ସୈନିକ ହେବାର ସ୍ୱପ୍ନକୁ ସତ କରୁଛନ୍ତି ଅବିନାଶ । ଶହଶହ ପିଲାଙ୍କୁ ମାଗଣାରେ ଦେଉଛନ୍ତି ପ୍ରଶିକ୍ଷଣ…

235

କନକ ବ୍ୟୁରୋ: ଜୀବନରେ ଯବାନ ହେବାକୁ ଭାରି ଇଚ୍ଛା ଥିଲା । ସେନାରେ ଯିବେ ସୀମାରେ ଶତ୍ରୁ ସହ ଲଢିବେ । ଦେଶ ପାଇଁ ଯୁଦ୍ଧ କରି ମାଟି ମାଆକୁ ସୁରକ୍ଷା ଦେବେ । ସୈନିକର ସ୍ୱପ୍ନ ନେଇ ବଞ୍ଚିବା ଥିବା ଅବିନାଶ କିନ୍ତୁ ସେନାରେ ସାମିଲ ହୋଇପାରିଲେନି । ତାଙ୍କୁ ଆର୍ମିରେ ଚାକିରି ମିଳିଲାନି । ବାସ୍ ସେବେଠାରୁ ନିଜ ସ୍ୱପ୍ନକୁ ଅନ୍ୟମାନଙ୍କ ଦ୍ୱାରା ସତ କରିବାକୁ ପିଲାଙ୍କୁ ମାଗଣାରେ ଆର୍ମି ଟ୍ରେନିଂ ଦେଉଛନ୍ତି ଭୁବନେଶ୍ୱରର ଅବିନାଶ ।

ଚାଲିଛି ପ୍ରଶିକ୍ଷଣ ।  ଲଙ୍ଗ ଜମ୍ପ ଓ ହାଇ ଜମ୍ପ ସାଙ୍ଗକୁ ରୋପ୍ କ୍ଲାଇମ୍ବ କରିବାରେ ବ୍ୟସ୍ତ ଅଛନ୍ତି ଯୁବାବର୍ଗ ।   ସାମରିକ ବାହିନୀରେ ନିଯୁକ୍ତି ପାଇବା ପାଇଁ ପ୍ରସ୍ତୁତ ହେଉଛନ୍ତି ଯୁବବର୍ଗ ।  ଭୁବନେଶ୍ୱର ଘାଟିକିଆ ଅଞ୍ଚଳର ଏକ ପଡିଆରେ ବଜରଙ୍ଗୀ ଟ୍ରେନିଂ ଏକାଡେମୀରେ ଚାଲିଛି ଝାଳ ବୁହା ପରିଶ୍ରମ ।  ଆର୍ମି ପୋଷାକ ପିନ୍ଧି ଭାରତୀୟ ସେନାରେ ଚାକିରୀ କରିବାର ସ୍ବପ୍ନ ଦେଖିଥିବା ଅବିନାଶ ଏବେ ସାଜିଛନ୍ତି ପ୍ରଶିକ୍ଷକ ।

ଗତ କିଛି ବର୍ଷ ତଳେ ଅବିନାଶ ଓ ତାଙ୍କ ଭାଇ ଅଭିଳାଷ ଆଇଟିବିପିରେ ନିଯୁକ୍ତି ପାଇଥିଲେ ।  ଉଭୟ ଚାକିରୀ କଲେ ପରିବାର କଥା ବୁଝିବା ସମ୍ଭବ ହୋଇନଥାନ୍ତା । ବେଶୀ କିଛି ନଭାବି ଆଇଟିବିପିରେ ଯୋଗ ନଦେଇ ପରିବାରର ଦାୟିତ୍ୱ ନେବାକୁ ଚିନ୍ତା କଲେ ଅବିନାଶ ।

କିନ୍ତୁ ଅନ୍ୟମାନଙ୍କର ସ୍ୱପ୍ନକୁ ସାକାର କରିବାକୁ ଲାଗିପଡିଛନ୍ତି ଅବିନାଶ । ସାମରିକ ବାହିନୀରେ ଯୋଗ ଦେବାର ସ୍ବପ୍ନକୁ ସାକାର କରିବା ପାଇଁ ସଭିଏଁ ଏକାଠି ହୋଇଛନ୍ତି । ରାଜ୍ୟର କୋଣ ଅନୁକୋଣରୁ ଆସିଛନ୍ତି ଅନେକ ଯୁବବର୍ଗ । କିଏ ଭୁବନେଶ୍ୱରରେ ପାଠ ପଢୁଛି ତ ପୁଣି କିଏ ଚାକିରୀ କରୁଛି ।  କିନ୍ତୁ ଭାରତୀୟ ସେନାରେ ଯୋଗ ଦେବାକୁ ସଭିଏଁ ସ୍ବପ୍ନ ଦେଖିଛନ୍ତି । ସେଥିପାଇଁ ତ ସକାଳ ହେଲା ମାତ୍ର ଏଠି ଟ୍ରେନିଂ ନେବା ପାଇଁ ଜମିଯାଏ ଭିଡ ।  ବଜରଙ୍ଗୀ ଟ୍ରେନିଂ ଏକାଡେମୀରେ ପ୍ରଶିକ୍ଷଣ ମିଳୁଛି ତାହା ପୁଣି ବିନା ପଇସାରେ ।  ଅବିନାଶଙ୍କ ଏହି ଏକାଡେମୀରୁ ଅନେକ ସାମରିକ ବାହିନୀରେ ନିଯୁକ୍ତି ବି ପାଇଛନ୍ତି । ତେବେ ମାଗଣାରେ ଟ୍ରେନିଂ ଦେଇ ଯୁବବର୍ଗଙ୍କ ପାଇଁ ଉଦାହରଣ ସାଜିଥିବା ଅବିନାଶ ଅନ୍ୟଙ୍କ ଆଖିରେ ସତ କରୁଛନ୍ତି ନିଜର ଅଧୂରା ସ୍ବପ୍ନ ।