ଆସନ୍ତା ବର୍ଷ ଏପ୍ରିଲ-ମେ’ରେ ହୋଇପାରେ ୫-ଜି ସ୍ପେକ୍ଟ୍ରମ ନିଲାମ : ସୂଚନା ଦେଲେ ଟେଲିକମ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

କହିଲେ, ପେଗାସସ୍ ଗୁଇନ୍ଦାଗିରି ପ୍ରସଙ୍ଗରେ ସୁପ୍ରିମକୋର୍ଟ ତଦନ୍ତକୁ ସହଯୋଗ କରୁଛନ୍ତି ସରକାର

162

କନକ ବ୍ୟୁରୋ : ଆସନ୍ତା ବର୍ଷ ଏପ୍ରିଲ-ମେ’ରେ ହୋଇପାରେ ୫-ଜି ସ୍ପେକ୍ଟ୍ରମ ନିଲାମ । କେନ୍ଦ୍ର ଟେଲିକମ, ଆଇଟି ଏବଂ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୂଚନା ଦେଇଛନ୍ତି । ଏଥି ସହିତ ପେଗାସସ୍ ଗୁଇନ୍ଦାଗିରି ନେଇ ଆସିଥିବା ଅଭିଯୋଗକୁ ସେ ସ୍ବୀକାର କରିନାହାନ୍ତି କିମ୍ବା ମନା ମଧ୍ୟ କରିନାହାନ୍ତି । କିନ୍ତୁ ସେ କହିଛନ୍ତି ଏ ନେଇ କିଛି ଲୁଚାଇବାର ନାହିଁ । ସରକାର ଆଇନ ପରିସରରେ କାର୍ଯ୍ୟ କରିଛନ୍ତି। ସୁପ୍ରିମ କୋର୍ଟଙ୍କ ଦ୍ବାରା ଗଠିତ ବିଶେଷଜ୍ଞ କମିଟିକୁ ସରକାର ତଦନ୍ତରେ ସଂପୂର୍ଣ୍ଣ ସହଯୋଗ କରିବେ ବୋଲି ମନ୍ତ୍ରୀ କହିଛନ୍ତି ।

ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ୫ଜି ସ୍ପେକ୍ଟ୍ରମ ନିଲାମ ସଂପର୍କରେ କେନ୍ଦ୍ରମନ୍ତ୍ରୀ ବୈଷ୍ଣବ କହିଛନ୍ତି, ଏୟାରୱେଭର ମୂଲ୍ୟ ନିର୍ଦ୍ଧାରଣ ପାଇଁ ଟ୍ରାଇ ପକ୍ଷରୁ ପରାମର୍ଶ ସଂଗ୍ରହ ଆରମ୍ଭ ହୋଇଛି । ମୂଲ୍ୟ ସଂକ୍ରାନ୍ତ ସୁପାରିସ ଟ୍ରାଇ ନିକଟରୁ ଆସିଲେ ତାହାପରେ ସରକାର ନିଲାମ କାର୍ଯ୍ୟ ଆରମ୍ଭ କରିବେ । ଟ୍ରାଇର ସୁପାରିସ ଫେବ୍ରୁଆରି କିମ୍ବା ମାର୍ଚ୍ଚ ସୁଦ୍ଧା ଆସିବା ନେଇ ସେ ଆଶାବ୍ୟକ୍ତ କରିଛନ୍ତି ।

ରେଳବାଇ ଘରୋଇକରଣ ସଂପର୍କିତ ଏକ ପ୍ରଶ୍ନରେ ସେ କହିଛନ୍ତି, ସରକାରଙ୍କୁ ପ୍ରଥମେ ଘରୋଇ ନିବେଶକଙ୍କ ମଧ୍ୟୟରେ ଆସ୍ଥା ସୃଷ୍ଟି କରିବାକୁ ହେବ । ଦେଶରେ ନୂଆ ରେଳଲାଇନ୍ ବିଛାଇବା ପାଇଁ ନିର୍ମାଣ, ପରିଚାଳନା ଏବଂ ହସ୍ତାନ୍ତର (ବିଓଟି) ଭିତ୍ତିରେ ଶୀଘ୍ର ଆରମ୍ଭ ହେବା ଉଚିତ । ଏହା ସଫଳ ହେଲେ ଦେଶରେ ବହୁ ଅଧିକ କିଲୋମିଟରର ରେଳଲାଇନ୍ ନିର୍ମାଣ ହୋଇପାରିବ ବୋଲି ସେ କହିଛନ୍ତି ।