ଜୀବିକା ଉପରେ ଗୁରୁତ୍ୱ ଦେଇ ରାଜ୍ୟ ସରକାର ଜାରି କଲେ ଅଗଷ୍ଟ ଗାଇଡଲାଇନ୍ । ୫୦ ପ୍ରତିଶତ କ୍ଷମତାରେ ଖୋଲିବ ମଲ, ହଲ ଓ ହୋଟେଲ । ସକାଳ ୬ରୁ ରାତି ୮ ପର୍ଯ୍ୟନ୍ତ ଖୋଲା ରହିବ ଦୋକାନ ବଜାର ।

221

କନକ ବ୍ୟୁରୋ: ଅଗଷ୍ଟ ୧ରୁ ସେପ୍ଟେମ୍ବର ୧ ପର୍ଯ୍ୟନ୍ତ କରୋନା ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର । ମାସ ମାସ ଧରି କଟକଣା ଜାରି ରହିଥିବାରୁ, ଜୀବନ ଜୀବିକା ବିପର୍ଯ୍ୟସ୍ତ ହୋଇପଡିଥିବାରୁ ଅଗଷ୍ଟ ମାସରେ ଅନେକ କଟକଣାକୁ ହଟାଇ ଦେଇଛନ୍ତି ରାଜ୍ୟ ସରକାର । ଛୋଟ ବଡ଼ ବ୍ୟବସାୟ କିପରି ଜାରି ରହିବ ଏହାକୁ ଆଖି ଆଗରେ ରଖି ୫୦ ପ୍ରତିଶତ କ୍ଷମତାରେ ମଲ, ହଲ, ସିନେମା ହଲ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ସାରା ରାଜ୍ୟରେ ସକାଳ ୬ଟାରୁ ରାତି ୮ ଯାଏଁ ଦୋକାନ ବଜାର ଆଦି ଖୋଲା ରହିବ ବୋଲି କୁହାଯାଇଛି ।

ତେବେ କଟକ, ଭୁବନେଶ୍ୱର, ପୁରୀ ସହରକୁ ଛାଡିଦେଲେ ଆଉ କୌଣସି ସ୍ଥାନରେ ସପ୍ତାହାନ୍ତ ସଟଡାଉନ ରହିବ ନାହିଁ । ତେବେ ସାରା ରାଜ୍ୟରେ ରାତି ୮ରୁ ସକାଳ ସକାଳ ୬ଟା ଯାଏଁ ନାଇଟ୍ କର୍ଫ୍ୟୁ ଜାରି ରହିବ । ତା ସହିତ ୫୦ ପ୍ରତିଶତ କ୍ଷମତାରେ ଯାତ୍ରା ମଧ୍ୟ କରାଯାଇ ପାରିବ ଏବଂ ପାର୍କ, ବିଚ୍ ଖୋଲିବ । ଖାଲି ସେତିକି ନୁହେ. ଶିକ୍ଷାନୁଷ୍ଠାନ ଓ କୋଚିଂ ସେଣ୍ଟର ମଧ୍ୟ ଖୋଲା ରହିବ । କିନ୍ତୁ ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲିବା ନିଷ୍ପତ୍ତି ସ୍ଥାନୀୟ ପ୍ରଶାସନ ନେଇପାରିବେ ବୋଲି କୁହାଯାଇଛି ।

ଜୀବନ ଜୀବିକାକୁ ଗୁରୁତ୍ୱ ଦେଇ ରେଷ୍ଟୁରାଣ୍ଟ, ବାର, ଢାବା, ସିନେମା ହଲ ଖୋଲିବ । ୫୦ ପ୍ରତିଶତ ଦର୍ଶକରେ  ଥିଏଟର ବି ଚାଲିବ । ସିନେମା ହଲ ମଧ୍ୟ ୫୦ ପ୍ରତିଶତ କ୍ଷମତାରେ ଖୋଲିବାକୁ ସରକାର ଅନୁମତି ଦେଇଛନ୍ତି । ସେହିପରି ମଲ ମଧ୍ୟ ଖୋଲିବାକୁ ଅନୁମତି ଦେଇଛନ୍ତି ସରକାର ।

