ମାଗଣାରେ ପାଇଲେ କିଏ ବା ନେବ ନାହିଁ !! ପେଟ୍ରୋଲ ପମ୍ପ ନୁହେଁ ବରଂ ପାହାଡ ଖୋଲରୁ ବାହାରୁଛି ଡିଜେଲ, ସେପଟେ ତେଲ ଲିକ କଥାକୁ ଏଡାଇଲେ ପମ୍ପ ମାଲିକ

926

କନକ ବ୍ୟୁରୋ : ଥରେ ଭାବନ୍ତୁ ପେଟ୍ରୋଲ ଓ ଡିଜେଲ ପାଇଁ ଆପଣଙ୍କୁ ଦେବାକୁ ପଡିବନି ପଇସା । ସ୍ୱାଭାବିକ ଭାବେ ମାଗଣା ଇନ୍ଧନ ପାଇଁ ଆପଣ ଧାଡି ବାନ୍ଧିବେ । ପେଟ୍ରୋଲ ପମ୍ପ ନୁହେଁ, ପାହାଡ ଖୋଲରେ ଲାଗିଛି ଲୋକଙ୍କ ଭିଡ । ଖବର କିଭଳି ସାମନାକୁ ଆସିଲା ଜଣା ନାହିଁ । କିନ୍ତୁ ଖବର ପହଚିଂଲା ଏଠି ପଥର ଖୋଲରୁ ବାହାରୁଛି ଡିଜେଲ । କନ୍ଧମାଳ ଦାରିଙ୍ଗିବାଡି ଲଦପାଙ୍ଗା ଅଂଚଳରେ ପଥର ଖୋଲରୁ ଡିଜେଲ ବାହାରୁଥିବା ଖବର ପ୍ରଚାର ହେବା ପରେ ଲୋକଙ୍କ ଭିଡ ଲାଗିଗଲା । ପଥର ଖୋଲରୁ ଡିଜେଲ ସଂଗ୍ରହ କରିବା ପାଇଁ ଲୋକେ କିଛି ଏହିଭଳି ଘରୋଇ ଉପକରଣକୁ ବ୍ୟବହାର କରୁଛନ୍ତି । ରୋଷେଇ ଚାମଚରେ ପଥର ତଳେ ପଡିରହିଥିବା ତେଲକୁ ସଂଗ୍ରହ କରି ବାଲଟିରେ ଭର୍ତି କରୁଛନ୍ତି । ମାଗଣା ଡିଜେଲ ଯିଏ ଯେତେ ନେଇପାରିବ ସେଥିପାଇଁ ବୋତଲ, ଜାର ଛଡା ସାଂଗରେ ବାଲଟି ବି ନେଇ ଯାଇଛନ୍ତି । ଡିଜେଲ ସଂଗ୍ରହ ପାଇଁ ଲମ୍ବା ଲାଇନ ଲଗାଇଛନ୍ତି ।

ତେବେ ବଡ ପ୍ରଶ୍ନ ହେଉଛି ପଥର ଖୋଲରେ ଡିଜେଲ ଆସିଲା କେଉଁଠୁ । ଏହି କଥାର ଅନୁସନ୍ଧାନ କଲା ବେଳେ ଜାଣିଲୁ କି ଡିଜେଲ ବାହାରୁଥିବା ସ୍ଥାନଠାରୁ ମାତ୍ର ୪ ଶହ ମିଟର ଦୂରରେ ରହିଛି ଏକ ପେଟ୍ରୋଲ ଟାଙ୍କିି । ତେଣୁ ଏହି ଟାଙ୍କିରୁ ଲିକ ହୋଇ ଡିଜେଲ ଆସୁଥିବା ଆଶଙ୍କା କରାଯାଉଛି । ସେପଟେ ପେଟ୍ରୋଲ ପମ୍ପ ମାଲିକ କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି, ତାଙ୍କ ଟାଙ୍କିରେ ପେଟ୍ରୋଲ ଓ ଡିଜେଲ ମହଜୁଦ ରହିଛି । କୌଣସି ପ୍ରକାର ଲିକ ହୋଇନାହିଁ । ପେଟ୍ରୋଲ ପମ୍ପ ମାଲିକଙ୍କ ଏହି ବୟାନ ପରେ ପଥର ଖୋଲରେ ଡିଜେଲକୁ ନେଇ ରହସ୍ୟ ଆହୁରି ବଢିଯାଇଛି । ସେପଟେ ମାଗଣା ଡିଜେଲ ପାଇଁ ଲୋକଙ୍କ ଭିତରେ ପ୍ରବଳ ଆଗ୍ରହ ରହିଥିବାରୁ ଘଟଣା ସ୍ଥଳରେ ପୁଲିସ ପହଚିଂ ସେମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ଉଦ୍ୟମ ଚଳାଇଛି । ତେବେ ଗତକାଲି ଅପରାହ୍ଣରୁ ଏ ଖବର ମିଳିବା ପରେ ଆଜି ପର୍ଯ୍ୟନ୍ତ ସେହି ପଥର ଖୋଲ ପାଖରେ ଲୋକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି ।