ଦିଲ୍ଲୀରେ ସରକାରୀ ବଙ୍ଗଳାକୁ ଜୋର ଜବରଦସ୍ତ ମାଡି ବସିଛନ୍ତି ବୈଜୟନ୍ତ । ଟ୍ୱିଟରରେ ଅନୁଭବ କଲେ ଟାର୍ଗେଟ ।

ସାଧାରଣ ଜୀବନରେ ସେ ଶିଷ୍ଟାଚାର ଓ ନୀତିଶାସ୍ତ୍ର ବା ନୈତିକତା ନେଇ ଉପଦେଶ ଦେବା ବନ୍ଦ କରନ୍ତୁ । ୨୦୧୯ରେ ନିର୍ବାଚନରେ ବାଜି ମାତ କରିବା ପରେ ବୋଧହୁଏ ପ୍ରଥମ ଥର ପାଇଁ ଏଭଳି ଏକ ସ୍ଥିତି ସୃଷ୍ଟି ହୋଇଛି ଯେଉଁଠି ବୈଜୟନ୍ତଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ଅନୁଭବ ।

762

ବୈଜୟନ୍ତ ପଣ୍ଡାଙ୍କୁ ଟାର୍ଗେଟ କଲେ ସାଂସଦ ଅନୁଭବ ମହାନ୍ତି । ଦୁଇଟି ଟ୍ୱିଟ୍ କରିବା ସହ କିଭଳି ବୈଜୟନ୍ତ ନୀତି ନିୟମ ବିରୋଧୀ କାର୍ଯ୍ୟ କରୁଛନ୍ତି ତାକୁ ଦର୍ଶାଇଛନ୍ତି କେନ୍ଦ୍ରାପଡା ବିଜେଡି ସାଂସଦ । ୧୩ ମାସ ତଳେ ସାଂସଦ ପଦରୁ ଇସ୍ତଫା ଦେଇଥିବା ବେଳେ ଏପରିକି ଗତ ନିର୍ବାଚନରେ ହାରିବା ସତ୍ୱେ ବୈଜୟନ୍ତ ଜବରଦସ୍ତ ସରକାରୀ ବଙ୍ଗଳାକୁ ନିଜ ଦଖଲରେ ରଖିଥିବା ଦର୍ଶାଇଛନ୍ତି ଅନୁଭବ ମହାନ୍ତି ।


ସନ୍ଧ୍ୟା ପାଖାପାଖି ୬ଟା ସମୟରେ ଅନୁଭବଙ୍କ ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରୁ ଦୁଇଟି ଟ୍ୱିଟ କରାଯାଇଥିଲା । ନୂଆଦିଲ୍ଲୀର ୨ ମହାଦେବ ରୋଡରେ ବୈଜୟନ୍ତଙ୍କୁ ପୂର୍ବରୁ ସରକାରୀ ବଙ୍ଗଳା ମିଳିଥିଲା, ଯେତେବେଳେ ବିଜେଡିରୁ ନିର୍ବାଚିତ ହୋଇ ସେ ସାଂସଦ ଥିଲେ । ହେଲେ ଏହାରି ଭିତରେ ସେ ନିର୍ବାଚନରେ ପରାଜିତ ହୋଇସାରିଥିଲେ ମଧ୍ୟ ସରକାରୀ ବଙ୍ଗଳା ଛାଡୁନଥିବା ଦର୍ଶାଇଛନ୍ତି ଅନୁଭବ ମହାନ୍ତି ।

ଅନୁଭବ ନିଜ ଦ୍ୱିତୀୟ ଟ୍ୱିଟରେ ଦର୍ଶାଇଛନ୍ତି, ବୈଜୟନ୍ତଙ୍କ ଘରର ସୁରକ୍ଷା କର୍ମୀଙ୍କୁ କିଛି ଏଭଳି ଢଙ୍ଗରେ ଟ୍ରେନିଂ ଦିଆଯାଇଛି, ଯେପରି ସେମାନେ ନବ ନିର୍ବାଚିତ ସାଂସଦଙ୍କୁ ଗେଟ ଭିତରକୁ ଛାଡିବେ ନାହିଁ । ଯେଉଁମାନଙ୍କୁ ଲୋକସଭାର ଗୃହ କମିଟି ଅଧିକାର ଦେଇଛି ଘର ଭିତରେ ପଶି ଘରର ସ୍ଥିତିକୁ ଅନୁଧ୍ୟାନ କରିବା ପାଇଁ ।


ଏଥିସହ ଅନୁଭବ ୨ ମହାଦେବ ରୋଡ ସ୍ଥିତ ଉକ୍ତ ଘର ସାମ୍ନାରେ ଏକ ଫୋଟୋକୁ ମଧ୍ୟ ଉଠାଇ ଟ୍ୱିଟ କରିଛନ୍ତି । ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ସାଧାରଣ ଜୀବନରେ ସେ ଶିଷ୍ଟାଚାର ଓ ନୀତିଶାସ୍ତ୍ର ବା ନୈତିକତା ନେଇ ଉପଦେଶ ଦେବା ବନ୍ଦ କରନ୍ତୁ । ୨୦୧୯ରେ ନିର୍ବାଚନରେ ବାଜି ମାତ କରିବା ପରେ ବୋଧହୁଏ ପ୍ରଥମ ଥର ପାଇଁ ଏଭଳି ଏକ ସ୍ଥିତି ସୃଷ୍ଟି ହୋଇଛି ଯେଉଁଠି ବୈଜୟନ୍ତଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ଅନୁଭବ ।

୨୦୧୯ରେ ସବୁଠାରୁ ହାଇପ୍ରୋଫାଇଲ ଲଢେଇ ଦେଖିବାକୁ ମିଳିଥିଲା କେନ୍ଦ୍ରାପଡାରେ । ଆଉ ବିଜେଡିରୁ ଯାଇ ବିଜେପିରେ ସାମିଲ ହୋଇଥିବା ବୈଜୟନ୍ତ ପଣ୍ଡାଙ୍କୁ ଲକ୍ଷାଧିକ ଭୋଟରେ ହରାଇ ପ୍ରଥମ ଥର ପାଇଁ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ଆଉ ଏବେ ଅନୁଭବଙ୍କ ଏହି ଟ୍ୱିଟ ଉଭୟଙ୍କ ଭିତରେ ଥିବା ରାଜନୈତିକ ତିକ୍ତତାକୁ ଆଉ ଏକ ପାଦ ଆଗେଇ ନେଇଛି ।

ଯଦିଓ ଅନୁଭବ କରିଥିବା ଟ୍ୱିଟରେ ବୈଜୟନ୍ତଙ୍କୁ ଟ୍ୟାଗ କରାଯାଇଛି, ତେବେ ଖବର ଲେଖା ହେବା ସୁଦ୍ଧା ଏନେଇ କୈାଣସି ପ୍ରତିକ୍ରିୟା ରଖିନାହାନ୍ତି ବୈଜୟନ୍ତ ।