପଜିଟିଭ ଚିହ୍ନଟ ହୋଇଥିଲା ଏବଂ ଜୁଲାଇରେ ୧୫୩ ଜଣଙ୍କ ମୃତ୍ୟୁ ହୋଇଥିଲା । ଯଦି ଏହା ଧାରା ଜାରି ରହେ, ତେବେ ଅଗଷ୍ଟ ମାସରେ କରୋନା ସଂକ୍ରମଣ ଶୀର୍ଷ ଛୁଇଁବା ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ଅଗଷ୍ଟ ୩୧ ପର୍ଯ୍ୟନ୍ତ ବିଶେଷ ଭାବେ ସତର୍କ ରହିବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଥିଲେ ସରକାର ।