ପୁଲିସ୍ ହେପାଜତରେ ଆତ୍ମହତ୍ୟା ଉଦ୍ୟମ। ହାତ କାଟିଦେଲା ‘ସମର୍ଥ’ ଘଟଣାର ମୁଖ୍ୟ ଅଭିଯୁକ୍ତ।

299

କନକ ବ୍ୟୁରୋ: ପୁଲିସ୍ କର୍ମୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବିପଦ ଟଳିଯାଇଛି ସତ । କିନ୍ତୁ ବହୁ ଚର୍ଚ୍ଚିତ ସମର୍ଥ ଅଗ୍ରୱାଲ, ଅପହରଣ ଓ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଅମିତ ଶର୍ମା, ପୁଲିସ ହେପାଜତରେ ଯେଉଁକାଣ୍ଡ ଘଟାଇଛନ୍ତି ତାହା ସମସ୍ତଙ୍କୁ ଚକିତ କରିଦେଇଛି । ସୂଚନା ଅନୁସାରେ, ଅଭିଯୁକ୍ତ ଅମିତ ଶର୍ମା, ସକାଳ ଶୌଚହେବା ପାଇଁ ଟୟଲେଟକୁ ଯାଇଥିଲେ । ଆଉ ଆତ୍ମହତ୍ୟା କରିବା ଉଦ୍ଦେଶ୍ୟରେ ଟୟଲେଟରେ ଲାଗିଥିବା ଦର୍ପଣକୁ ଭାଙ୍ଗି ନିଜର ହାତ ଓ ବେକ କାଟିବାକୁ ଉଦ୍ୟମ କରିଥିଲେ । ହେଲେ କିଛି ଅଘଟଣ ଘଟିବା ପୂର୍ବରୁ ଅମିତ ଶର୍ମାଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ ପୁଲିସ୍ କର୍ମଚାରୀ ।

ସମର୍ଥ ଅଗ୍ରୱାଲ ଅପହରଣ ଓ ହତ୍ୟା ଘଟଣାର ଦୁଇ ମୁଖ୍ୟ ଅଭିଯୁକ୍ତ ଅମିତ ଶର୍ମା ଓ ଦୀନେଶ ଅଗ୍ରୱାଲଙ୍କ ରିମାଣ୍ଡ ଅବଧି ଗତକାଲି ଶେଷ ହୋଇଥିଲା । ଆଜି ଉଭୟଙ୍କ କୋର୍ଟ ଚାଲାଣ ହେବା ପାଇଁ ପୁଲିିସ ପ୍ରସ୍ତୁତି କରୁଥିବା ବେଳେ ଘଟିଥିଲା ଏହି ଘଟଣା । ଏପଟେ ସମର୍ଥ ଅଗ୍ରୱାଲଙ୍କ ଅପହରଣ ଓ ହତ୍ୟାର କାରଣ ସମ୍ପର୍କର ସୂଚନା ଦେଇଛନ୍ତି ଝାରସୁଗୁଡ଼ା ଏସପି ।

ଝାରସୁଗୁଡ଼ା ଏସପି ଦେଇଥିବା ସୂଚନା ଅନୁସାରେ, ବ୍ୟବସାୟରେ ଅମିତ ଶର୍ମାଙ୍କ ବଡ଼ ଧରଣର କ୍ଷତି ହୋଇଥିଲା । ଏଥିପାଇଁ ତାକୁ ଟଙ୍କାର ଆବଶ୍ୟକତା ଥିଲା । ଶୀଘ୍ର ଟଙ୍କା ରୋଜଗାର ପାଇଁ ସମର୍ଥଙ୍କୁ ଦୁଇ ଜଣ ଅପହରଣ କରାଯାଇଥିଲା । ହେଲେ ଦୁଇ ଅଭିଯୁକ୍ତ ଅମିତ ଓ ଦୀନେଶକୁ, ସମର୍ଥ ଚିହ୍ନିଥିବାରୁ ଅପହରଣର ପର୍ଦ୍ଦାଫାଶ ହୋଇଥିବା ଭୟରେ ତାଙ୍କୁ ହତ୍ୟା କରିଦେଇଥିଲେ । ଏପଟେ ଅପହରଣ ଘଟଣାରେ ସହାୟତା କରିିଥିବା ଅଭିଯୋଗରେ ଆଉ ଜଣଙ୍କୁ ଗିରଫ କରିଛି ପୁଲିସ ।

ମାମଲାଟି କ୍ରାଇମବ୍ରାଞ୍ଚ ନିରୀକ୍ଷଣରେ ଥିବା ବେଳେ ଫାଷ୍ଟଟ୍ରାକ୍ କୋର୍ଟରେ ଏହାର ବିଚାର ପାଇଁ ପୁଲିସ୍ ତତ୍ପରତା ଜାରି ରହିଛି । ଗତ ୨୬ ତାରିଖରେ ଝାରସୁଗୁଡ଼ା ସରବାହାଲ କ୍ରିଷ୍ଣା ଏନକ୍ଲେଭରେ ରହୁଥିବା ସୁନିତ ଅଗ୍ରୱାଲଙ୍କ ପୁଅ ସମର୍ଥଙ୍କୁ ଅହପରଣ କରାଯାଇଥିଲା । ପରେ ସମର୍ଥଙ୍କ ମୋବାଇଲରୁ ଫୋନ କରି ତାଙ୍କ ବାପାଙ୍କୁ ୫୦ ଲକ୍ଷ ଟଙ୍କା ମୁଣ୍ଡଜାମିନ୍ ମଗାଯାଇଥିଲେ । ହେଲେ ପରଦିନ ସକାଳୁ ସମର୍ଥଙ୍କ ଦରପୋଡ଼ା ଶବ ଉଦ୍ଧାର ହୋଇଥିଲା ।