ସେହିପରି ଏଣିକି ଉଠାଦୋକାନ ଓ ରାସ୍ତାକଡ ଦୋକାନରେ ଠିଆ ହୋଇ ଖାଇପାରିବେ ଗ୍ରାହକ । ପୂର୍ବରୁ କେବଳ ପାର୍ସଲ ପାଇଁ ଅନୁମତି ଦେଇଥିଲେ ସରକାର । ଦୈନିକ ବଜାର ଓ ସାପ୍ତାହିକ ହାଟ ଖୋଲିବା ପାଇଁ ଅନୁମତି ଦିଆଯାଇଛି । ସେହିଭଳି ସାରା ରାଜ୍ୟରେ ଆହାର କେନ୍ଦ୍ର ଖୋଲିବ । ସାମାଜିକ ଦୂରତା ରଖି ଲୋକେ ଆହାର କେନ୍ଦ୍ରରେ ଖାଦ୍ୟ ଖାଇପାରିବେ । ତେବେ ସମସ୍ତ ଦୋକାନ ବଜାର ସକାଳ ୬ରୁ ରାତି ୮ ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ଦିଆଯାଇଛି ।

ଅଗଷ୍ଟ ମାସରେ ଆଉ ଏକ ବଡ଼ ନିଷ୍ପତ୍ତି ହେଉଛି, ଯାତ୍ରା ପାଇଁ ଅନୁମତି ଦେଇଛନ୍ତି ସରକାର । ୫୦ ପ୍ରତିଶତ ଦର୍ଶକ କ୍ଷମତାରେ ହୋଇପାରିବ ଯାତ୍ରା, ଚାଲିପାରିବ ମୁକ୍ତାକାଶ ରଙ୍ଗମଞ୍ଚ । ସେହିପରି ପାର୍କ ଉପରେ କଟକଣା ହଟିଛି । କୋଭିଡ ନିୟମ ମାନି ଲୋକେ ପାର୍କକୁ ଯାଇପାରିବେ । ପର୍ଯ୍ୟଟକଙ୍କୁ ବିଚକୁ ଯିବା ପାଇଁ ମଧ୍ୟ ଅନୁମତି ଦେଇଛନ୍ତି ରାଜ୍ୟ ସରକାର ।

ଅନ୍ୟପଟେ ମନ୍ଦିର ଓ ଧର୍ମାନୁଷ୍ଠାନ ନେଇ ରାଜ୍ୟ ସରକାର କିଛି ସ୍ପଷ୍ଟ ନିଷ୍ପତ୍ତି ଦେଇନାହାନ୍ତି । ତେବେ ଜିଲ୍ଲାପାଳ ଓ ମ୍ୟୁନିସପାଲଟି କମିଶନରମାନେ ସ୍ଥାନୀୟ ଅଞ୍ଚଳର ଧାର୍ମିକ ଅନୁଷ୍ଠାନ ଖୋଲିବାକୁ ଅନୁମତି ଦେଇ ପାରିବେ । ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ଓ ଲିଙ୍ଗରାଜ ମନ୍ଦିର ପ୍ରଶାସନ, ପରିଚାଳନା କମିଟି ଓ ସଂପୃକ୍ତ ବ୍ୟକ୍ତି ବିଶେଷଙ୍କ ସହ ଆଲୋଚନା କରିବା ପରେ ମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ନେଇପାରିବେ ।

ଅଗଷ୍ଟ ଗାଇଡଲାଇନ୍ ଅନୁସାରେ ଶିକ୍ଷାନୁଷ୍ଠାନ ଓ କୋଚିଂ ସେଣ୍ଟର ଖୋଲିବ । ବିଭାଗୀୟ ଅଧିକାରୀଙ୍କ ଠାରୁ ଅନୁମତି ନେଇ ଶିକ୍ଷାନୁଷ୍ଠାନ ଖୋଲି ପାରିବେ । ସରକାରୀ ଓ ବେସରକାରୀ ପରୀକ୍ଷା ପାଇଁ ସରକାରଙ୍କ ପାଖରୁ କୌଣସି ସ୍ୱତନ୍ତ୍ର ଅନୁମତିର ଆବଶ୍ୟକତା ନାହିଁ । ଖାଲି ସେତିକି ନୁହେଁ, ଅଗଷ୍ଟ ମାସରେ ୱାଟର ପାର୍କ, ସୁଇମିଂ ପୁଲ, ନନ୍ଦନକାନନ, ମୀନାବଜାର ଖୋଲିବ । ନିର୍ଦ୍ଧାରିତ ସିଟ୍ ଅନୁସାରେ ଯାତ୍ରୀଙ୍କୁ ନେଇ ସାରା ରାଜ୍ୟରେ ଓଲା-ଉବେର ଭଳି ଟ୍ୟାକସି ଗଡିବ । ତେବେ ପୂର୍ବଭଳି ବିବାହ ଓ ଅନ୍ତ୍ୟେଷ୍ଟି କାର୍ଯ୍ୟକ୍ରମ କଟକଣା ବଳବତ୍ତର ରହିବ ।