ଦର୍ଶକ ଆସିଲେ, ଖେଳ ଜମିଲା । ପୁଣି କମ୍ପିଲା ଷ୍ଟାଡିୟମ୍ । ଦର୍ଶକଙ୍କ ଉପସ୍ଥିତିରେ ଦ୍ୱିତୀୟ ଟେଷ୍ଟରେ ଇଂଲଣ୍ଡ ସହ ମୁହାଁମୁହିଁ ଭାରତୀୟ ଦଳ ।

Advertisment
ଦର୍ଶକ ଆସିଲେ, ଖେଳ ଜମିଲା । ପୁଣି କମ୍ପିଲା ଷ୍ଟାଡିୟମ୍ । ଦର୍ଶକଙ୍କ ଉପସ୍ଥିତିରେ ଦ୍ୱିତୀୟ ଟେଷ୍ଟରେ ଇଂଲଣ୍ଡ ସହ ମୁହାଁମୁହିଁ ଭାରତୀୟ ଦଳ ।

କନକ ବ୍ୟୁରୋ : ଶେଷରେ ପ୍ରତିକ୍ଷାର ଅନ୍ତ ଘଟିଛି । ପାଖାପାଖି ୧ ବର୍ଷ ପରେ ପୁଣି ଥରେ କ୍ରିକେଟ୍ ପଡିଆକୁ ଫେରିଛନ୍ତି ଦର୍ଶକ । ଏଥର କରୋନା ପରେ ଦର୍ଶକଙ୍କ ଉପସ୍ଥିତିରେ ଆୟୋଜନ ହୋଇଛି କ୍ରିକେଟ୍ ମ୍ୟାଚ । ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟରେ ଚେପକ୍ ଷ୍ଟାଡିୟମକୁ ଦର୍ଶକଙ୍କ ପ୍ରବେଶ ଅନୁମତି ପରେ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଖେଳିଯାଇଛି ଖୁସିର ଲହରୀ ।

ଯେଉଁ ରୋମାଞ୍ଚକୁ ଅପେକ୍ଷା କରିଥିଲେ କ୍ରିକେଟ ଖେଳାଳି, ଚେନ୍ନାଇ ଚେପକ୍ ଷ୍ଟାଡିୟମରେ ସେହି ରୋମାଂଚ ଦେଖିବାକୁ ମିଳିଛି । କରୋନା କାଳରେ ପ୍ରଥମ ଥର ପାଇଁ ଷ୍ଟାଡିୟମରେ ବସି ଖେଳ ଦେଖୁଛନ୍ତି ଦର୍ଶକ । ସାମ୍ନାରେ ଚାଲିଛି ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ ମ୍ୟାଚ । ବାସ୍ ଏହି ସମୟକୁ ତ ଅପେକ୍ଷା କରିଥିଲେ କ୍ରିକେଟ ପ୍ରେମୀ । ପ୍ରାୟ ବର୍ଷେ ହେବ କରୋନା କାରଣରୁ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚକୁ ଷ୍ଟାଡିୟମରେ ବସି ଦେଖିବାର ଯେଉଁ ଆଶା ରହିଥିଲା, ତାହା ଆଜି ପୂରଣ ହୋଇଛି । ଏଥିପାଇଁ ବିସିସିଆଇର ଅନୁମତି ମିଳିବା ପରେ, ପୁଣି ଥରେ ଦର୍ଶକଙ୍କ ତାଳି ଓ ହୁଇସିଲରେ କମ୍ପିଛି ପରିବେଶ ।

ଅଷ୍ଟ୍ରେଲିଆ ଗସ୍ତରେ ଥିଲା ଭାରତୀୟ କ୍ରିକେଟ ଟିମ୍ । ସେତେବେଳେ ସ୍ୱଳ୍ପ ସଂଖ୍ୟକ ଦର୍ଶକରେ ଆୟୋଜନ ହୋଇଥିଲା ଟେଷ୍ଟ ସିରିଜ । ଏବେ ଭାରତ ଗସ୍ତରେ ଆସିଛି ଇଂଲଣ୍ଡ । ଏତିକି ବେଳେ ଦର୍ଶକଙ୍କୁ ମ୍ୟାଚ୍ ଦେଖିବାକୁ ଅନୁମତି ଦେଇଛି ବିସିସିଆଇ । ବିସିସିଆଇର ଏପରି ନିଷ୍ପତି ପରେ ଗହଳିରେ ଫାଟି ପଡିଛି ଷ୍ଟାଡିୟମ୍ ।

