କନକ ବ୍ୟୁରୋ: ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’ ଏବେ ସିନେମା ହଲ୍ ମାନଙ୍କରେ ରିଲିଜ୍ ହୋଇଛି । ଏହି ଫିଲ୍ମ ରିଲିଜ ହେବା ପୂର୍ବରୁ ହିଁ ଚର୍ଚ୍ଚାରେ ଥିଲା । ଫିଲ୍ମକୁ ନେଇ ବିବାଦ ଦେଖାଦେବା ପରେ ଏହାର କିଛି ଦୃଶ୍ୟକୁ ବାଦ୍ ଦିଆଯାଇଥିଲା ।
କାଶ୍ମୀର ପଣ୍ଡିତଙ୍କ ଉପରେ ନିର୍ମିତ ଏହି ମୁଭିରେ ଥିବା ଅଧିକାଂଶ ଦୃଶ୍ୟ ଦେଖି ହଲ ଭିତରେ ଦର୍ଶକ ନିଜକୁ ସମ୍ଭାଳି ପାରିନଥିଲେ । ଅଧିକାଂଶ ଦର୍ଶକ କାନ୍ଦିପକାଇଥିଲେ । ଏହାର ଭିଜୁଆଲ ଏବେ ଭାଇରାଲ ହେବାରେ ଲାଗିଛି । ହଲ୍ ଭିତରେ ଫିଲ୍ମଟିକୁ ଦେଖିବା ପରେ ଦର୍ଶକ ଛିଡା ହୋଇ କାଶ୍ମୀରରେ ନିର୍ଯାତିତ ହୋଇଥିବା ଓ ପ୍ରାଣ ହରାଇଥିବା ହିନ୍ଦୁଙ୍କ ପ୍ରତି ନିଜର ଶ୍ରଦ୍ଧାଂଜଳି ଜ୍ଞାପନକରିଥିଲେ । ଏଥିରେ ଅଭିନୟ କରିଥିବା ଅଭିନେତା ଦର୍ଶନ କୁମାର ଏହାର ଭିଡିଓ ସେୟାର କରିଛନ୍ତି ।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଉଛି ଯେ,ଫିଲ୍ମ ଦେଖି ବାହାରକୁ ବାହାରୁଛନ୍ତି ଦର୍ଶକ । ଏହି ସମୟର ଜଣେ ମହିଳା ଦର୍ଶକ ନିର୍ଦ୍ଦେଶକ ବିବେକଙ୍କ ପାଦ ଛୁଇଁ ପ୍ରଣାମ କରୁଛନ୍ତି । ମହିଳା ଜଣକ ଏତେ ମାତ୍ରାରେ ଭାବପ୍ରବଣ ହୋଇଯାଇଛନ୍ତି ଯେ, ସେ ଜୋରରେ କାନ୍ଦୁଥିବାର ମଧ୍ୟ ଦେଖାଯାଉଛି । କେବଳ ଏତିକି ନୁହେଁ ‘ଆପଣଙ୍କ ବ୍ୟତୀତ ଏହି କାମ ଆଉ କେହି କରିପାରିନଥାନ୍ତେ’ ବୋଲି ବିବେକଙ୍କୁ ମହିଳା ଜଣକ କହିଛନ୍ତି । ସେଠାରେ ଥିବା ଅନ୍ୟ ଦର୍ଶକମାନେ ମଧ୍ୟ ବିବେକଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ ।
ସୂଚନା ମୁତାବକ, ଏହି ଫିଲ୍ମକୁ ବିରୋଧ କରାଯାଇଥିଲେ ବି ହରିୟାଣାରେ ଏହି ଫିଲ୍ମକୁ ଟ୍ୟାକ୍ସ ଫ୍ରି କରିଦିଆଯାଇଛି । ଏଥିରେ ଅନୁପମ ଖେର୍ ଓ ମିଥୁନ୍ ଚକ୍ରବର୍ତ୍ତୀଙ୍କ ଅଭିନୟକୁ ସମସ୍ତେ ପ୍ରଶଂସା କରୁଛନ୍ତି । ଏହି ଫିଲ୍ମ କେବଳ ଦେଶ ମଧ୍ୟରେ ନୁହେଁ ବରଂ ସାରା ବିଶ୍ୱରେ ରିଲିଜ୍ ହୋଇଛି । ସେଠାରେ ମଧ୍ୟ ଦର୍ଶକଙ୍କ ସମାନ ଅବସ୍ଥା ଦେଖିବାକୁ ମିଳିଛି ।