ମୁହଁରେ ମାସ୍କ । ଷ୍ଟାଡିୟମ ଭିତରେ ବସିଛନ୍ତି ଦର୍ଶକ । ଟେଷ୍ଟ ସିରିଜ ହୋଇଥିଲେ ମଧ୍ୟ କରୋନା କାଳରେ ଦିନିକିଆ କ୍ରିକେଟ ପରି ଦର୍ଶକଙ୍କର କ୍ରିକେଟ୍ ପ୍ରତି କ୍ରେଜ୍ କିଛି ବି କମ୍ ପଡିନି । ଏହି ସମୟରେ ଦର୍ଶକଙ୍କୁ ବି ନିରାଶ କରିନାହାନ୍ତି ଭାରତୀୟ ବ୍ୟାଟ୍ସମ୍ୟାନ୍ । ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ରୋହିତ ଶର୍ମା ଦମଦାର ଶତକ ଜମେଇ ଘରୋଇ ଦର୍ଶକଙ୍କ ମନ କିଣିନେଇଛନ୍ତି । ସେପଟେ ନାଚି ଉଠିଛି ଡ୍ରେସିଂ ରୁମ୍ ।

ତେବେ କରୋନା ପାଇଁ ଷ୍ଟାଡିୟମରେ ଦର୍ଶକଙ୍କ ପାଇଁ କଡା ନିମୟ କରାଯାଇଛି ।
୫୦ ପ୍ରତିଶତ ଦର୍ଶକଙ୍କୁ ମ୍ୟାଚ ଦେଖିବାକୁ ଅନୁମତି ମିଳିଛି
ଷ୍ଟାଣ୍ଡରେ ସ୍ଥାନ ପାଇଛନ୍ତି ଭଲ୍ୟୁଣ୍ଟିୟର
ପ୍ରତ୍ୟେକ ଛକା ପରେ ବଲକୁ କରାଯାଉଛି ସାନିଟାଇଜ୍
ସିସିଟିଭି ମନିଟର କରିବାକୁ ସ୍ୱତନ୍ତ୍ର କ୍ରିଉ ନିଯୁକ୍ତ ହୋଇଛନ୍ତି
ଶୃଙ୍ଖଳା ଭଙ୍ଗ ଅଭିଯୋଗ ବାରମ୍ୱାର ଆସିଲେ ଷ୍ଟାଡିୟମରୁ ତଡା ଖାଇବେ ଦର୍ଶକ
ଷ୍ଟାଡିୟମର ସମସ୍ତ ପ୍ରବେଶ ପଥରେ ରହିଛି ତାପାମାତ୍ରା ଯାଞ୍ଚ ମେସିନ
ସମସ୍ତ ଦର୍ଶକଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ
ଷ୍ଟାଡିୟମ ଭିତରେ ରହିଛି ୫ଟି ମେଡିକାଲ କିଓସ୍କୋ, ୪ଟି ଆମ୍ବୁଲାନ୍ସ
ଆଇସୋଲେସନ୍ ରୁମ୍ ସହିତ ମହଜୁଦ୍ ଅଛନ୍ତି ଜଣେ ଡାକ୍ତର

କରୋନାର କଡା ନିୟମ ଭିତରେ ଚେନ୍ନାଇର ଚେପକ ଷ୍ଟାଡିୟମରେ ଦର୍ଶକଙ୍କୁ ଖେଳ ଦେଖିବାକୁ ମିଳିଛି ଅନୁମତି । ସବୁ ନିୟମ ପାଳନ କରି ଦର୍ଶକ ମ୍ୟାଚ୍ ଦେଖିବାର ସୁଯୋଗ ପାଇଥିବାରୁ ବେଶ୍ ଖୁସି ଜାହିର କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe